ଶ୍ରୀନଗର: କାଶ୍ମୀରରେ ଜାରି ରହିଛି ତୁଷାରପାତ । ଶୀତ ସାଙ୍ଗକୁ ତୁଷାରପାତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କାଶ୍ମୀର ଉପତ୍ୟକାରେ ଗତକାଲି(ଶୁକ୍ରବାର) ପ୍ରବଳ ମାତ୍ରାରେ ତୁଷାରପାତ ହେବା ଯୋଗୁଁ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ବିମାନ ସେବା ମଧ୍ୟ ସ୍ଥଗିତ ହୋଇଥିଲା ।
ପାଣିପାଗ ବିଭାଗର ତଥ୍ୟ ଅନୁସାରେ, "ପାହାଡିଆ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ତୁଷାରପାତ ହୋଇଛି । ଏହାସହ ସମତଳ ଅଞ୍ଚଳରେ ମଧ୍ୟମଧରଣର ତୁଷାରପାତ ହୋଇଥିଲା । ପ୍ରଥମଥର ପାଇଁ ଅତ୍ୟଧିକ ତୁଷାରପାତ ହୋଇଥିବା ବେଳେ ଏହା ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା । ତେବେ ଆଜି ଠାରୁ ଆସନ୍ତା ୧୮ ତାରିଖ ଯାଏଁ ପାଗ ଶୁଖିଲା ରହିବା ନେଇ ଆକଳନ କରାଯାଉଛି ।"
ଏହା ମଧ୍ୟ ପଢନ୍ତୁ: କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ଘଟଣା, ହାତଲେଖା ଚିଠି ନେଇ ବଢିଲା ଚର୍ଚ୍ଚା
ଶୁକ୍ରବାର ସକାଳେ ଜମ୍ମୁ ଏବଂ ଶ୍ରୀନଗର ରାଜପଥ ବନ୍ଦ ରହିଥିଲା । ଏହାପରେ ରାଜପଥରୁ ବରଫ ହଟାଇବା ପାଇଁ ପ୍ରୟା, ଜାରି ରହିଥିବା ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଥିଲେ । ବାନିହଲ-ରାମସୁ ଷ୍ଟ୍ରେଚରେ ଭୂସ୍କଳନର ଆକଳନ କରାଯାଇଥିବାରୁ ଉକ୍ତ ରାଜପଥକୁ ବନ୍ଦ କରାଯାଇଥିଲା । ପାଗରେ ଉନ୍ନତି ଆସିଲେ ପୁଣିଥରେ ଯାତାୟତ ସ୍ବାଭାବିକ ହେବ ବୋଲି ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।
ସ୍ଥାନୀୟ ଏୟାରପୋର୍ଟ ନିର୍ଦ୍ଦେଶକ କୁଲଦୀପ ସିଂ ସୁରୀ କହିଥିଲେ, "ପାଗ ଖରାପ ଯୋଗୁଁ ଏୟାର ଇଣ୍ଡିଆର ସମସ୍ତ ବିମାନ ସେବାକୁ ବାତିଲ କରାଯାଇଛି । ପାଗରେ ସୁଧାର ଆସିଲେ ବିମାନ ସେବା ପୁଣିଥରେ ଆରମ୍ଭ କରାଯିବ ।"
ପ୍ରକାଶଥାଉକି, ତୁଷାରପାତକୁ ଦୃଷ୍ଟିରେ ରଖି ଜାମ୍ମୁ କାଶ୍ମୀରର ଅନେକ ଜିଲ୍ଲାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(SDMA) ପକ୍ଷରୁ କେତେକ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରାଯାଇଥିଲା । ଟନେଲରେ କାମ କରୁଥିବା ବେଳେ ତୁଷାରପାତ ଯୋଗୁଁ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ଭାରତ ଯୋଡ ଯାତ୍ରା ହେଲା ଶେଷ ଯାତ୍ରା ! ହୃଦଘାତରେ ଚାଲିଗଲେ ସାଂସଦ ସନ୍ତୋଖ
SDMA ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଥିଲା," ତୁଷାରପାତ ପାଇଁ ବାନ୍ଦିପୋରା, କୁପୱାରା, ବାରାମୁଲ୍ଲା ଏବଂ ଗାଣ୍ଡରବାଲ ଜିଲ୍ଲାରେ ବିପଦ ରହିଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅନନ୍ତନାଗ, ଡୋଡା, କିସ୍ତୱର, କୁଲଗାମ, ପୁଞ୍ଚ ଏବଂ ରାମବାନ୍ ଜିଲ୍ଲାରେ ବିପଦ ରହିଛି । ତେଣୁ ଲୋକମାନେ ସୁରକ୍ଷା ଅବଲମ୍ବନ କରନ୍ତୁ । ଅତ୍ୟଧିକ ବରଫ ପଡୁଥିବା ସ୍ଥାନରୁ ଦୂରେଇ ରୁହନ୍ତୁ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ