ଗାନ୍ଧୀନଗର: ମହାତ୍ମା ଗାନ୍ଧିଜୀ ଏବଂ ସାବରବତୀ ଆଶ୍ରମର ଥିଲା ଅନନ୍ୟ ସମ୍ପର୍କ । ଦକ୍ଷିଣ ଆଫ୍ରିକାରୁ ପହଞ୍ଚିବା ପରେ ଗାନ୍ଧିଜୀ ଅହମ୍ମଦାବାଦରେ ଏକ ଆଶ୍ରମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ 1917 ମସିହାରେ ସାବରମତୀ ଆଶ୍ରମ ପ୍ରତିଷ୍ଠା କରିଥିଲେ । ତଥାପି ସାବରମତୀ ଆଶ୍ରମ ପୂର୍ବରୁ ସେ କୋଚରବ ଆଶ୍ରମରେ ଦୁଇ ବର୍ଷ ରହିଥିଲେ । ପ୍ରେମଚାନ୍ଦଭାଇ ଆଶ୍ରମ ତିଆରି କରିବା ପାଇଁ ୨୫୫୬ ଟଙ୍କାରେ ନଦୀକୂଳରେ ୧ ଏକର ଜମି ଦେଇଥିଲେ । ଏହାପରେ ଗାନ୍ଧିଜୀ ଆଶ୍ରମ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଆଶ୍ରମ ହେବା ପରେ ସେ କୋଚରବ ଆଶ୍ରମରୁ ଏଠାକୁ ରହିବା ପାଇଁ ଆସିଥିଲେ ।
ଆଶ୍ରମକୁ ନେଇ ଗାନ୍ଧିଜୀଙ୍କ ମନରେ ଥିଲା ଏକ ସ୍ବତନ୍ତ୍ର ବିଚାର । ଯାହାକି ନିଜର ବିକାଶ ସହିତ ସମାଜର ମଧ୍ୟ ଉନ୍ନତି ସାଧିତ କରିପାରିବ । ସାବରମତୀ ନଦୀକୂଳରେ ଗାନ୍ଧିଜୀଙ୍କ ଏହି ବିଚାର ପୂର୍ଣ୍ଣ ହୋଇଥିଲା । ଏଥିଲାଗି ବାପୁଙ୍କୁ ସାବରମତୀ ଆଶ୍ରମ ବହୁତ ପସନ୍ଦ ଥିଲା । ଏହି ସ୍ଥାନରେ ଆଶ୍ରମ ତିଆରି କରିବା ପାଇଁ ଉପଯୁକ୍ତ ସ୍ଥାନ ବୋଲି ସେତେବେଳେ ଗାନ୍ଧିଜୀ କହିଥିଲେ । କାରଣ ଏହାର ଗୋଟିଏ ପାର୍ଶ୍ବରେ ଶ୍ମଶାନ ଥିବାବେଳେ ଅନ୍ୟ ପାର୍ଶ୍ବରେ ଥିଲା କାରାଗାର । ଯେଉଁ ସତ୍ୟାଗ୍ରହୀ ଏହି ଆଶ୍ରମକୁ ଆସିବ ତା' ନିକଟରେ ୨ଟି ବିକଳ୍ପ ଥିବ । ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇ ଜେଲ ଦଣ୍ଡ ଭୋଗିବା ନଚେତ ନିଜ ଜୀବନକୁ ଦେଶ ମାତୃକା ପାଇଁ ବଳିଦାନ ଦେବା ।
ଗାନ୍ଧିବାଦୀଙ୍କ ଜୀବନ ଥିଲା ଅତି ସାଧାରଣ । ଯାହାର ଝଲକ ଏହି ସାବରମତୀ ଆଶ୍ରମରେ ଦେଖିବାକୁ ମିଳୁଥିଲା । ଅନ୍ୟପଟେ ଆଶ୍ରମରେ ବିଭିନ୍ନ ପ୍ରକାରର କାର୍ଯ୍ୟ ମଧ୍ୟ, ଦେଖଣାହାରୀଙ୍କୁ ଆକୃଷ୍ଟ କରୁଥିଲା । ଗାନ୍ଧୀଙ୍କ ଆଶ୍ରମର ବିଭିନ୍ନ ସ୍ଥାନ ମଧ୍ୟରୁ ମୁଖ୍ୟ ସ୍ଥଳ ଥିଲା 'ହୃଦୟକୁଞ୍ଜ' । ଏହି ହୃଦୟକୁଞ୍ଜ ଥିଲା ଗାନ୍ଧୀଙ୍କ ବାସସ୍ଥଳ । ଏହି ସ୍ଥାନର ନାମକରଣ ପଛରେ ମଧ୍ୟ ରହିଛି ଏକ ନିଆରା କାହାଣୀ । ଆଶ୍ରମରେ ଗାନ୍ଧିଜୀଙ୍କ ବାସସ୍ଥାନ 'ହୃଦୟକୁଞ୍ଜ'ର ନାମକରଣ ଉପରେ କାକାସାହେବ କାଲେକରଙ୍କ ଚିନ୍ତାଧାରା ରହିଛି । କାରଣ ଆଶ୍ରମର ହୃଦୟ ଥିଲେ ଗାନ୍ଧିଜୀ । ଏଣୁ ଆଶ୍ରମରେ ତାଙ୍କ ରହିବା ସ୍ଥାନକୁ ଏହି ନାମ ଦିଆଯାଇଥିଲା । ଗାନ୍ଧିଜୀ ଶୟନ ପାଇଁ ଅଲଗା କକ୍ଷର ଆବଶ୍ୟକ କରୁନଥିଲେ । ଯେଉଁଠାରେ ଅରଟରୁ ଲୁଗା ବୁଣୁଥିଲେ, ସେହି ବାରଣ୍ଡାରେ ହିଁ ସେ ଶୋଉଥିଲେ ।
ହୃଦୟକୁଞ୍ଜ ନିକଟରେ ହେଉଥିଲା ପ୍ରାର୍ଥନା ସଭା । ପ୍ରାର୍ଥନା କରିବା ଉପରେ ସବୁବେଳେ ଜୋର ଦେଉଥିଲେ ବାପୁ । ଆଶ୍ରମର ଦିନଚର୍ଯ୍ୟା ଏହି ପ୍ରାର୍ଥନା ଗୃହରୁ ହିଁ ଆରମ୍ଭ ହେଉଥିଲା । ଗାନ୍ଧିଜୀଙ୍କ ଜୀବନରେ ପ୍ରାର୍ଥନାର ମହତ୍ତ୍ବ ଢେର ଅଧିକ ଥିଲା । ପ୍ରତିଦିନ ସକାଳ ପ୍ରାୟ ସାଢେ ୪ଟାରୁ ଆଶ୍ରମରେ ହେଉଥିଲା ପ୍ରାର୍ଥନା ସଭା । ଏଠାରେ ଆଜି ଓ ଆସନ୍ତାକାଲିର କାର୍ଯ୍ୟସୂଚୀ ଆଲୋଚନା କରାଯାଉଥିଲା । ସନ୍ଧ୍ୟା ସମୟରେ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରାଯାଉଥିଲା । ସେହି ସମୟରେ ଗାନ୍ଧିଜୀ ଥିଲେ ଜଣେ ବିଶ୍ବ ପ୍ରତିଭା । ତାଙ୍କୁ ଭେଟିବା ପାଇଁ ସାବରମତୀ ଆଶ୍ରମକୁ ଆସୁଥିଲେ ଦେଶବିଦେଶରୁ ଅନେକ ଲୋକ । କିନ୍ତୁ କାହା ପାଇଁ ମଧ୍ୟ ବଦଳୁନଥିଲା ଆଶ୍ରମର ନିୟମ । ଏଠାକୁ ଆସୁଥିବା ପ୍ରତ୍ୟେକଟି ଲୋକକୁ ଆଶ୍ରମର ସମସ୍ତ ନିୟମ ମାନିବାକୁ ପଡୁଥିଲା ।
ଇଂଲଣ୍ଡରେ ରହୁଥିବା ମୀରାବାଈ ଗାନ୍ଧିଜୀଙ୍କ ଦ୍ବାରା ଖୁବ ଅନୁପ୍ରାଣିତ ହୋଇଥିଲେ । ଏହାପରେ ସେ ଭାରତ ଆସି ସାବରମତୀ ଆଶ୍ରମରେ ରହିବାକୁ ସ୍ଥିର କରିଥିଲେ । ଆଶ୍ରମକୁ ଆସିବା ପରେ ସେ ନିଜ ବେଶଭୂଷା ପରିବର୍ତ୍ତନ କରିଥିଲେ ଏବଂ ଅରଟରୁ ଖଦି ତିଆରି କରିବା ମଧ୍ୟ ଶିଖିଥିଲେ । ଏହି ଆଶ୍ରମ ନା ଯେ କେବଳ ଗାନ୍ଧିଜୀ ଓ ଅନ୍ୟ ସତ୍ୟାଗ୍ରହୀଙ୍କର ବିଚାର ସ୍ଥଳ ଥିଲା, ତାହା ନୁହେଁ । ଏହି ସ୍ଥାନଟି ଭାରତର ସ୍ବାଧୀନତା ସଂଗ୍ରାମରେ ବଡ଼ ଭୂମିକା ଗ୍ରହଣ କରିଥିଲା । ଏହି ଆଶ୍ରମରୁ ଅନେକ ବିପ୍ଲବର ମଞ୍ଜି ବୁଣାଯାଇଥିଲା । ରାଷ୍ଟ୍ରୀୟ ଜାଗରଣ ଓ ସାମାଜିକ ପରିବର୍ତ୍ତନ ଆନ୍ଦୋଳନର ସ୍ବର ଏହି ସ୍ଥାନରୁ ହିଁ ଉଠିଥିଲା ।
ଏବେ ସାବରମତୀରେ ରହିଛି ୧୬୫ଟି ଭବନ । ଯେଉଁଥିରେ 'ମୀରାବେନ କକ୍ଷ' ଓ ନନ୍ଦିନୀ ଗେଷ୍ଟ ହାଉସ ଆଦି ସାମିଲ ରହିଛି । ଦେଶର ମହାନ ଆତ୍ମା ଗାନ୍ଧିଜୀଙ୍କ ଦେହାନ୍ତ ପରେ ଏଠାରେ ନିର୍ମାଣ ହୋଇଥିଲା 'my life is my message' ଗ୍ୟାଲେରୀ । ଏହି ଗ୍ୟାଲେରୀରେ ବାପୁଙ୍କର ପିଲାଦିନଠୁ ଆରମ୍ଭ କରି ଶେଷ ଜୀବନ ପର୍ଯ୍ୟନ୍ତ ସମସ୍ତ ଜୀବନଶୈଳୀକୁ ଦର୍ଶାଯାଇଛି । ଲୋକଙ୍କୁ ଆତ୍ମନିର୍ଭର ସହିତ ଦେଶୀ ଜିନିଷର ବ୍ୟବହାର ସମ୍ପର୍କରେ ଉତ୍ସାହିତ କରିବା ପାଇଁ ଏହି ଗ୍ୟାଲେରୀକୁ ସ୍ଥାପନା କରାଯାଇଥିଲା । ଗାନ୍ଧିଜୀଙ୍କ ଦେହାନ୍ତ ପରେ ତାଙ୍କ ସ୍ମୃତିରେ ଏଠାରେ 'ବାପୁ ସଂଗ୍ରହାଳୟ' ମଧ୍ୟ ତିଆରି ହୋଇଛି । ଯେଉଁଥିରେ ଗାନ୍ଧିଜୀଙ୍କ ଚଷମା ସମେତ ଅରଟ, ପାଣି ପିଇବା ପାଇଁ ବ୍ୟବହୃତ ଲୋଟା ଆଦି ତାଙ୍କ ସ୍ମୃତିରେ ସାଇତି ରଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ