ପାଟନା: ବିହାରର କୈମୁରରେ ଏକ ଇ-ରିକ୍ସାକୁ ଧକ୍କା ଦେଲା ହାଇୱା। ଏହି ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 8ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।
ଭାଭୁଆରୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ସାମ୍ନାପଟୁ ଏକ ଇ-ରିକ୍ସାକୁ ଧକ୍କା ଦେଇଥିଲା। ଫଳରେ ରିକ୍ସାରେ ବସିଥିବା ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏପରିକି ହାଇୱାଟି ଭାରସାମ୍ୟ ହରାଇ 10-15 ମିଟର ଆଗକୁ ଯାଇ ଏକ ଅଟୋକୁ ମଧ୍ୟ ଧକ୍କା ଦେଇଥିଲା। ଭାଗ୍ୟବଶତଃ ସେଥିରେ କେହି ନଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁର୍ଘଟଣାର ମାତ୍ରା ଏତେ ତୀବ୍ର ଥିଲା ଯେ ଅନେକ ଜୋରରେ ଏହାର ଶବ୍ଦ ଶୁଭିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରିବା ସହ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମୃତାହତଙ୍କ ପରିବାରକୁ କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ