ଡେରାଡୁନ: ଦେଶବ୍ୟାପୀ ପରିବେଶ ସୁରକ୍ଷା ବାର୍ତ୍ତା ପହଞ୍ଚାଇବା ପାଇଁ ସାଇକେଲ ଯାତ୍ରା କରୁଥିବା ଭୁବନେଶ୍ୱରର 26 ବର୍ଷିୟ ସତ୍ୟବ୍ରତ ଦାସଙ୍କୁ ଉତ୍ତରାଖଣ୍ଡରେ ଭବ୍ୟ ସ୍ବାଗତ । ଉତ୍ତରାଖଣ୍ଡରେ ଉଖିମାଥ ଗ୍ରାମବାସୀ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ସେ କେଦାରନାଥ ଧାମ ପରିଦର୍ଶନ କରିବା ପରେ ଉଖିମାଥରେ ଗ୍ରାମବାସୀଙ୍କ ସହ କିଛି ଆଲୋଚନା କରି ବଦ୍ରିନାଥ ଅଭିମୁଖେ ଯାତ୍ରା କରିଛନ୍ତି ।
ବଦ୍ରିନାଥ ଦର୍ଶନ ପରେ ସେ ସାଇକେଲ ଯୋଗେ ଲଦାଖ, ବୌଷ୍ଣୋ ଦେବୀ ଯିବେ । ଏହା ବ୍ୟତୀତ ଅନ୍ୟ ଚାରିଟି ରାଜ୍ୟକୁ ସାଇକେଲରେ ପରିଦର୍ଶନ କରିବା ପରେ ତାଙ୍କର ସାଇକେଲ ଯାତ୍ରା ଶ୍ରୀଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରେ ଶେଷ ହେବ । ଏପର୍ଯ୍ୟନ୍ତ ସେ ପ୍ରାୟ 14 ଟି ରାଜ୍ୟ ସାଇକେଲ ଚଳାଇ ପ୍ରାୟ 8 ହଜାର 830 କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି । ତେବେ ସତ୍ୟବ୍ରତ ଦେଶବ୍ୟାପୀ ୨୨ଟି ରାଜ୍ୟ ସାଇକେଲରେ ପରିଭ୍ରମଣ କରିବାର ଲକ୍ଷ୍ୟ ରଖିଛନ୍ତି ।
ତେବେ ଏପ୍ରିଲ୍ 5 ରେ ସତ୍ୟବ୍ରତ ଦାସ ଶ୍ରୀଜଗନ୍ନାଥ ଧାମ ପୁରୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ ସମେତ 14 ଟି ରାଜ୍ୟରେ ସାଇକେଲ ଚଳାଇବା ପରେ ସତ୍ୟବ୍ରତ ଦାସ ଜୁଲାଇ 2 ରେ ହରିଦ୍ୱାରରେ ପହଞ୍ଚିଥିଲେ । ହରିଦ୍ୱାରରେ ପହଞ୍ଚିବା ପରେ କେଦାରନାଥ ଦର୍ଶନ କରି ବୁଧବାର ଉଖିମାଥରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।