ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ହେବାକୁ ଯାଉଥିବା ମିଳିତ ବିରୋଧୀ ବୈଠକରେ ବଢିବ ବିରୋଧୀ ଦଳଙ୍କ ଅଂଶଗ୍ରହଣ ସଂଖ୍ୟା । 17 ଓ 18 ତାରିଖରେ ହେବାକୁ ଥିବା ଦୁଇଦିନିଆ ସମ୍ମିଳନୀରେ କିଛି ନୂଆ ଦଳଙ୍କ ଅଂଶଗ୍ରହଣ ସହ ଏହି ସଂଖ୍ୟା 24ରେ ପହଞ୍ଚିବ । ପୂର୍ବରୁ ପାଟନାରେ ହୋଇଥିବା ବୈଠକରେ 19ଟି ରାଜନୈତିକ ଦଳର ମୁଖ୍ୟ ଅଂଶଗ୍ରହଣ କରିଥିବା ବେଳେ, ଚଳିତଥର MDMK, KDMK, ମୁସଲିମ ଲିଗଙ୍କ ସମେତ 8ଟି ନୂତନ ଦଳ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି ।
ମିଳିଥିବା ସୂଚନା ଅନୁସାରେ ବେଙ୍ଗାଲୁରୁ ବୈଠକରେ ପୂର୍ବରୁ ପାଟନା ବୈଠକରେ ଅଂଶଗ୍ରହଣ କରିଥିବା ଦଳମାନଙ୍କ ସହ ନୂତନ ଭାବେ MDMK, KDMK, ମୁସଲିମ ଲିଗ, RSP, BCK, ଅଲ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ, କେରଳ କଂଗ୍ରେସ (ଜୋସେଫ) କେରଳ କଂଗ୍ରେସ (ମଣି) ମଧ୍ୟ ସାମିଲ ହେବେ । ଗତକାଲି(ମଙ୍ଗଳବାର) ସଂଧ୍ୟାରେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଏହି ସମସ୍ତ ରାଜନୈତିକ ଦଳର ନେତାଙ୍କୁ ଚିଠି ଲେଖି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ଏବେ 24 ରାଜନୈତିକ ଦଳ ଅଂଶଗ୍ରହଣ କରିବା ପାଇଁ ଯାଉଥିବା ସୂତ୍ରରୁ ସ୍ପଷ୍ଟ ହୋଇଛି ।
ଅନ୍ୟ ଏକ ସୂଚନା ଅନୁସାରେ, ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ହୋଇଥିବା ଗତ ବୈଠକରେ କଂଗ୍ରେସ ପକ୍ଷରୁ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀ ସାମିଲ ହୋଇଥିଲେ । କିନ୍ତୁ ବେଙ୍ଗାଲୁରୁ ସମ୍ମିଳନୀରେ ପାର୍ଟିର ପୂର୍ବତନ ଅଧ୍ୟକ୍ଷା ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି । ଏହି ବୈଠକରେ କଂଗ୍ରେସ ସକ୍ରିୟ ଓ ଅଗ୍ରଣୀ ଭୂମିକାରେ ରହିବା ଏକ ପ୍ରକାର ସ୍ପଷ୍ଟ ସଙ୍କେତ ମିଳୁଛି । ପାଟନା ବୈଠକରେ ସେପରି କିଛି ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରାଯାଇ ପାରିନଥିଲା । ଯାହାକୁ ନେଇ ବିଜେପି ଓ ଏନଡିଏ ସହଯୋଗୀ ଦଳମାନେ ବିରୋଧୀ ଏକତାକୁ କଟାକ୍ଷ କରିଥିଲେ । ହେଲେ 17 ଓ 18 ତାରିଖରେ ହେବାକୁ ଯାଉଥିବା ଏହି ଦୁଇ ଦିନିଆ ବୈଠକରେ ବିରୋଧୀ ମେଣ୍ଟ ନେଇ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବାର ଚର୍ଚ୍ଚା ହେଉଛି ।
ଏହା ମଧ୍ୟ ପଢନ୍ତୁ:- Next Opposition meet in Bengaluru: ବିରୋଧୀ ନେତାଙ୍କୁ ନିମନ୍ତ୍ରଣ କଲେ ଖଡଗେ
କଂଗ୍ରେସ ମୁଖ୍ୟ ଖଡଗେଙ୍କ ସୂଚନା ଅନୁସାରେ, 17 ତାରିଖ ସଂଧ୍ୟାରେ ବେଙ୍ଗାଲୁରୁରେ ଏହି 2 ଦିନିଆ ସମ୍ମିଳନୀ ଆରମ୍ଭ ହେବ । ପରଦିନ 18 ତାରିଖ ପୂର୍ବାହ୍ନରୁ ସଂଧ୍ୟା ଯାଏ ଏହି ସମ୍ମିଳନୀ ଜାରି ରହିବ । ପ୍ରଥମ ବୈଠକ ସଫଳ ରହିଥିଲା ଓ ଏହି ବୈଠକ ମଧ୍ୟ ବିରୋଧୀ ଏକତାକୁ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରଦାନ କରିବା ନେଇ ଖଡଗେ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ । ତେବେ ଏହି ବୈଠକରେ କ’ଣ ନିଷ୍ପତ୍ତି ଗ୍ରହଣ କରୁଛନ୍ତି ବିରୋଧୀ, ତାକୁ ସମସ୍ତଙ୍କ ଅପେକ୍ଷା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ