ମୁମ୍ବାଇ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆରଏସ୍ଏସ୍ ଓ ଚୀନର ସୀମା ପାର ସମ୍ବନ୍ଧୀୟ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସଞ୍ଜୟ ରାୱତ । କେନ୍ଦ୍ର ସରକାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର କର୍ମକର୍ତ୍ତାଙ୍କୁ ଅନେକ ଅନୁଷ୍ଠାନରେ ନିୟୋଜିତ କରିଛନ୍ତି । ଏହି କର୍ମକର୍ତ୍ତାଙ୍କ ଦ୍ବାରା ଦେଶ ଚାଲୁଛି ବୋଲି ରାହୁଲ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ସମ୍ପୂର୍ଣ୍ଣ ସତ ବୋଲି କହିଛନ୍ତି ସଞ୍ଜୟ । ସେମାନେ ଦେଶର ସଂସ୍କୃତି ଓ ଇତିହାସକୁ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସଞ୍ଜୟ କହିଛନ୍ତି ।
ରାହୁଲ ଲଦାଖ ଗସ୍ତରେ ଥିବା ବେଳେ ଆରଏସ୍ଏସ୍କୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀମାନେ କୌଣସି ନିଷ୍ପତ୍ତି ନେଉ ନାହାଁନ୍ତି । ଆରଏସ୍ଏସ୍ ଦ୍ବାରା ବିଭିନ୍ନ ସ୍ଥାନରେ ପ୍ରତିନିଧିତ୍ବ କରୁଥିବା କର୍ମକର୍ତ୍ତାମାନେ ପ୍ରକୃତ ମନ୍ତ୍ରଣାଳୟ ଚଳାଉଛନ୍ତି ଏବଂ ସେମାନେ ହିଁ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେଉଛନ୍ତି । ରାହୁଲଙ୍କ ଏଭଳି ଅଭିଯୋଗକୁ ସମର୍ଥନ କରିଛନ୍ତି ସଞ୍ଜୟ । ରାହୁଲ ଯାହା କହିଛନ୍ତି ଏକଦମ ସତ କଥା କହିଛନ୍ତି ଏବଂ ଏପରି ଦେଶର ଶାସନ ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି ।
ଏହା ବି ପଢନ୍ତୁ- ଲଦାଖରୁ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ: ସୀମା ପାର କରିଛି ଚୀନ, ଏମିତି ଜବାବ ଦେଲା BJP
ସଞ୍ଜୟ ଆହୁରି କହିଛନ୍ତି, "ବିଜେପି ଓ ଆରଏସଏସର ଅନେକ କର୍ମକର୍ତ୍ତା ଦେଶର ବିଭିନ୍ନ ସାମ୍ବିଧାନିକ ଅନୁଷ୍ଠାନରେ ମୁତୟନ ହୋଇଛନ୍ତି । ଆଉ ସେମାନେ ଦେଶର ସଂସ୍କୃତି ଓ ଇତିହାସ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ।" ରାହୁଲଙ୍କ ଚୀନ ମନ୍ତବ୍ୟକୁ ସମର୍ଥନ ଜଣାଇ ସଞ୍ଜୟ କହିଛନ୍ତି,"ଚୀନ ଭାରତର ଜମିକୁ କବ୍ଜା କରିଛି । ଏନେଇ ପ୍ରମାଣ ମଧ୍ୟ ରହିଛି । ଯଦି ପ୍ରତିରକ୍ଷା ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏହାକୁ ଗ୍ରହଣ କରିବେ ନାହିଁ, ତେବେ ଏହା ଭାରତ ମାତା ପ୍ରତି ଅନ୍ୟାୟ ହେବ । ଯଦି ରାହୁଲ ଗାନ୍ଧୀ ଏନେଇ କହୁଛନ୍ତି ତେବେ ସେ କିଛି ଭାବି ଚିନ୍ତି କହୁଥିବେ ।"
ରାହୁଲ ନିଜ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ 79ତମ ଜନ୍ମ ବାର୍ଷିକୀ ପାଳନ କରିବା ଲାଗି ସେ ଲଦାଖ ଗସ୍ତରେ ରହିଛନ୍ତି । ଏହି ସମୟରେ ବିଜେପି ସରକାରଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, "ଭାରତ ସରକାର କହୁଛନ୍ତି ଇଞ୍ଚେ ବି ଜମି ଚୀନକୁ ଦିଆଯିବ ନାହିଁ । ହେଲେ ଏହା ସତ୍ୟ ନୁହେଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଚୀନ ସେନା ସେମାନଙ୍କ ଚାଷଜମି ଉପରେ କବଜା କରୁଛନ୍ତି । ହେଲେ ଏପଟେ ପ୍ରଧାନମନ୍ତ୍ରୀ କହୁଛନ୍ତି ଚୀନକୁ ଇଞ୍ଚେ ଜମି ଦିଆଯିବ ନାହିଁ । ଦେଶବାସୀ ଏହାର ସତ୍ୟତା ଜାଣିବା ଲାଗି ସ୍ଥାନୀୟ ବାସିନ୍ଦାଙ୍କୁ ପଚାରି ପାରିବେ ।"