ନୂଆଦିଲ୍ଲୀ: ହୁ ହୁ ହୋଇ ବଢିବାରେ ଲାଗିଛି ପିଆଜ ଦର । ଦେଶର ଅନେକ ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ରହିଛି । ନବରାତ୍ର ସମୟରେ ପିଆଜ ଦର ମାତ୍ର ୨୦ରୁ ୩୦ ଟଙ୍କା ଥିବାବେଳେ ଅଚାନକ ୫୭ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ କିଲୋ ପିଛା ପାଖାପାଖି ୪୦-୫୦ଟଙ୍କାରେ ବିକ୍ରି ହେଉଛି ପିଆଜ । ସେପଟେ ପିଆଜ ଦର ବୃଦ୍ଧି ପରେ କେନ୍ଦ୍ର ସରକାରଙ୍କ ତରଫରୁ ତତ୍ପରତା ପ୍ରକାଶ ପାଇଛି । 'ବଫର ଷ୍ଟକ' (Buffer Stock)ରୁ ପିଆଜ ଅଣାଯାଇ କିଲୋ ପିଛା ୨୫ ଟଙ୍କାରେ ବିକ୍ରି ହେବା ନେଇ କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁସାରେ, ଖୁଚୁରା ବଜାରରେ ବଫର୍ ପିଆଜ ବିକ୍ରି ହେଉଥିବା ୨ ଟି ସହଯୋଗୀ ସଂସ୍ଥା ହେଉଛି NCCF ଏବଂ NAFED ଆଉଟଲେଟ୍ । ଯେଉଁଥିରନ ପିଆଜ କିଲୋଗ୍ରାମ ପିଛା 25 ଟଙ୍କା ସବସିଡି ହାରରେ ବିକ୍ରି ହେଉଛି | ଦିଲ୍ଲୀରେ ମଧ୍ୟ ଏହି ସବସିଡି ହାରରେ ବଫର ପିଆଜ ବିକ୍ରି ହେଉଥିବା ସୂଚନା ରହିଛି । ସେପଟେ ପିଆଜର ଅସ୍ବାଭାବିକ ଦରବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆନ୍ଧ୍ର ପ୍ରଦେଶ ଓ ବେଙ୍ଗାଲୁରରୁ ପିଆଜ ଆମଦାନୀ ହୋଇ ନପାରିବା ଦରବୃଦ୍ଧିର କାରଣ ବୋଲି ଜଣାପଡିଛି । ଏବେ ରାଜ୍ୟରେ ପିଆଜର ଆବଶ୍ୟକତା ପୂରଣ କରିବା ପାଇଁ ନାସିକରୁ ପିଆଜ ଆମଦାନୀ କରାଯାଉଥିବା ଜଣାପଡିଛି । ନାସିକରେ ପିଆଜ ଅଧିକ ଦାମ ଅଧିକ ରହୁଥିବାରୁ ରାଜ୍ୟରେ ପିଆଜ ଦାମ ବୃଦ୍ଧି ପାଉଥିବା କହିଛି ବ୍ୟବସାୟୀ ସଂଘ । ତେବେ ଦର ହ୍ରାସ ପାଇଁ ପାଖାପାଖି ଏକ ମାସ ସମୟ ଲାଗିବ ବୋଲି ଆକଳନ କରାଯାଉଛି ।
ଏହା ବି ପଢନ୍ତୁ...Tomato Price: ଖସିଲା ଟମାଟୋ ଦର, ଆଗକୁ କନ୍ଦାଇବ ପିଆଜ !
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ଖରାପ ପାଣିପାଗ କାରଣରୁ ପିଆଜ ଚାଷ ବିଳମ୍ବ ହୋଇଥିଲା । ଫଳରେ ଚାଷ ହୋଇଥିବା ଖରିଫ ପିଆଜ ବର୍ତ୍ତମାନ ସୁଦ୍ଧା ବଜାରରେ ପହଞ୍ଚି ପାରିନାହିଁ । ତେଣୁ ଯୋଗାଣ କ୍ଷେତ୍ରରେ ଏଭଳି ସମସ୍ୟା କାରଣରୁ ପିଆଜ ସଙ୍କଟ ଦେଖାଦେଇଥିବାରୁ ପିଆଜର ଦର ବୃଦ୍ଧି ପାଇବାରେ ଲାଗିଛି ।" ସେ ଆହୁରି ମଧ୍ୟ କହିଛନ୍ତି, "ସରକାର ଚଳିତ ବର୍ଷ ପାଇଁ ବଫର୍ ପିଆଜ ଷ୍ଟକକୁ ଦ୍ବିଗୁଣିତ କରିଛନ୍ତି । ଆଗାମୀ ଦିନରେ ଏହାର ମୂଲ୍ୟ ଯାଞ୍ଚ କରିବା ସହ ମୂଲ୍ୟ ବୃଦ୍ଧି ହ୍ରାସ ଉପରେ ଗୁରୁତ୍ବ ଦିଆଯିବା ଉଚିତ । 2023-24 ଆର୍ଥିକ ବର୍ଷ ପାଇଁ, NCCF ଏବଂ NAFED ମାଧ୍ୟମରେ ଖାଉଟି କଲ୍ୟାଣ ବିଭାଗ(Consumer Affairs Ministry) 5 ଲକ୍ଷ ଟନ୍ ବଫର ପିଆଜ ଷ୍ଟକ୍ ଗଚ୍ଛିତ ରଖିଥିବାବେଳେ ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯାଇ ଆହୁରି 2 ଲକ୍ଷ ଟନ୍ ପିଆଜ କ୍ରୟ କରିବାର ଯୋଜନା ରହିଛି ।"