ଇସଲାମାବାଦ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଜାରି ରହିଛି ଅତ୍ୟାଚାର । ଗୁରୁବାର ପେଶାୱରରେ ଜଣେ ଶିଖଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହାକିମ ସର୍ଦ୍ଦାର ସନାତନ ସିଂଙ୍କ (ଖାଲସା)ଙ୍କୁ ୪ଟି ଗୁଳି ବାଜିଥିବା ପୋଲିସ କହିଛି । ତେବେ ଗୁଳିମାଡ ପରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା ।
ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସିଂ ସହରର ଚରସଦ୍ଦା ରୋଡ୍ରେ ଏକ କ୍ଲିନିକ ଚଳାଉଥିଲେ । ପୋଲିସର କହିବାନୁଯାୟୀ, ହାକିମ ସର୍ଦ୍ଦାର ସନାତନ ସିଂ ନିଜ କ୍ଲିନିକରେ ଥିବା ସମୟରେ ହିଁ ବନ୍ଧୁକଧାରୀ ଆକ୍ରମଣକାରୀ ତାଙ୍କ କ୍ୟାବିନକୁ ଆସିଥିଲେ । ଆଉ ଆଖିବୁଜା ଗୁଳି ଚଳାଇଥିଲେ । ତେବେ ଘଟଣାରେ ଆତଙ୍କବାଦୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ପେଶାୱରରେ ପାଖାପାଖି ୧୫ ହଜାର ଶିଖ ରୁହନ୍ତି । ଅଧିକାଂଶ ବ୍ୟବସାୟ କରୁଥିବାବେଳେ କିଛି ଫାର୍ମାସୀ ଚଳାନ୍ତି । ୨୦୧୮ରେ ଶିଖ ଚରଣଜିତ ସିଂଙ୍କୁ ହତ୍ୟା କରିଥିଲେ ଅପରାଧୀ । ଗତ ବର୍ଷ ନ୍ୟୁଜ ଆଙ୍କର ରବିନ୍ଦ୍ର ସିଂଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପୂର୍ବରୁ ୨୦୧୬ରେ ସୋରେନ ସିଂଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁବୃର୍ତ୍ତ ।