ନୂଆଦିଲ୍ଲୀ: ସାରା ଦେଶରେ ମେଡିକାଲ ଅମ୍ଳଜାନ ଯୋଗାଣକୁ ସୁନିଶ୍ଚିତ ଓ ସହଜ କରିବା ପାଇଁ ସୁପ୍ରିମକୋର୍ଟ 12 ସଦସ୍ୟ ବିଶିଷ୍ଟ ଜାତୀୟ ଟାସ୍କ ଫୋର୍ସ ଗଠନ କରିଥିଲେ । ଏହି ଫୋର୍ସର ପ୍ରଥମ ବୈଠକ ରବିବାର ଅନୁଷ୍ଠିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ଫୋର୍ସରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ସ୍ବାସ୍ଥ୍ୟ ବିଭାଗର କିଛି ଅଧିକାରୀମାନଙ୍କୁ ସାମିଲ କରାଯାଇଛି ।
ଜାତୀୟ ଟାସ୍କ ଫୋର୍ସର ସମସ୍ତ ସଦସ୍ୟ ଅମ୍ଳଜାନ ଉତ୍ପାଦନ କ୍ଷମତା ବୃଦ୍ଧି ତଥା ଏହାକୁ ସାରା ଦେଶରେ ପହଞ୍ଚାଇବା ପ୍ରକ୍ରିୟାକୁ ସୁନିଶ୍ଚିତ କରିବାରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଦ୍ବାରା କରାଯାଇଥିବା ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଅମ୍ଳଜାନ ଉତ୍ପାଦନ ଓ ଉପଲବ୍ଧତା ବୃଦ୍ଧି, ମେଡିକାଲ ଅମ୍ଳଜାନର ଚାହିଦାର ପରିଚାଳନା ଆଦି ସମ୍ପର୍କରେ ଫୋର୍ସର ସଦସ୍ୟମାନେ ପରାମର୍ଶ ଦେଇଛନ୍ତି। ଅକ୍ସିଜେନ ଯୋଗାଣକୁ ସଠିକ ଭାବରେ ଚାଲୁ ରଖିବା ପାଇଁ ଜାତୀୟ ଟାସ୍କ ଫୋର୍ସ ଏହାର ବିଚାର ବିମର୍ଶ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ।
ଜାତୀୟ ଟାସ୍କ ଫୋର୍ସ ସଦସ୍ୟମାନଙ୍କ ମଧ୍ୟରେ ରହିଛନ୍ତି କୋଲକାତାର ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଭାବତୋଷ ବିଶ୍ବାସ, ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲର ପରିଚାଳନା ବୋର୍ଡର ଚେୟାରମ୍ୟାନ ଦେବେନ୍ଦ୍ର ସିଂ ରାଣା, ବେଙ୍ଗାଲୁରୁର ନାରାୟଣ ସ୍ବାସ୍ଥ୍ୟସେବାର ଅଧ୍ୟକ୍ଷ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବୀ ପ୍ରସାଦ ସେଟ୍ଟୀ, ଖ୍ରୀଷ୍ଟିଆନ ମେଡିକାଲ କଲେଜର ପ୍ରଫେସର ଗଗନଦୀପ କାଙ୍ଗ ଓ ଅନ୍ୟମାନଙ୍କୁ ସାମିଲ କରାଯାଇଛି ।
ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ କେନ୍ଦ୍ର ସଚିବ (MoRTH) ଗିରିଧର ଆରାମନେ ଉପସ୍ଥିତ ରହିଥିବା ବେଳେ ନୀତି ଆୟୋଗର ସଦସ୍ୟ ଭି.କେ ପଲ, ଏମ୍ସ ନୂଆଦିଲ୍ଲୀର ନିର୍ଦ୍ଦେଶକ ରନଦୀପ ଗୁଲେରିଆ, ICMRର ଡିଜି ବଳରାମ ଭାର୍ଗଭା ପ୍ରମୁଖଙ୍କୁ ସ୍ବତନ୍ତ୍ର ଭାବେ ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ