ଲକ୍ଷ୍ନୌ: ଆସନ୍ତା 9 ତାରିଖରେ ରାମ ଜନ୍ମଭୂମି ରାୟକୁ ବର୍ଷେ ପୂରଣ ହେଉଥିବା ବେଳେ ରାମ ମନ୍ଦିର ନିର୍ମାଣ ମଧ୍ୟ ଆରମ୍ଭ ହୋଇସାରିଛି । କିନ୍ତୁ ରାୟକୁ ବର୍ଷେ ପୂର୍ତ୍ତି ଅବସରରେ ଅଯୋଧ୍ୟାରେ କୌଣସି କାର୍ଯ୍ୟକ୍ରମ ପାଳନ ହେବ ନାହିଁ । କୋଭିଡ ପ୍ରୋଟୋକଲକୁ ପାଳନ କରିବାକୁ ଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପାଳନକୁ ଅନୁମତି ଦିଆଯାଇ ନାହିଁ । ଅଯୋଧ୍ୟା ଏସଏସପି ଦିପକ କୁମାରଙ୍କ ସୂଚନା ମୁତାବକ ଯଦି କୌଣସି ସଂଗଠନ ପ୍ରଶାସନର ନିର୍ଦ୍ଦେଶକୁ ନମାନି କୌଣସି ପ୍ରକାର ଆୟୋଜନ କରନ୍ତି ତେବେ ତାଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ତେବେ ବର୍ଷେ ପୂର୍ତ୍ତି ଅବସରରେ କିଛି ସଂଗଠନ ପାଳନ କରିବା ପାଇଁ ପ୍ରସ୍ତୁତି କରୁଥିବା ପ୍ରଶାସନ ପାଖରେ ସୂଚନା ପହଞ୍ଚିଥିଲା । ଫଳରେ ଏହାକୁ ଅତି ଗମ୍ଭୀରତାର ସହ ନେଇଛି ଜିଲ୍ଲା ପ୍ରଶାସନ । ଏନେଇ କୌଣସି ପାଳନ ପାଇଁ ଅନୁମତି ଦିଆଯାଉନଥିବା ସବୁ ସଂଗଠନକୁ ପ୍ରଶାସନ ପକ୍ଷରୁ ଅବଗତ ମଧ୍ୟ କରାଯାଇଛି । ଏହା ପରେ ଯଦି କୌଣସି ସଂଗଠନ ଏପରି ଆୟୋଜନ କରିବାକୁ ଚେଷ୍ଟା କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ଜଣାପଡିଛି ।
ଗତବର୍ଷ 9 ନଭେମ୍ବର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏକ ଐତିହାସିକ ରାୟ ଦେଇଥିଲେ । ଏହି ନିଷ୍ପତ୍ତି ରାମଲାଲାଙ୍କ ସପକ୍ଷରେ ଆସିଥିଲା ବେଳେ ମସଜିଦ ନିର୍ମାଣ ପାଇଁ ସହରର ଅନ୍ୟତ୍ର 5 ଏକର ଜମି ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ରାୟକୁ 1 ବର୍ଷ ବିତିଯାଇଥିବା ବେଳେ ରାୟର ପ୍ରଥମ ବାର୍ଷିକୀରେ ଅଯୋଧ୍ୟାରେ କୌଣସି ସାମୂହିକ ଉତ୍ସବ ପାଳନ କରାଯିବ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ