ଲକ୍ଷ୍ନୌ: ଉତ୍ତରପ୍ରଦେଶରେ SDM ଜ୍ୟୋତି ମୌର୍ଯ୍ୟଙ୍କ ଖବର ଭାଇରାଲ ହେବା ପରେ ଏହାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରଶାସନିକ ପରୀକ୍ଷା ଲାଗି ପ୍ରସ୍ତୁତ କରୁଥିବା ପ୍ରାୟ 135 ଜଣ ମହିଳାଙ୍କୁ ତାଙ୍କ ସ୍ବାମୀ କୋଚିଂ ବନ୍ଦ କରି ଘରକୁ ଫେରି ଆସିବାକୁ କହିଛନ୍ତି । ଜ୍ୟୋତି ଯେପରି ତାଙ୍କ ସ୍ବାମୀଙ୍କ ସହିତ ବିଶ୍ବାସଘାତକତା କରିଛନ୍ତି, ସେପରି ପରିସ୍ଥିତିର ସାମ୍ନା ନ କରିବା ଲାଗି ନିଜ ପତ୍ନୀଙ୍କୁ ପାଠପଢା ଛାଡ଼ି ଘରକୁ ଆସିବାକୁ କହିଛନ୍ତି ସେମାନଙ୍କ ସ୍ବାମୀ । ଭାଇରାଲ ହେଉଥିବା ଘଟଣାରେ ଜ୍ୟୋତି ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପାଠ ପଢାଇଥିବା ସ୍ବାମୀକୁ ଛାଡ଼ି ଦେଇଥିବା ଆସିଛି ଅଭିଯୋଗ ।
ୟୁପି ବରେଲି ଅଞ୍ଚଳର ଜ୍ୟୋତି ମୌର୍ଯ୍ୟ (PCS ଅଧିକାରୀ) ଓ ପ୍ରୟାଗରାଜ ସରକାରୀ ସଫେଇ କର୍ମଚାରୀ ଆଲୋକ ମୌର୍ଯ୍ୟ (ଚତୁର୍ଥ ଶ୍ରେଣୀ କର୍ମଚାରୀ ) ଘଟଣା ଏବେ ଯୁବପୀଢିଙ୍କ ମଧ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗକାରୀ ଆଲୋକ ନିଜ ପତ୍ନୀ ଜ୍ୟୋତିଙ୍କ ବିରୋଧରେ ବିଶ୍ବାସଘାତକତା ଭଳି ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁସାରେ ସେ ଜଣେ ସଫେଇ କର୍ମଚାରୀ ହୋଇଥିବା ବେଳେ ନିଜ ପତ୍ନୀଙ୍କ ପାଠପଢା ଲାଗି ବହୁ ଅର୍ଥ ଖର୍ଚ୍ଚ କରୁଥିଲେ । ଶେଷରେ ଜ୍ୟୋତି ଜଣେ ପିସିଏସ ଅଧିକାରୀ ହୋଇଥିଲେ । ହେଲେ ଚାକିରି କରିବା ପରେ ସେ ସ୍ବାମୀଙ୍କୁ ଛାଡି ୟୁପିର ପିସିଏସ ଅଧିକାରୀ ମନୀଷ ଦୁବେଙ୍କ ସହିତ ନୂଆ ସମ୍ପର୍କ ଗଢିଛନ୍ତି ।
ଏହା ବି ପଢନ୍ତୁ- ବାପ ଘରେ ସ୍ବାମୀକୁ ବସାଇ ସ୍ତ୍ରୀ ଚମ୍ପଟ, ଦୁଇ ପରିବାର ପକ୍ଷରୁ ଥାନାରେ ଏତଲା
ସେପଟେ ଆଲୋକଙ୍କ ପତ୍ନୀ ଜ୍ୟୋତି ମୌର୍ଯ୍ୟ ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପିସିଏସ ଅଧିକାରୀ ଜ୍ୟୋତି କହିଛନ୍ତି, "ମୋ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗର ଯାଞ୍ଚ କରାଯାଉଛି । ଯାହା ସତ ତାହା ନିଶ୍ଚିତ ପଦାକୁ ଆସିବ ।" ସେପଟେ ଏହି ଖବରଟି ସୋସିଆଲ ମିଡିଆରେ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କିଛି ଯୁବକ ନିଜ ପତ୍ନୀଙ୍କୁ ପାଠପଢା ଛାଡ଼ି ଘରକୁ ଫେରି ଆସିବାକୁ କହିଛନ୍ତି । 135 ଜଣ ମହିଳା ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ଖବର ଆସିଛି । ସୋସିଆଲ ମିଡିଆରେ ମଧ୍ୟ କିଛି ଯୁବତୀ ଏପରି ପୋଷ୍ଟ କରୁଥିବା ନଜିର ରହିଛି । ହେଲେ ତାହା କେତେ ଦୂରୁ ସତ୍ୟ ତାହା ଜଣାପଡ଼ିନାହିଁ ।
ଏହି ଘଟଣାକୁ ପ୍ରୟାରାଜରେ ପ୍ରଶାସନିକ ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିବା କିଛି ମହିଳା ଖଣ୍ଡନ ମଧ୍ୟ କରିଛନ୍ତି । ଜ୍ୟୋତି ମୌର୍ଯ୍ୟଙ୍କ ଘଟଣା ସେମାନଙ୍କ ଜୀବନ ଉପରେ କୌଣସି ପ୍ରଭାବ ପକାଇନାହିଁ । ଏହି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ସେମାନଙ୍କ ସ୍ବାମୀ ତାଙ୍କୁ କୋଚିଂ ସେଣ୍ଟରକୁ ନେବାଆଣିବା କରୁଥିବା ସେମାନେ ଦାବି କରିଛନ୍ତି । ସ୍ବାମୀ-ସ୍ତ୍ରୀର ସମ୍ପର୍କ ବିଶ୍ବାସର ଡୋରି । ଉଭୟଙ୍କ ମଧ୍ୟରେ ବିଶ୍ବାସ ଅତୁଟ ରହିଲେ ଏଭଳି ଖବର କିଛି ପ୍ରଭାବ ପକାଇନଥାଏ । 135 ମହିଳାଙ୍କୁ ତାଙ୍କ ସ୍ବାମୀ ଘରକୁ ଡାକିବା ଘଟଣା ମିଥ୍ୟା ବୋଲି ଏମାନେ ଦାବି କରିଛନ୍ତି ।