ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କ୍ବାସ ଫର କ୍ବାରୀ (ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ) ମାମଲାରେ ଲୋକସଭା ସାଂସଦ ପଦରୁ ବରଖାସ୍ତ ହୋଇଥିବା ଟିଏମସି ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ମାମଲାର ଆସନ୍ତାକାଲି (ଶୁକ୍ରବାର) ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ଜଷ୍ଟିସ ଏସବିଏନ ଭଟ୍ଟି ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବା ନେଇ ସୂଚନା ମିଳିଛି । ଏହି ବହୁଚର୍ଚ୍ଚିତ ମାମଲାରେ ଚଳିତ ଶୀତ ଅଧିବେଶନ ପ୍ରାରମ୍ଭରେ ମହୁଆଙ୍କୁ ଲୋକସଭାରୁ ବରଖାସ୍ତ କରାଯାଇଛି । ସଂସଦ ସଦାଚାର କମିଟିର କାର୍ଯ୍ୟାନୁଷ୍ଠାନ ସୁପାରିଶ ରିପୋର୍ଟ ଆଧାରରେ ଗୃହରେ ଆଗତ ହୋଇଥିବା ବରଖାସ୍ତ ପ୍ରସ୍ତାବ ବାଚନିକ ଭୋଟିଂରେ ପାରିତ ହୋଇଥିଲା । ଏହା ପରେ ଏହାକୁ ଅସମ୍ବାଧାନିକ ଦର୍ଶାଇ ସର୍ବୋଚ୍ଚ କୋର୍ଟରେ ଚ୍ଯାଲେଞ୍ଜ କରିଥିଲେ ମହୁଆ । ଯାହାର ଶୁଣାଣି ଆସନ୍ତକାଲି ହେବାକୁ ଯାଉଛି ।
ପଦରୁ ବରଖାସ୍ତ ହେବା ପରେ ସରକାରଙ୍କ ବିରୋଧରେ ବର୍ଷିବା ସହ କାର୍ଯ୍ୟାନୁଷ୍ଠାନକୁ କଙ୍ଗାରୁକୋର୍ଟରେ ମୃତ୍ୟୁଦଣ୍ଡ ସଦୃଶ୍ୟ ବୋଲି କହିଥିଲେ ମହୁଆ । ସରକାର ବିରୋଧୀଙ୍କୁ ଦମନ କରିବା ପାଇଁ ସଂସଦୀୟ କମିଟିକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ସେ କେବଳ ଗୃହର ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ସଦାଚାର କମିଟି ତଦନ୍ତରେ ଦର୍ଶାଇଥିଲା । ହେଲେ ତାଙ୍କ ବିରୋଧରେ ଆସିଥିବା ଟଙ୍କା ଓ ଉପହାର ସଂଗ୍ରହ କରିଥିବା ଅଭିଯୋଗ ମିଥ୍ୟା ଓ ତାହା ପ୍ରମାଣିତ ହୋଇପାରିନି । ସେ ଟଙ୍କା କିମ୍ବା ଦାମି ଉପହାର ଗ୍ରହଣ କରିଥିବା ନେଇ କୌଣସି ତଥ୍ୟ ପ୍ରମାଣ ମଧ୍ୟ କାହା ନିକଟରେ ନାହିଁ । ଏପରି ସ୍ଥଳେ ତାଙ୍କୁ କିପରି ଦଣ୍ଡିତ କରାଗଲା ବୋଲି ମହୁଆ ପ୍ରଶ୍ନ କରିଥିଲେ ।
କ’ଣ କ୍ବାସ ଫାର କ୍ବାରୀ ମାମଲା ?
ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସିର ଏହି ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବାର ଅଭିଯୋଗ ଆଣିଥିଲେ । ସଂସଦରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ପ୍ରଶ୍ନ କରିବାକୁ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ନଗଦ ଟଙ୍କା ଓ ଉପହାର ନେଇଥିବା ଅଭିଯୋଗ କରି ବାଚସ୍ପତିଙ୍କୁ ଚିଠି ଲେଖିଥିଲେ ଦୁବେ । ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଲୋକସଭା ଏଥିକ୍ସ କମିଟି ଏହି ମାମଲାର ତଦନ୍ତ କରିଥିଲା ।
ଅଭିଯୋକାରୀ ସାଂସଦ ନିଶିକାନ୍ତ ଦୁବେ, ମହୁଆ ମୋଇତ୍ରା ଓ ସୁପ୍ରିମକୋର୍ଟ ଆଇନବୀଜୀ ଜୟଅନନ୍ତ ଦେହାଦ୍ରାହୀଙ୍କୁ ଏଥିକ୍ସ କମିଟି ଜେରା ମଧ୍ୟ କରିଥିଲା । ଏହା ପରେ କମିଟି ମହୁଆଙ୍କୁ ସଂସଦ ପଦରୁ ବରଖାସ୍ତ କରିବା ପାଇଁ ବାଚସ୍ପତିଙ୍କୁ ସୁପାରିଶ କରିଥିଲା । ଏପରି କାର୍ଯ୍ୟାନୁଷ୍ଠାନ କ୍ଷମତା ଏଥିକ୍ସ କମିଟିର ନାହିଁ ଓ ଟଙ୍କା ନେବା କଥା ମଧ୍ୟ ପ୍ରମାଣିତ ହୋଇପାରିଲା ନାହିଁ ବୋଲି ମହୁଆ କହିଛନ୍ତି । କାଲି ସର୍ବୋଚ୍ଚ କୋର୍ଟଙ୍କ ଟିପ୍ପଣୀ ଉପରେ ସମସ୍ତଙ୍କ ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ