ମୁମ୍ବାଇ: ଦାଣ୍ଡି ଯାତ୍ରା ପାଇଁ ସାବରମତି ଆଶ୍ରମ ଛାଡ଼ିବା ପରେ ସ୍ବାଧୀନତା ନପାଇବା ପର୍ଯ୍ୟନ୍ତ ଆଶ୍ରମକୁ ଫେରିବେନି ବୋଲି ପଣ କରିଥିଲେ ମହାତ୍ମା ଗାନ୍ଧୀ । ଦାଣ୍ଡି ଯାତ୍ରା ପରେ ବ୍ରିଟିଶମାନେ ଗାନ୍ଧୀଙ୍କୁ ବନ୍ଦୀ କରି ନେଇଥିଲେ । ଦୁଇବର୍ଷ ପରେ ଜେଲରୁ ଫେରିବା ପରେ ଗାନ୍ଧୀଜି ଦେଶର ମଧ୍ୟଭାଗରେ ଏକ ଗ୍ରାମ ତିଆରି କରିବାକୁ ଚିନ୍ତା କଲେ, ଯେଉଁଠୁ ଆରମ୍ଭ ହୁଏ ସ୍ବାଧୀନତା ସଂଗ୍ରାମର ମୂଳଦୁଆ ।
ସ୍ବାଧିନତା ସଂଗ୍ରାମ ପାଇଁ ପୂରା ଦେଶ ଭ୍ରମଣ କରିବା ପରେ ସାବରମତି ଆଶ୍ରମକୁ ଫେରିବେ ନାହିଁ ଗାନ୍ଧୀ ପ୍ରତିଜ୍ଞା କରିଥିଲେ । ଏହାପରେ ଗାନ୍ଧୀ କେଉଁଠି ରହିବେ ସେନେଇ ଆଲୋଚନା ହେବାକୁ ଲାଗିଲା । ସେହି ସମୟରେ ଜମନଲାଲ୍ ବଜାଜ୍ ତାଙ୍କୁ ୱର୍ଦ୍ଧାରେ ଏକ ଜାଗା ନେବାକୁ ପରାମର୍ଶ ଦେଇଥିଲେ । ସେ ଗାନ୍ଧୀଙ୍କୁ ସେହି ସ୍ଥାନ ମହତ୍ତ୍ବ ବୁଝାଇ ସେଠାରେ ରହିବାକୁ କହିଥିଲେ ।
ଜମନଲାଲ୍ ବଜାଜ୍ଙ୍କ ଅନୁରୋଧରେ ଯେତେବେଳେ ମହାତ୍ମା ଗାନ୍ଧୀ ପ୍ରଥମ ଥର ପାଇଁ ୱର୍ଦ୍ଧା ଆସିଲେ ଗାନ୍ଧୀ ରହିବା ପରେ ସେବାଗ୍ରାମ ମାର୍ଗ ପ୍ରଥମ ସତ୍ୟାଗ୍ରହ ଭାବେ ପରିଚିତ ହୋଇଥିଲା । ୧୯୩୫ ମସିହା ଜାନୁଆରୀ ମାସରେ ମଗନୱାଡି଼ ଥିଲା ଗାନ୍ଧୀଙ୍କ ଠିକଣା । ମୀରାବେନ୍ଙ୍କୁ ଆଶ୍ରମ ପାଇଁ ଏକ ଶାନ୍ତ ଯାଗା ଖୋଜିବାକୁ ଦାୟିତ୍ବ ଦେଇଥିଲେ ଗାନ୍ଧୀ । କୁହାଯାଏ ମୀରାବେନ ହିଁ ସେବାଗ୍ରାମ ବିଷୟରେ ଗାନ୍ଧୀଙ୍କୁ କହିଥିଲେ ।
ଆଦ୍ୟାଆଦି ନିବାସ ୧୯୩୬ ମସିହା ଅପ୍ରେଲ ୩୦ ତାରିଖରେ ପ୍ରଥମ ଥର ଗାନ୍ଧୀ ସେବାଗ୍ରାମ ଆଶ୍ରମ ଆସିଥିଲେ । ଏହା ପୂର୍ବରୁ ଅପ୍ରେଲ୍ ୧୭ ତାରିଖରେ ସେବାଶ୍ରମରେ ଥିବା ସି' ଗାଁ ଲୋକଙ୍କୁ ସେ ଭେଟିଥିଲେ । ଅପ୍ରେଲ ୩୦ ତାରିଖରେ ଗାନ୍ଧୀ ସେବାଶ୍ରମରେ ପହଞ୍ଚିବା ବେଳେ ସେଠାରେ କୌଣସି କୁଡ଼ିଆ ନଥିଲା । ବଗିଚାରେ ଥିବା ଏକ ପିଜୁଳି ଗଛ ମୂଳେ ରହିଥିଲେ ଗାନ୍ଧୀ ।
ସେଠାରେ ପ୍ରାୟ ଦିନ ଧରି ରହିଲେ । ଏହାପରେ ଗାନ୍ଧୀ ଜମନଲାଲ୍ ବଜାଜ୍ଙ୍କୁ ଏକ କୁଡ଼ିଆ ତିଆରି କରିବାକୁ କହିଲେ । ଜଣେ ସାଧାରଣ ଲୋକଙ୍କ ଘରି ଭଳି କୁଡ଼ିଆ ଚାହୁଁଥିଲେ ମହାତ୍ମା ଗାନ୍ଧୀ । କୁଡ଼ିଆ ତିଆରି ପାଇଁ ଦୁଇଶହ ଟଙ୍କାରୁ ଯେଭଳି ଅଧିକ ଖର୍ଚ୍ଚ ନହେବ ତାହାରି ଉପରେ ଧ୍ୟାନ ଦେବାକୁ କହିଥିଲେ । କେବଳ ସ୍ଥାନୀୟସମ୍ବଳ ଓ ଶ୍ରମିକଙ୍କୁ ନେଇ କୁଡି଼ଆ ତିଆରି କରିବାକୁ କହିଥିଲେ ଗାନ୍ଧିଜୀ।
ଏହାପରେ ୧୯୩୬ ମସିହା ବେଳକୁ ବାପୁଜୀ ମୀରାବେନ୍ଙ୍କ କୁଡ଼ିଆରେ ରହିବାକୁ ଲାଗିଲେ । ଆଜିର ଦିନରେ ଏହି କୁଡ଼ିଆ ବାପୁ କୁଟୀର ନାମରେ ପରିଚିତ । ପ୍ରଥମେ ଏହି କୁଡ଼ିଆ ଅତି ଛୋଟ ଥିଲା । କିନ୍ତୁ ବାପୁ ରହିବା ପରେ ଏହାକୁ ଧୀରେଧୀରେ ସଂପ୍ରସାରିତ କରାଯାଇଥିଲା । କୁଡ଼ିଆ ଭିତରେ ତିଆରି ହେଲା ଶୌଚାଳୟ ସହ ଔଷଧାଳୟ । ଏହା ସେହି ସ୍ଥାନ ଥିଲା ଯେଉଁଠି ବସୁଥିଲା ସ୍ବାଧାନୀତା ସଂଗ୍ରାମର ଗୁରୁତ୍ବପୂର୍ଣ୍ଣ ବୈଠକ ।
ସ୍ବାଧୀନତା ସଂଗ୍ରାମର ପ୍ରମୁଖ ସ୍ଥଳ ପାଲଟିଗଲା ସେବାଗ୍ରାମ । ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଏଠାରେ ହିଁ ନିଆଯାଉଥିଲା । ବହୁ ବଡ଼ବଡ଼ ବ୍ୟକ୍ତିତ୍ବ ଗାନ୍ଧୀଜିଙ୍କୁ ଭେଟିବାକୁ ଏଠାକୁ ଆସୁଥିଲେ ଓ ତାଙ୍କ ଠାରୁ ପରାମର୍ଶ ନେଉଥିଲେ ।
ସେବାଗ୍ରାମରେ କୌଣସି ଅନ୍ୟ କୁଡ଼ିଆ ନଥିବାରୁ ଗାନ୍ଧୀଙ୍କୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହାକୁ ଦୃଷ୍ଟିରେ ରଖି ଜମନଲାଲ ବଜାଜ୍ ବାପୁଜୀଙ୍କ ପାଇଁ ଏକ ସ୍ବତନ୍ତ୍ର କୁଡ଼ିଆ ତିଆରି କରିଥିଲେ । ଆଜି ବି ସେହି କୁଡ଼ିଆରେ ବାପୁଙ୍କ ଦ୍ବାରା ବ୍ୟବହୃତ ବହୁ ସାମଗ୍ରୀ ରହିଛି । ଏକ ଲଣ୍ଠନ, ରାମାୟଣ, ବାଇବେଲ୍ ଓ କୁରାନ ଏକ କପ୍ବୋର୍ଡରେ ସାଇତି ରଖାଯାଇଛି । ଏହାଛଡ଼ା ଏକ ପିବେଲ ପେପର୍, ଟୁଥ୍ପିକ୍, ଥୁକ୍ଦାନ୍, ପେନ୍, ପେନ୍ସିଲ୍ ଷ୍ଟାଣ୍ଡ, ତିନି ମାଙ୍କଡ଼ ପ୍ରତିମୂର୍ତ୍ତି, ଛୁଞ୍ଚି, ଜପାମାଳି, କାଠର ଟ୍ରଫି, ମାର୍ବଲପିବେଲ, ପିଠିକୁଣ୍ଡା ଆଦି ମଧ୍ୟ ରହିଛି । ଲର୍ଡ ଲିନ୍ ଲିଥ୍ ଗୋ ସେବାଶ୍ରମରେ ଏକ ହଟ୍ଲାଇନ ଫୋନ ମଧ୍ୟ ଲଗାଇଥିଲେ, ଯାହା ଦ୍ବାରା ସେ ସହଜରେ ଗାନ୍ଧୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ । ଭାରତ ଛାଡ଼ ଆନ୍ଦୋଳନର ମୂଳଦୁଆ ସେବାଶ୍ରମ ଥିଲା । ଏଠାରୁ ହିଁ ଏହି ସ୍ଲୋଗାନ ଦିଆଯାଇଥିଲା ।
ଏହାକୁ ନେଇ ୧୯୪୨ ମସିହା ଜୁଲାଇ ୯ ତାରିଖରେ ସେବାଗ୍ରାମରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ବ୍ରିଟିଶମାନଙ୍କୁ ଭାରତରୁ ତଡ଼ିବାକୁ ହେଉଥିବା ଆନ୍ଦୋଳନକୁ କେଉଁ ନାମ ଦିଆଯିବ ତାହା ସେବାଗ୍ରାମରେ ଆଲୋଚନା ହୋଇଥିଲା । ଏହି ଆନ୍ଦୋଳନକୁ ଏକ ସାଧାରଣ ନାମ ଦେବାକୁ ଚାହୁଁଥିଲେ ଗାନ୍ଧୀଜି । କିନ୍ତୁ ୟୁସୁଫ ଅଲି "ଗୋ ବ୍ୟାକ୍, କୁଇଟ୍ ଇଣ୍ଡିଆ" ସ୍ଲୋଗାନ ରଖିବାକୁ ପରାମର୍ଶ ଦେଇଥିଲେ । ଗାନ୍ଧୀଜି ଏହାକୁ ସମର୍ଥନ କରି ଭାରତ ଛାଡ଼ ନାରା ଦେଇଥିଲେ ।
ସ୍ବାଧୀନତା ପରେ ମଧ୍ୟ ବାପୁଜୀ ସେବାଗ୍ରାମକୁ ଆସିଥିଲେ । କିନ୍ତୁ ସ୍ବାଧୀନତା ସଂଗ୍ରାମ ବେଳେ ଏହି ସ୍ଥାନର ଯେଉଁଭଳି ଭାବରେ ଉନ୍ନତି ହୋଇଥିଲା ତାହା ଥିଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସ୍ବାଧିନତା ସଂଗ୍ରାମ ଯାତ୍ରାରେ ଦେଶର କେନ୍ଦ୍ରସ୍ଥଳ ପାଲଟିଥିଲା ସେବାଗ୍ରାମ ଆଶ୍ରମ । ବ୍ରିଟିଶ ଦାସତ୍ୱରୁ ଦେଶକୁ ମୁକ୍ତ କରିବାରେ ସାକ୍ଷୀ ରହିଛି ଏହି ଆଶ୍ରମ । ଆଜି ବି ଏହି ଆଶ୍ରମ ଦେଶ ପାଇଁ ପ୍ରେରଣାସ୍ଥଳୀ ପାଲଟିଛି । ଏଠାକୁ ଯେ କେହି ବି ଆସନ୍ତି ଆପେଆପେ ଜାଗ୍ରତ ହେଇଯାଏ ଦେଶଭକ୍ତିର ଭାବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ