ଥିରୁଅନନ୍ତପୁରମ: ଖୋଲିଲା ସାବରିମାଳା ମନ୍ଦିର । ଆଜିଠୁ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯାଇଛି। ମାକାରାଭିଲାକୁ ପୂଜା ପାଇଁ ଗୁରୁବାର ସନ୍ଧ୍ୟାରୁ ମନ୍ଦିର ଖୋଲିଛି । ମନ୍ଦିର ମୁଖ୍ୟ ପୁରୋହିତ ଏନ ପରମେଶ୍ବରନ ନାମବୋଧିରଙ୍କ ଉପସ୍ଥିତିରେ ମନ୍ଦିର ଖୋଲିଛି ।
ମନ୍ଦିର ଖୋଲିବା ପରଠୁ ଭକ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଆଜି ସକାଳୁ ସକାଳୁ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିଛନ୍ତି । ପ୍ରତିବର୍ଷ ମକର ସଂକ୍ରାନ୍ତିରେ ସାବରିମାଳାରେ ମାକାରାଭିଲାକୁ ପୂଜା କରାଯାଏ । ଏହା ସେଠାକାର ବାର୍ଷିକ ପୂଜା । ଜାନୁଆରୀ ୧୯ ଯାଏ ଭକ୍ତମାନେ ଦର୍ଶନର ସୁଯୋଗ ପାଇବେ । ଦୀର୍ଘ ଦୁଇବର୍ଷ ପରେ ଏରୁମେଲିରୁ ଭାୟା କାରିମାଳା ଜଙ୍ଗଲୀ ରାସ୍ତା ଦେଇ ଯାତାୟତ କରିବାକୁ ଅନୁମତି ମିଳିଛି ।
ଏରୁମେଲିରୁ ପାମବା ୩୫ କିଲୋମିଟର ଦୂର ରାସ୍ତା ଭକ୍ତଙ୍କ ପାଇଁ ଖୋଲାଯାଇଥିଲା । ଭକ୍ତମାନଙ୍କୁ ସକାଳ 5.30 ରୁ 10.30 ପର୍ଯ୍ୟନ୍ତ ଏରୁମେଲିର କୋଜିକ୍କାଲକଡାଭୁରେ ଜଙ୍ଗଲ ମାର୍ଗରେ ପ୍ରବେଶ ଅନୁମତି ଦିଆଯିବ । ଆଜୁଥାକାକାଡୁ ଏବଂ ମୁକୁଜୀ ମାର୍ଗରେ ପ୍ରବେଶ ସକାଳ 7 ଟାରୁ 12 ଟା ପର୍ଯ୍ୟନ୍ତ ମିଳିଛି । ଭକ୍ତମାନଙ୍କୁ ଏହି ମାର୍ଗ ଦେଇ କେବଳ ଗୋଟିଏ ଗ୍ରୁପରେ ଯାତ୍ରା କରିବାକୁ ଅନୁମତି ଦିଆଯିବ । ଅପରାହ୍ନ 5 ଟା ପରେ କାହାକୁ ଜଙ୍ଗଲ ରାସ୍ତାରେ ଯିବାକୁ ଅନୁମତି ଦିଆଯିବ ନାହିଁ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ