କିଭ୍: ଦିନକୁ ଦିନ ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ । ଆଜି ଏହି ଯୁଦ୍ଧ 16 ଦିନରେ ପହଞ୍ଚିଛି ତଥାପି ଫିଟୁନି ସମାଧାନର ବାଟ । ଏହାରି ମଧ୍ୟରେ ସ୍ଥାନାନ୍ତରିତ ହେଉଛନ୍ତି ଲୋକେ । ତେବେ ଗୁରୁବାର ଓ ଶୁକ୍ରବାର ସକାଳ ସୁଦ୍ଧା ଅର୍ଥାତ ଗତ ଦୁଇଦିନ ମଧ୍ୟରେ ସୁମିର ଅବରୋଧିତ ଅଞ୍ଚଳରୁ ୬୦ ହଜାର ଲୋକଙ୍କୁ ଏବଂ କିଭରୁ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ସରକାର ।
ସମ୍ପୂର୍ଣ୍ଣ ଯୁଦ୍ଧ ବିରତି ପାଇଁ ଗତକାଲି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଏକାଠି ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଦୀର୍ଘ ୧୬ ଦିନ ଧରି ଋଷର ଲଗାତାର ଆକ୍ରମଣ ଫଳରେ ବଡ଼ବଡ଼ ସହର ଧ୍ବଂସ ପାଇଛି । ଫଳରେ ଯୁଦ୍ଧକୁ ନେଇ ଭୟଭୀତ ଅଛନ୍ତି ୟୁକ୍ରେନର କିଭ୍, ସୁମୀ ଭଳି ଅନେକ ଦେଶ । ଗତ ୨ ଦିନ ମଧ୍ୟରେ ସୁମି, ଟ୍ରଷ୍ଟିଆନେଟ ଏବଂ କ୍ରାସ୍ନୋପିଲିଆରୁ ୬୦ ହଜାରରୁ ଅଧିକ ଲୋକଙ୍କୁ ପୋଲଟାଭାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରାୟ ୩ ହଜାର ଲୋକଙ୍କୁ ଇଜିୟମ ସହରରୁ ଖାର୍କିଭ ଅଞ୍ଚଳର ଲୋଜଭା ସହରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ୟୁକ୍ରେନ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଇଜିୟମରେ ଥିବା ଲୋକଙ୍କୁ ସହାୟତା ବି ଯୋଗାଇ ଦିଆଯାଉଥିଲା । ଯେପରି ଇଂଜେକସନ, ଔଷଧ, ଖାଦ୍ୟ ଏବଂ ପିଇବା ପାଣି । ସେହିପରି ଗତ ଦିନରେ କିଭ୍ ଅଞ୍ଚଳର ବୁଚା, ହୋଷ୍ଟୋମେଲ, ଇରପିନ ଏବଂ ଭର୍ଜେଲ ସହରରୁ ପ୍ରାୟ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏଠାକୁ ମଧ୍ୟ ଶହେ ଟନରୁ ଅଧିକ ସହାୟତା ପ୍ରଦାନ କରାଯାଇଛି ।
ତେବେ ଋଷର ସୈନ୍ୟବାହିନୀର କ୍ରମାଗତ ଗୁଳିବିନିମୟ ହେତୁ ମ୍ୟାରିଆପୋଲରୁ ଜାପୋରିଜିଆ ପର୍ଯ୍ୟନ୍ତ ମାନବିକ କରିଡରରୁ କୌଣସି ଥଇଥାନ ହୋଇପାରିବ ନାହିଁ ବୋଲି ମନ୍ତ୍ରୀ ଭେରେସ୍କୁ କହିଛନ୍ତି । ମ୍ୟାରିଆପୋଲର ପରିସ୍ଥିତି ଏକ ମାନବିକ ବିପର୍ଯ୍ୟୟ । ମନ୍ତ୍ରୀ ଭେରେସ୍କୁ ଆହୁରି ମଧ୍ୟ କହିଛନ୍ତି ଯେ ରଣନୈତିକ ଦକ୍ଷିଣ ବନ୍ଦର ସହରରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବାରେ ଋଷ ବାଧା ସୃଷ୍ଟି କରୁଛି । ମ୍ୟାରିଆପୋଲ-ଜାପୋରିଜିଆରେ ସ୍ଥିତି ସଙ୍ଗୀନ । ଏଠିକାର ଲୋକଙ୍କ ପାଖରେ ପାଣି ବୁନ୍ଦାଏ ପହଞ୍ଚି ନାହିଁ ।