ନୂଆଦିଲ୍ଲୀ: ପୁଣିଥରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ(RBI) । ରେପୋ ରେଟ୍ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଲଗାତାର ଦଶମ ଥର ପାଇଁ ସୁଧହାରରେ କୌଣସି ପରିବର୍ତ୍ତନ କରିନାହିଁ ରିଜର୍ଭ ବ୍ୟାଙ୍କ । ଆରବିଆଇ(RBI) ମୁଦ୍ରାନୀତି କମିଟି(MPC) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆର୍ଥିକ ବିକାଶକୁ ସମର୍ଥନ ଦେବାକୁ ରେପୋ କିମ୍ବା ରିଭର୍ସ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରାଯାଇ ନଥିବା କହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସୋମବାରଠୁ ଆରବିଆଇ ମୁଦ୍ରାନୀତି କମିଟିର ତିନି ଦିନିଆ ବୈଠକ ଆରମ୍ଭ ହୋଇଥିଲା ।
୨୦୨୧-୨୨ ଆର୍ଥିକ ବର୍ଷରେ ୯.୨ ପ୍ରତିଶତ ଜିଡିପି ଅଭିବୃଦ୍ଧି ଅର୍ଥବ୍ୟବସ୍ଥାକୁ ପୂର୍ବ ମହାମାରୀ ସ୍ତରରୁ ଉପରକୁ ନେବ ବୋଲି ଆରବିଆଇ ମୁଖ୍ୟ କହିଛନ୍ତି ଏବଂ ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୭.୮ ପ୍ରତିଶତ ଜିଡିପି ଅଭିବୃଦ୍ଧି ଆକଳନ କରିଛନ୍ତି । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ CPI ବା ଖୁଚୁରା ମୁଦ୍ରାସ୍ଫୀତି ୫.୩ ପ୍ରତିଶତ ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ୪.୫ ପ୍ରତିଶତ ରହିବା ନେଇ ଅନୁମାନ କରିଛି ରିଜର୍ଭ ବ୍ୟାଙ୍କ ।
ଉଲ୍ଲେଖଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଯେଉଁ ହାରରେ ବ୍ୟାଙ୍କଗୁଡିକୁ ଋଣ ଦିଏ, ତାହାକୁ ରେପୋ ରେଟ୍ କୁହାଯାଏ । ରିଜର୍ଭ ବ୍ୟାଙ୍କ ଯେଉଁ ରେଟ୍ରେ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଠାରୁ ଋଣ ନିଏ ତାହାକୁ ରିଭର୍ସ ରେପୋ ରେଟ୍ କୁହାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ