ଜୟପୁର: ରାଜସ୍ଥାନର ଚର୍ଚ୍ଚିତ ଯୁବନେତା ସଚିନ ପାଇଲଟ ଓ ତାଙ୍କ ପତ୍ନୀ ସାରା ପାଇଲଟ ଆଉ ଦାମ୍ପତ୍ୟ ଜୀବନରେ ନାହାନ୍ତି । ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଛି । ଆଜି ସଚିନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଦାଖଲ କରିଥିବା ନାମାଙ୍କନପତ୍ରରେ ପ୍ରଦାନ କରିଥିବା ତଥ୍ୟରେ ଏହା ସାମ୍ନାକୁ ଆସିଛି । ନାମାଙ୍କନରେ ସଚିନ ନିଜ ବ୍ୟକ୍ତିଗତ ସୂଚନାରେ ନିଜକୁ ବିବାହିତ ପରିବର୍ତ୍ତେ ଛାଡପତ୍ର ହୋଇସାରିଥିବା ଦର୍ଶାଇଛନ୍ତି । ପୂର୍ବରୁ ଉଭୟଙ୍କ ଦାମ୍ପତ୍ୟ ବିବାଦ ନେଇ କୌଣସି ଚର୍ଚ୍ଚା ମଧ୍ୟ ନଥିଲା । ତେବେ କେବେ ଉଭୟଙ୍କ ମଧ୍ୟରେ ଏହି ବିଚ୍ଛେଦ ହୋଇଛି ତାହା ସ୍ପଷ୍ଟ ହୋଇନି । ଗତ ନିର୍ବାଚନରେ (2018)ରେ ସଚିନ ନିଜକୁ ବିବାହିତ ବୋଲି ଦର୍ଶାଇଥିଲେ । ପତ୍ନୀଙ୍କ ନାମ ସ୍ଥାନରେ ସାରା ପାଇଲଟଙ୍କ ନାମ ଉଲ୍ଲେଖ କରିଥିଲେ ।
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଚିନ ଓ ସାରା 2004 ରେ ବିବାହ କରିଥିଲେ । ଉଭୟଙ୍କର ଦୁଇ ପୁତ୍ର ସନ୍ତାନ ରହିଛନ୍ତି । ଏହି ଦୁଇ ପୁଅ ଏବେ ସଚିନଙ୍କ ସହିତ ରହିଥିବା ସଚିନ ନିଜ ନାମାଙ୍କନପତ୍ର ତଥ୍ୟରେ ଦର୍ଶାଇଛନ୍ତି । ସାରା ହେଉଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ଝିଅ ଓ ଓମାର ଅବଦୁଲ୍ଲାଙ୍କ ଭଉଣୀ । ତେବେ 2014 ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବା ନେଇ ଚର୍ଚ୍ଚା ହୋଇଥିଲା । ସେତେବେଳେ ସଚିନ ନିଜେ ଏହାକୁ ଖଣ୍ଡନ କରିବା ସହ ଗୁଜବ ବୋଲି କହିଥିଲେ ।
ଏହା ମଧ୍ୟ ପଢନ୍ତୁ :- Apple Notification: ବିପକ୍ଷ ନେତାଙ୍କ କରାଯାଇଛି ଫୋନ ହ୍ୟାକ ! ସରକାରଙ୍କୁ କଡା ସମାଲୋଚନା
ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାବିଦାର ଓ କଂଗ୍ରେସ ଅନ୍ତକନ୍ଦଳର ଅନ୍ୟତମ ପ୍ରମୁଖ ଚେହେରା ଭାବେ ସଚିନଙ୍କୁ ନେଇ ଚର୍ଚ୍ଚା ରହିଛି । ଚଳିତ ଥର ମଧ୍ୟ ସେ ଟୋଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେ ଆଜି ଟୋଙ୍କ ଆସନ ପାଇଁ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତେବେ ସେ ନାମାମଙ୍କରେ ତାଙ୍କ ବିବାହ ବିଚ୍ଛେଦ ହୋଇସାରିଥିବା ଦର୍ଶାଇଛନ୍ତି । ସେହିପରି ତାଙ୍କ ସମ୍ପତ୍ତି ପରିମାଣରେ ମଧ୍ୟ ବୃଦ୍ଧି ଘଟିଛି । 2018 ରେ ଦାଖଲ ତଥ୍ୟ ଅନୁସାରେ, ତାଙ୍କ ମାଲିକାନାରେ ମୋଟ 3.8 କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ 2023 ରେ ଏହା ବୃଦ୍ଧି ପାଇ 7.5 କୋଟିରେ ପହଞ୍ଚିଛି ।
ବ୍ୟୁରୋ ରିପୋେର୍ଟ, ଇଟିଭି ଭାରତ