ନୂଆଦିଲ୍ଲୀ: ସାଂସ୍କୃତିକ ବନ୍ଧନ ସୁଦୃଢ଼ କରିବାରେ ସଂସ୍କୃତ ଗୁରତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ତେଣୁ ସଂସ୍କୃତି ଭାଷାର ଅଧିକ ବ୍ୟବହାର ପାଇଁ ଦେଶବାସୀଙ୍କୁ ମନ୍ କି ବାତ୍ ମାଧ୍ୟମରେ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ସଂସ୍କୃତକୁ ଜନପ୍ରିୟ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିଷୟରେ ଜାଣିବାକୁ ଚାହୁଁଥିଲେ, ‘ସେଲିବ୍ରେଟିଂ ସାଂସ୍କ୍ରିଟ୍’ ବ୍ୟବହାର କରି ସାମାଜିକ ଗଣମାଧ୍ୟମରେ ସେମାନଙ୍କ ସମ୍ବନ୍ଧରେ ଲେଖିବା ଆରମ୍ଭ କରନ୍ତୁ । ରେଡିଓରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ୮୦ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ କିମ୍ବଦନ୍ତୀ ପୁରୁଷ ହକି ତାରକା ମେଜର ଧ୍ୟାନ ଚାନ୍ଦଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୋଦି । ଦେଶବାସୀଙ୍କୁ ଜାତୀୟ କ୍ରୀଡା ଦିବସର ଶୁଭେଚ୍ଛା ଦେଇଛନ୍ତି ।
ଏଥିସହ ନିକଟରେ ଅନୁଷ୍ଠିତ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ପ୍ରଦର୍ଶନକୁ ବେଶ୍ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତି ପଦକର ଗୁରୁତ୍ବ ରହିଛି । ଯଦି ଧ୍ୟାନ୍ ଚାନ୍ଦ ଥାଆନ୍ତେ ତେବେ ୪୦ ବର୍ଷ ପରେ ହକିରେ ଭାରତ ଅଲିମ୍ପିକ୍ସ ବିଜୟରେ ଖୁବ୍ ଆନନ୍ଦିତ ହୋଇଥାନ୍ତେ । ଗ୍ରାମ, ନଗର, ସହରରେ ଥିବା କ୍ରୀଡ଼ାକ୍ଷେତ୍ରକୁ ସମର୍ଥନ ଜଣାଇବା ଉଚିତ୍ । ସମସ୍ତଙ୍କ ଭାଗିଦାରୀ ଦ୍ବାରା ହିଁ ଭାରତ କ୍ରୀଡ଼ା କ୍ଷେତ୍ରରେ ଶିଖରକୁ ସ୍ପର୍ଶ କରି ପାରିବ । ସେହିପରି ଦେଶବାସୀଙ୍କୁ ଜନମାଷ୍ଟମୀର ଶୁଭେଚ୍ଛା ଜଣାଇ ଇସ୍କନ୍ରେ କାର୍ଯ୍ୟରତ ଆମେରିକୀୟ ନାଗରିକ ଯଦୁରାଣୀ ଦାସୀଙ୍କ ସହ ହୋଇଥିବା ସାକ୍ଷାତ୍ କଥା ମଧ୍ୟ ସ୍ମରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ବି ଆମେ ‘ସ୍ବଚ୍ଛ ଭାରତ’ କଥା କହୁ, ଇନ୍ଦୋର ନାଁ ଆପଣାଛାଏଁ ମନକୁ ଆସିଯାଏ । ସ୍ବଚ୍ଛ ଭାରତରେ ଇନ୍ଦୋର୍ ପ୍ରଥମ ସ୍ଥାନରେ ରହିଛି । କିନ୍ତୁ, ଇନ୍ଦୋରବାସୀ ସେତିକିରେ ସନ୍ତୁଷ୍ଟ ନୁହନ୍ତି। ସେମାନେ ଏହାକୁ ଦେଶର ପ୍ରଥମ ‘ୱାଟର୍ ପ୍ଲସ୍ ସିଟି’ କରିବାରେ ଲାଗିପଡ଼ିଛନ୍ତି । ଏଥିପାଇଁ ଇନ୍ଦୋରବାସୀଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ମୋଦି ।
ସେହିପରି ପୂର୍ବପରି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ଯୁବକଙ୍କ ଦକ୍ଷତା ଉପରେ ଗୁରୁତ୍ବାରୋପ କରିଛନ୍ତି । ବର୍ତ୍ତମାନର ଯୁବପିଢି ଗତାନୁଗତିକ ଚିନ୍ତାଧାରା ଉପରେ ବିଶ୍ବାର କରନ୍ତି ନାହିଁ ବୋଲି ସେ କହିଛନ୍ତି । ମହାକାଶ କ୍ଷେତ୍ରରେ ଭାରତର ସଂସ୍କାର ମଧ୍ୟ ଯୁବକର କଳ୍ପନାକୁ ଅକ୍ତିଆର କରିଛି । ତରୁଣ ହେଉ କି, ତରୁଣୀ, ଯେକୌଣସି ଯୁବାଙ୍କୁ କ’ଣ କରିବ ବୋଲି ପଚାରିଲେ ସମସ୍ତଙ୍କର ଉତ୍ତର ଏକା ଆସୁଛି । ତାହା ହେଲା, ନୂଆ କିଛି କରି ଦେଖାଇବୁ । ଆମ ଦେଶରେ ମଧ୍ୟ ଯୁବପିଢିକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ମାଧ୍ୟମ ରହିଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏବେ ‘ମନ୍କି ବାତ୍’ କେବଳ ଭାରତ ମଧ୍ୟରେ ସୀମିତ ହୋଇ ନାହିଁ, ସମଗ୍ର ବିଶ୍ବର ଲୋକେ ଏବେ ଏ ବିଷୟରେ ଚର୍ଚ୍ଚା କରୁଛନ୍ତି । ବିଦେଶରେ ବସବାସ କରୁଥିବା ଭାରତୀୟମାନଙ୍କ ଠାରୁ ମୁଁ ଖବର ପାଇଛି ବୋଲି ମୋଦି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ