ବାରାଣାସୀ: ଉତ୍ତରପ୍ରଦେଶର କାଶୀ ବିଶ୍ବନାଥ ମନ୍ଦିରରେ ଋଷିୟ ମହିଳାଙ୍କ ହଙ୍ଗାମା । ମନ୍ଦିରର 4 ନମ୍ବର ଗେଟ ପାଖରେ ପାଖାପାଖି ଘଣ୍ଟାଏ ଧରି ଉତ୍ପାତ କଲେ ମହିଳା ଜଣକ । ସୋସିଆଲ ମିଡିଆରେ ଏହି ଋଷିୟ ମହିଳାଙ୍କ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।
ତେବେ ଭିଡିଓରେ ଦେଖାଯାଉଥିବା ସ୍ଥାନଟି କାଶୀ ବିଶ୍ବନାଥ ମନ୍ଦିରର 4ନମ୍ବର ଗେଟ୍ ପାଖରେ ହୋଇଥିବା ଜଣାପଡ଼ିଛି । ଜଣେ ମହିଳା ମନ୍ଦିର ଗେଟ୍ ପାଖରେ ପ୍ରବଳ ଉତ୍ପାତ କରୁଥିବା ଦେଖିବାକୁ ମିଳିଛି । ମନ୍ଦିର ମଧ୍ୟକୁ ପ୍ରବେଶ କରୁଥିବା ଶ୍ରଦ୍ଧାଳୁଙ୍କୁ ହଇରାଣ କରିବା ସହ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀମାନଙ୍କୁ ମଧ୍ୟ ମହିଳା ଜଣକ ଅସଦାଚରଣ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । ଦୀର୍ଘ 1 ଘଣ୍ଟା ଧରି ମହିଳା ଏହିଭଳି ଭାବେ ଉତ୍ପାତ ମଚାଇଥିଲେ । ପରେ ତାଙ୍କୁ କାବୁ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସୂଚନା ଅନୁଯାୟୀ, ଭିଡିଓରେ ଦେଖାଯାଉଥିବା ମହିଳା ଜଣକ ଋଷିଆ ନାଗରିକ ଅଟନ୍ତି । ମହିଳା ସକାଳ ସମୟରେ କାଶୀ ବିଶ୍ବନାଥ ମନ୍ଦିରର 4 ନମ୍ବର ଗେଟ୍ ପାଖରେ ପହଞ୍ଚି ହଙ୍ଗାମା କରିଥିଲେ । ଏହି ସମୟରେ ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତମାନଙ୍କ ଉପରକୁ ଫୁଲ ମାଳ ପକାଇ ସେମାନଙ୍କୁ ହଇରାଣ କରିଥିଲେ । ସେମାନଙ୍କ ହାତରୁ ଫୁଲ ମାଳ ଟାଣି ନେବାକୁ ଉଦ୍ୟମ କରିଥିଲେ । ଏହାପରେ ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତମାନେ ବି ବେଶ ଅସନ୍ତୋଷ ପ୍ରକାଶ କରିଥିଲେ । ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ତାଙ୍କୁ ରୋକିବା ପାଇଁ ଉଦ୍ୟମ କରିବାରୁ ତାଙ୍କୁ ମଧ୍ୟ ମହିଳା ଜଣକ ଅସଦାଚରଣ କରିଥିଲେ । ଆଉ ମଧ୍ୟ ମହିଳା ଜଣକ ଜଣେ ସୁରକ୍ଷା କର୍ମୀଙ୍କ ତଣ୍ଟି ଚିପିବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି ।
ଏହାମଧ୍ୟ ପଢନ୍ତୁ..ଲୁଧିଆନାରେ ASIଙ୍କ ଦାଦାଗିରି !: ପଇଡ଼ ବ୍ୟବସାୟୀଙ୍କୁ ମାଡ଼, ଭିଡିଓ ଭାଇରାଲ ପରେ ନିଲମ୍ବନ ଦାବି
ପାଖାପାଖି 1 ଘଣ୍ଟାର ଏଭଳି ହଙ୍ଗାମା ଚାଲିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଜଣକୁ କାବୁ କରିଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପାଣ୍ଡୟେପୁର ସ୍ଥିତ ମାନସିକ ରୋଗୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା । ତେବେ ସୁସ୍ଥ ହେବା ପରେ ଋଷୀୟ ମହିଳା ଜଣକ କହିଛନ୍ତି , 'ଗାଡିରେ ଆସୁଥିବା ସମୟରେ ଧୂଆଁ ଓ ଶବ୍ଦ ପ୍ରଦୂଷଣ ପ୍ରଭାବରେ ନିଜ ମାନସିକ ସ୍ଥିତି ହରାଇ ଏଭଳି କରିଛି ।'
ତେବେ ଜଣେ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଏନେଇ ନୂଆଦିଲ୍ଲୀ ସ୍ଥିତ ଋଷୀୟ ଦୂତାବାସକୁ ଖବର ଦିଆଯାଇଛି । ଦୂତାବାସରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମହିଳା ଜଣକ ଟ୍ୟୁରିଷ୍ଟ ପାର୍ସପୋର୍ଟରେ ମସ୍କୋରୁ ବାରାଣାସୀ ଆସିଥିଲେ । ତାଙ୍କର ଭିସାର ଅବଧି ଆହୁରି 11ଦିନ ପର୍ଯ୍ୟନ୍ତ ଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ