ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଭାରତ-ତିବ୍ଦତୀୟ ସୀମା ପୋଲିସ(ITBP)ର 18 ଅଧିକାରୀଙ୍କୁ ପୋଲିସ ପଦକରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ୧୮ ଜଣ ଅଧିକାରୀଙ୍କ ମଧ୍ୟରେ ସାହାସିକତା ପାଇଁ ତିନୋଟି ପୋଲିସ୍ ପଦକ, ବିଶିଷ୍ଟ ସେବା ପାଇଁ ତିନି ଜଣ ଅଧିକାରୀଙ୍କୁ ରାଷ୍ଟ୍ରପତି ପୋଲିସ୍ ପଦକରେ ସମ୍ମାନିତ କରାଯାଇଛି । ସେହିପରି ସମ୍ମାନଜନକ ସେବା ପାଇଁ ଅନ୍ୟ 12 ଜଣଙ୍କୁ ପୋଲିସ୍ ପଦକରେ ସମ୍ମାନିତ କରାଯାଇଛି ।
ITBP ଦ୍ବାରା ଜାରି ପ୍ରେସବାର୍ତ୍ତାରେ କୁହାଯାଇଛି, 40ତମ ବାଟାଲିୟନର ସଦସ୍ୟ, ଏସି (ଜିଡି) ଅଶୋକ କୁମାର, ଇନ୍ସପେକ୍ଟର (ଜିଡି) ସୁରେଶ ଲାଲ ଏବଂ ଇନ୍ସପେକ୍ଟର (ଜିଡି) ନୀଲା ସିଂଙ୍କୁ ନକ୍ସଲ ବିରୋଧୀ ଅପରେସନବେଳେ ଉଲ୍ଲେଖନୀୟ ସାହାସିକତା ତଥା ନେତୃତ୍ବ ପାଇଁ ପୋଲିସ ପଦକ ପ୍ରଦାନ କରାଯାଇଛି ।
ଅଶୋକ କୁମାରଙ୍କ ନେତୃତ୍ୱରେ ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲାରେ ଫେବୃଆରୀ 9, 2018ରେ ହୋଇଥିବା ନକ୍ସଲ ବିରୋଧୀ ଅପରେସନରେ ସଫଳ ହୋଇଥିଲା ITBPର ଟିମ । ୨ ହାର୍ଡକୋର ନକ୍ସଲ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବାବେଳେ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଥିଲା । ଏହି ଅଭିଯାନରେ ସେତେବେଳର ସବ୍-ଇନ୍ସପେକ୍ଟର ପାହ୍ୟାରେ ଥିବା ସୁରେଶ ଲାଲ ଏବଂ ନେଲା ସିଂ ମଧ୍ୟ ଉଲ୍ଲଖନୀୟ ସାହାସ ପ୍ରଦର୍ଶନ ପୂର୍ବକ ନକ୍ସଲଙ୍କ ସହ ଲଢିଥିଲେ । ଏମାନଙ୍କ ନାମ ଚଳିତ ବର୍ଷର ପୋଲିସ ପଦକ ପାଇଁ ଆଇଟିବିପି ସୁପାରିଶ କରାଯାଇଥିଲା ।
ସେହିପରି ବିଶିଷ୍ଟ ସେବା ପାଇଁ ୩ ବରିଷ୍ଠ ଅଧିକାରୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯାଇଛି । ଡିଆଇଜି (ଜିଡି) ରାମକାନ୍ତ ଶର୍ମା, ଡିଆଇଜି (ଜିଡି) ଅଜୟ ପାଲ ସିଂ ଏବଂ ଡିଆଇଜି (ଜିଡି) ଗିରିଶ ଚନ୍ଦ୍ର ଉପାଧ୍ୟାୟଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଛି । ସେହିପରି ଅନ୍ୟ ୧୨ ଜଣ ଆଇଟିବିପି ଅଧିକାରୀଙ୍କୁ ଉଲ୍ଲେଖନୀୟ ତଥା ସମ୍ମାନଜନକ ସେବା ପାଇଁ ପୋଲିସ ପଦକରେ ସମ୍ମାନିତ କରାଯାଇଛି । ଚଳିତବର୍ଷ ମୋଟ ୧୮ ITBP ଅଧିକାରୀ ସାଧାରଣତନ୍ତ୍ର ଦିବସ ପୂର୍ବରୁ ସାହାସିକତା ପଦକରେ ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି ।
ANI