ଅଯୋଧ୍ୟା: ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମଭୂମୀ ପବିତ୍ର ଅଯୋଧ୍ୟା ନଗରୀରେ ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିର । ଜାନୁଆରୀ 22 ତାରିଖରେ ମହାଆଡମ୍ବରରେ ଏହାର ଉଦଘାଟନ ହେବାକୁ ଥିବାବେଳେ ମନ୍ଦିରରେ ସ୍ଥାପିତ ହେବାକୁ ଥିବା ଭବ୍ୟ ମୂର୍ତ୍ତିର ଚୟନ ପ୍ରକ୍ରିୟା ଶେଷ ହୋଇଛି । 3ଟି ମୂର୍ତ୍ତି ଏହି ରେସରେ ଥିବାବେଳେ ଦେଶର ପ୍ରସିଦ୍ଧ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ଭଗବାନ ଶ୍ରୀରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ମୂର୍ତ୍ତିକୁ ଚୂଡାନ୍ତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏକ୍ସରେ ଲେଖିଛନ୍ତି, " ଯେଉଁଠି ରାମ ସେଠି ହନୁମାନ ଅଛନ୍ତି । ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମୂର୍ତ୍ତି ଚୟନ କରାଯାଇଛି । ଆମ ଦେଶର ପ୍ରସିଦ୍ଧ ମୂର୍ତ୍ତିକାର, ଆମର ଗୌରବ କର୍ଣ୍ଣାଟକର ଶିଳ୍ପୀ ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଭଗବାନ ଶ୍ରୀରାମଙ୍କ ମୂର୍ତ୍ତିକୁ ଅଯୋଧ୍ୟାରେ ସ୍ଥାପନ କରାଯିବ । ଏହା ରାମ ଓ ହନୁମାନଙ୍କ ମଧ୍ୟରେ ଅତୁଟ ସମ୍ପର୍କର ଏକ ଉଦାହରଣ ଅଟେ ।" ସେ ଆଉ ମଧ୍ୟ ଲେଖିଛନ୍ତି ଯେ, ଏଥିରେ କୌଣସି ଦ୍ବିମତ ନାହିଁ ଯେ ଏହା ପ୍ରଭୁ ହନୁମାନଙ୍କ ଜନ୍ମଭୂମୀ କର୍ଣ୍ଣାଟକରୁ ରାମଲଲାଙ୍କ ପାଇଁ ଏକ ମହତ୍ବପୂର୍ଣ୍ଣ ସେବା ଅଟେ ।
ଏହାପୂର୍ବରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ମୂର୍ତ୍ତିକାର ଯୋଗୀରାଜ ଅରୁଣଙ୍କ ଦ୍ବାରା ନିର୍ମିତ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ମୂର୍ତ୍ତିକୁ ଚୟନ କରାଯାଇଥିବା ନେଇ ସୂଚନା ଦେବା ସହ ଯୋଗୀରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଏନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଅଯୋଧ୍ୟା ରାମ ମନ୍ଦିରରେ ଯେଉଁ ରାମଲାଲା ମୂର୍ତ୍ତି ସ୍ଥାପନ ହେବାକୁ ଯାଉଛି ତାହା ମହୀଶୂରର ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମାଣ କରାଯାଇଛି । ଏହା ମହୀଶୂର ପାଇଁ ଗର୍ବର ବିଷୟ । ରାମଙ୍କ ପରମ ଭକ୍ତ ହନୁମାନଙ୍କ ଜନ୍ମଭୂମି କର୍ଣ୍ଣାଟକ ହୋଇଥିବାରୁ ପ୍ରଭୁ ଶ୍ରୀରାମ ଓ କର୍ଣ୍ଣାଟକ ମଧ୍ୟରେ ଏକ ଅବିସ୍ମରଣୀୟ ସମ୍ପର୍କ ରହିଛି । ସେ ଏନେଇ ଶିଳ୍ପୀ ଯୋଗୀରାଜ ଅରୁଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।
ଏହାମଧ୍ୟ ପଢନ୍ତୁ.. ହଜାର ବର୍ଷ ଆୟୁକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଛି ଭବ୍ୟ ରାମ ମନ୍ଦିର
ତେବେ ଏହାପୂର୍ବରୁ ରାମ ମନ୍ଦିରରେ ଗର୍ଭଗୃହରେ ଶ୍ରୀରାମଙ୍କ 5 ବର୍ଷର ବାଲ୍ୟ ସମୟର ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ହେବା ନେଇ ଚୟନ କରାଯାଇଥିଲା । ତେବେ ଜାନୁଆରୀ 22ରେ ଏହି ଭବ୍ୟ ମନ୍ଦିରର ଶୁଭ ଉଦଘାଟନ ହେବାକୁ ଥିବା ବେଳେ ଏହାକୁ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ