ଶ୍ରୀନଗର: ପାକ ଅଧିକୃତ କାଶ୍ମୀର (POK) ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ଭାରତକୁ ଫେରାଇ ଅଣାଯିବା ନେଇ ଖୁିବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବେ ଭାରତ ସରକାର । ପିଓକେ ପ୍ରସଙ୍ଗରେେ ପାକିସ୍ତାନକୁ ଏପରି କଡା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନଥ ସିଂ (Defence Minister Rajnath Singh on pok issue)। ରାଜନାଥ କହିଛନ୍ତି, "ପାକ୍ ଅଧିକୃତ କାଶ୍ମୀରରେ ଭାରତୀୟଙ୍କ ଉପରେ ପାକିସ୍ତାନର ବର୍ବୋରଚିତ କାର୍ଯ୍ୟକଳାପ ଜାରି ରଖିଛି । ଏବେ ସେସବୁ ଚଳିବ ନାହିଁ ।" ପାକ୍ ଅଧିକୃତ କାଶ୍ମୀରର ଗିଲଗିଟ ଓ ବଲୁଚିସ୍ଥାନକୁ ଫେରାଇବା ପାଇଁ ପ୍ରୟାସ ଆରମ୍ଭ କରିବା ନେଇ ରାଜନାଥ ସ୍ପଷ୍ଟ ସୂଚନା ଦେଇଛନ୍ତି ।
ମଧ୍ୟ କାଶ୍ମୀରର ବଡଗାମ ଜିଲ୍ଲାରେ ୭୬ତମ ଇନଫ୍ରାଣ୍ଟ୍ରିଂ ଡେରେ (76th Infantry Day) ଭାରତୀୟ ସେନା ଦ୍ବାରା ଆୟୋଜିତ ସୌର୍ଯ୍ୟ ଦିବସ (Shaurya Diwas) କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ । ସେଠାରେ ସେ ସେନାକୁ ମସ୍ବୋଧିତ କରିବା ଅବସରରେ ଏହି ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ସିଧା ଚେତାବନୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ରହିଥିଲେ ।
ରାଜନାଥ କହିଥିଲେ, ‘‘ପାକ ଅଧିକୃତ କାଶ୍ମୀରରେ ପାକିସ୍ତାନର ବର୍ରୋରଚିତ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବା ନାହିଁ । ସେଠାକାର ସାଧାରଣ ନାଗରିକଙ୍କ ଉପରେ ପାକିସ୍ତାନ ଅମାନବୀୟ କାର୍ଯ୍ୟକଳାପ ଜାରି ରଖିଛି । ଏବେ ସମୟ ଆସିଛି, ପାକିସ୍ତାନକୁ ଏହାର ଫଳାଫଳ ଭୋଗିବାକୁ ପଡିବ । କାଶ୍ମୀର ଓ ଲଦାଖ ଉନ୍ନତିର ନୂଆ ଉଚ୍ଚତାକୁ ଛୁଇଁବାରେ ଲାଗିଛନ୍ତି । ପାକିସ୍ତାନ ଅଧିକୃତ କାଶ୍ମୀର ବା ବେଲୁଚିସ୍ତାନ ଓ ଗିଲଗିଟକୁ ଭାରତକୁ ଫେରାଇବା ପାଇଁ ପ୍ରୟାସ ଆରମ୍ଭ କରାଯିବ ।’’
ରାଜନାଥ ଆହୁରି ମଧ୍ୟ କହିଥିଲେ, ୧୯୯୪ ମସିହା ଫେବୃଆରୀ ୨୨ ତାରିଖରେ ସଂସଦରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିବା ସଙ୍କଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଖୁବଶୀଘ୍ର ସରକାର କାର୍ଯ୍ୟପନ୍ଥା ହାତକୁ ନେବେ । ଏହି ସଂକଳ୍ପରେ ବାଲୁଚିସ୍ଥାନ ଓ ଗିଲଗିଟକୁ ପୁଣି ଥରେ ଭାରତକୁ ଫେରାଇ ଆଣିବା ନେଇ ପ୍ରସ୍ତାବ ରହିଥିଲା । ତେବେ ଘାଟିରେ ଭାରତ ବିରୋଧୀ ଉପାଦାନଙ୍କ ପ୍ରାଦ୍ରୁଭାବ ହ୍ରାସ ପାଇବାରେ ଲାଗିଛି । ସଶସ୍ତ୍ର ବାହିନୀର ନିରନ୍ତର ଉଦ୍ୟମ ଯୋଗୁଁ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଶାନ୍ତି ଫେରିଛି ବୋଲି କହିଛନ୍ତି ରାଜନାଥ ।
ସେହିପରି ଆତଙ୍କବାଦ ଉପରେ ବର୍ଷିଛନ୍ତି ରାଜନାଥ । ଆତଙ୍କୀଙ୍କର କୌଣସି ଧର୍ମ କିମ୍ବା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ନାହିଁ । ସେମାନେ କେବଳ ମାନବତାର ଶତୃ । ସଭ୍ୟ ସମାଜର ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବା ପରି କୌଣସି ଅମାନବୀୟ ଘଟଣାକୁ ବରଦାସ୍ତ କରାଯାଇ ପାରିବନାହିଁ ବୋଲି ମଧ୍ୟ ସେ ସମ୍ବୋଧନରେ କହିଥିଲେ । ଘାଟିରେ ଶାନ୍ତି ଓ ସ୍ଥିରତା ଫେରାଇବା ଆମର ପ୍ରତିବଦ୍ଧତା । ସୁରକ୍ଷାବଳର ନିରନ୍ତର ପ୍ରୟାସ ଫଳରେ ଘାଟିରେ ସ୍ଥିତିରେ ସୁଧାର ଆସିଛି । ଘାଟିର ସ୍ଥାନୀୟ ବାସିନ୍ଦା ଏବେ କେନ୍ଦ୍ର ସରକାରଙ୍କ ଏକାଧିକ ଜନକଲ୍ୟାଣକାରୀ ଯୋଜନାର ସିଧା ଲାଭ ପାଇ ପାରୁଛନ୍ତି ବୋଲି ରାଜନାଥ କହିଥିଲେ ।
ଦେଶ ସ୍ବାଧୀନ ହେବାର ପ୍ରଥମ ସାମରିକ ଘଟଣାକୁ ସ୍ମରଣୀୟ ରଖିବା ପାଇଁ ଏହି ପ୍ରତିବର୍ଷ ଆଜିର ତାରିଖ (ଅକ୍ଟୋବର ୨୭) କୁ ଇନଫ୍ୟାଣ୍ଟ୍ରୀ ଡେ' ଭାବେ ପାଳନ କରିଆସୁଛି ଭାରତୀୟ ସ୍ଥଳସେନା । ୧୯୪୭ ମସିହା ଅକ୍ଟୋବର ୨୭ ତାରିଖ କାଶ୍ମୀର ଉପତ୍ୟକାରେ ପାକିସ୍ତାନ ସେନା ପ୍ରଥମ ଆକ୍ରମଣ କରିଥିଲା । ଏହା ଥିଲା ସ୍ବାଧୀନ ଭାରତର ପ୍ରଥମ ଯୁଦ୍ଧ । ଏଥିରେ ଭାରତୀୟ ସେନାର ଶିଖ ରେଜିମେଣ୍ଟ ପ୍ରଚଣ୍ଡ ସାହାସିକତା ପ୍ରଦର୍ଶିନ କରିଥିଲା । ପାକିସ୍ତାନ ଏହି ଯୁଦ୍ଧରେ ପରାସ୍ତ ହୋଇଥିଲା । ଆଜିର କାର୍ଯ୍ୟକ୍ରମ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶହୀଦ ଓ ଏଥିରେ ପ୍ରାଣବଳୀ ଦେଇଥିବା ସ୍ଥାନୀୟ କାଶ୍ମୀରବାସୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।