ହାଇଦ୍ରାବାଦ: ହାଇଦ୍ରାବାଦରେ ଭୟାବହ ଅଗ୍ନିକାଣ୍ଡ । କେମିକାଲ ଗୋଡାଉନରେ ନିଆଁ ଲାଗିବାରୁ 9 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 21 ଜଣ ଆହତ ହୋଇଥିବା ସୂଚନା ମିଳିଛି । ନାମପଲ୍ଲୀ ବଜାର ଘାଟରେ ଥିବା ଏକ କେମିକାଲ ଗଚ୍ଛିତ ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ପ୍ରଥମ ମହଲାରେ ଥିବା ଏକ କାର୍ ଗ୍ୟାରେଜରେ ନିଆଁ ଲାଗିଥିଲା, ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ଉପର ମହଲାକୁ ବ୍ୟାପିଥିଲା । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଗୋଟିଏ କାର ଦୁଇଟି ବାଇକ ଜଳିଯାଇଛି । ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ସେମାନଙ୍କ ମଧ୍ୟରେ ଏକ 40 ଦିନର ଶିଶୁ ଏବଂ ଦୁଇ ଜଣ ମହିଳା ଅଛନ୍ତି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ବାଣ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ, 12ରୁ ଊର୍ଦ୍ଧ୍ବ ଗୁରୁତର
ରବିବାର ବିଳମ୍ବିତ ରାତିରେ ବିଲ୍ଡିଂରେ ନିଆଁ ଲାଗିଥିଲା । ଏନେଇ ଖବର ପାଇବା ପରେ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା । ଏବେ ସୁଦ୍ଧା ବିଲ୍ଡିଂରେ ପ୍ରାୟ 10 ଜଣ ଫସିରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି । 9 ଜଣଙ୍କର ମୃତ୍ୟୁ ହୋଇଛି । ଚାରୋଟି ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନିଆଁକୁ ଆୟତ କରାଯାଇଥିବା ସୂଚନା ମିଳିିଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଅସ୍ପଷ୍ଟ ରହିଛି । 21 ଜଣ ଆହତଙ୍କ ମଧ୍ୟରୁ 8 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଚିକିତ୍ସା ନିମନ୍ତେ ଓସମାନିଆ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏହା ମଧ୍ୟ ପଢନ୍ତୁ-ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ, କାଠ ଡିପୋରେ ନିଆଁ ଲାଗି ୩ ଜୀବନ୍ତ ଦଗ୍ଧ
ଚଳିତ ବର୍ଷ ଏପ୍ରିଲ ମାସରେ ହାଇଦ୍ରାବାଦ କୁଶାଇଗୁଡ଼ାରେ ଅଗ୍ନିକାଣ୍ଡ ଘଟିବାରୁ ଗୋଟିଏ ପରିବାରରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଦମ୍ପତି ଏବଂ ତାଙ୍କ 5 ବର୍ଷର ପୁଅ ରହିଥିଲା । କୁଶାଇଗୁଡ଼ାରେ ଥିବା ଏକ କାଠ ଡିପୋରେ ହଠାତ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ ଡିପୋକୁ ଲାଗି ରହିଥିବା କୋଠାକୁ ନିଆଁ ବ୍ୟାପି ଯାଇଥିଲା । ଉକ୍ତ କୋଠାରେ 3 ଜଣ ଶୋଇଥିଲେ । ନିଆଁ ଲାଗିବା ଯୋଗୁଁ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଛି । ଦମ୍ପତିଙ୍କ ଦୁଇଟି ସନ୍ତାନ ଥିବାବେଳେ ସୌଭଗ୍ୟ ବସତଃ ବଡ଼ ପୁଅ ସମ୍ପର୍କୀୟଙ୍କ ଘରେ ଶୋଇଥିଲେ । ତେଣୁ ସେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।