ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭିଡିଓ ମାମଲାରେ ଘରୋଇ ଟିଭି ଚ୍ୟାନେଲର ଆଙ୍କର ରୋହିତ ରଂଜନଙ୍କୁ ଆଶ୍ବସ୍ତି ମିଳିଛି । ରାଜସ୍ଥାନ କିମ୍ବା ଛତିଶଗଡ ପୋଲିସ କେହି ମଧ୍ୟ ରୋହିତଙ୍କୁ ଗିରଫ କରିପାରିବେ ନାହିଁ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏପରିକି ରୋହିତଙ୍କ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ ।
ପ୍ରକାଶଯୋଗ୍ୟ ଯେ, ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ଓ୍ବାଇନାଡରେ ତାଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା କରିବା ମାମଲାରେ ବୟାନ ଦେଇଥିଲେ । ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ଘଟଣାରେ ଏହା ରାହୁଲଙ୍କ ପ୍ରତିକ୍ରିୟା ଭାବେ ପ୍ରସାରଣ କରିଥିଲେ ଉପସ୍ଥାପକ ରୋହିତ ରଞ୍ଜନ । ଏହି ଘଟଣାରେ ଆଙ୍କର ରୋହିତଙ୍କ ବିରୋଧରେ ରାଜସ୍ଥାନ, ଛତିଶଗଡ, ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟରେ ମାମଲା ମଧ୍ୟ ରୁଜୁ ହୋଇଥିବା । ପରେ ଉକ୍ତ ଗଣମାଧ୍ୟମ ସଂସ୍ଥା ଏହା ମାନବୀୟ ବୋଲି ତ୍ରୁଟି ସ୍ବୀକାର କରିବା ସହ କ୍ଷମା ମଧ୍ୟ ମାଗିଥିଲେ ।
ତେବେ ସ୍ଥାନୀୟ ପୋଲିସକୁ ସୂଚନା ନଦେଇ ତାଙ୍କୁ ହଠାତ ଗିରଫ କରିବା କେତେ ଦୂର ଠିିକ ତାକୁ ନେଇ ଟ୍ବିଟ କରିଥିଲେ ଆଙ୍କର ରୋହିତ । ସେ ଟ୍ବିଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତର ପ୍ରଦେଶ ପୋଲିସ ଠାରୁ ସୁରକ୍ଷା ମଧ୍ୟ ଚାହିଁଥିଲେ ।
ହେଲେ ଛତିଶଗଡ ପୋଲିସର ଏକ ଟିମ୍ ଆଙ୍କର ରୋହିତ ରଂଜନଙ୍କୁ ଗିରଫ କରିବା ପାଇଁ ହଠାତ ନୋଏଡାସ୍ଥିତ ଚ୍ୟାନେଲ କାର୍ଯ୍ୟାଳୟରେ ପହଞ୍ଚି ଗିରଫ କରିଥିଲା । ଏହାସହ ରାୟପୁର ପୋଲିସ ଗତକାଲି ରୋହିତଙ୍କୁ ପଳାତକ ଘୋଷଣା କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ