ନୂଆଦିଲ୍ଲୀ: ସଂସଦରେ ବିଶୃଙ୍ଖଳା ସୃଷ୍ଟି କରିବା ଓ ମନ୍ତ୍ରୀଙ୍କ ଉପରେ କାଗଜ ଫୋପାଡିବା ତୃଣମୂଳ ରାଜ୍ୟସଭା ସାଂସଦ ଶାନ୍ତନୁ ସେନଙ୍କୁ ପଡିଛି ମହଙ୍ଗା । ମୌସୁମୀ ଅଧିବେଶନର ଅବଶିଷ୍ଟ ଦିବସରୁ ତାଙ୍କୁ ନିଲମ୍ବିତ କରାଯାଇଛି ।
ଆଜି (ଶୁକ୍ରବାର) ପୂର୍ବାହ୍ନ ୧୧ଟାରେ ରାଜ୍ୟସଭା ଆରମ୍ଭ ହେବା କ୍ଷଣି ତାମିଲନାଡୁର ଦିବଂଗତ ପୂର୍ବତନ ସାଂସଦଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସେହିପରି ବିହାରରୁ ମଧ୍ୟ ସାଂସଦ ଥିବା ବିଜୟ ସିଂ ଯାଦବଙ୍କ ନିଧନରେ ମଧ୍ୟ ରାଜ୍ୟସଭା ଶ୍ରଦ୍ଧାଞ୍ଜଳି ଦେଇଥିଲା । ପରେ ଆଜି(ଶୁକ୍ରବାର) କାର୍ଯ୍ୟାବଳୀ ଉପରେ ଅଧ୍ୟକ୍ଷ ରାଜ୍ୟସଭାରେ ପ୍ରୋସିଡିଂ କରିବା ପରେ ମୋସନ ଆଗତ କରିବା ପାଇଁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୁରଲିଧରନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ପରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୁରଲିଧରନ ତୃଣମୂଳ ସାଂସଦ ଶାନ୍ତନୁ ସେନଙ୍କୁ ଅଧିବେଶନର ଅବଶିଷ୍ଟ ଦିବସରୁ ନିଳମ୍ବିତ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ପରେ ପ୍ରସ୍ତାବ ଧ୍ବନି ମତରେ ରାଜ୍ୟସଭାରେ ଗୃହୀତ ହୋଇଥିଲା । ଏହାପରେ ଅଧ୍ୟକ୍ଷ ଶାନ୍ତନୁଙ୍କୁ ରାଜ୍ୟସଭାରୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ବିରୋଧ କରିଥିଲେ ଟିଏମସି ସାଂସଦମାନେ ।
ଅନ୍ୟପଟେ ଘଟଣାକୁ ନେଇ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟିଏମସି ଉପରେ କଡା ପ୍ରହାର କରିଛନ୍ତି । ତୃଣମୂଳ କଂଗ୍ରେସ ବଙ୍ଗାଳ ପ୍ରଦେଶରେ ଯେଉଁ ଅପସଂସ୍କୃତି ଅପବ୍ୟବହାର ଚଳାଇଛି ତାହା ସଂସଦରେ ମଧ୍ୟ କରିବା ପାଇଁ ପ୍ରୟାସ କରିଛି । ଟିଏମସିକୁ ପ୍ରଶ୍ନ କରି ଅଶ୍ବିନୀ କହିଛନ୍ତି ଏଭଳି ଆଚରଣ କରି ଆମେ ଆମର ପରବର୍ତ୍ତୀ ପିଢିଙ୍କୁ କଣ ସନ୍ଦେଶ ଦେବ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ