ଜୟପୁର:ରାଜସ୍ଥାନର ଶିଳ୍ପ ମନ୍ତ୍ରୀ ପର୍ସାଦିଲାଲ ମୀନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମହିଳା ଶୌଚାଳୟରୁ ବାହାରୁଥିବା ଦେଖାଯାଉଛି । ଭିଡିଓ ଭାଇରାଲ ହେବା ପରେ ପର୍ସାଦିଲାଲ ମୀନା ଏକ ମହିଳା ଶୌଚାଳୟ ବ୍ୟବହାର କରୁଥିବା ଦାବି ହେଉଛି । ୧୯ ସେକେଣ୍ଡର ଏହି ଭାଇରାଲ ଭିଡିଓରେ ମନ୍ତ୍ରୀ ପାରାସାଦିଲାଲ ମୀନା ମହିଳା ଶୌଚାଳୟରୁ ହାତ ଧୋଇବା ପରେ ବାହାରକୁ ଆସୁଥିବା ନଜର ଆସିଛନ୍ତି । ଏହା ପରେ ସେ ବିରୋଧୀଙ୍କ ଟାର୍ଗେଟରେ ଆସିବା ସହିତ ସେ ସୋସିଆଲ ମିଡିଆରେ ମଧ୍ୟ ଅନେକ ସମାଲୋଚନାର ଶିକାର ହେଉଛନ୍ତି ।
ଶୌଚାଳୟରୁ ବାହାରିବା ବେଳେ ମନ୍ତ୍ରୀ ପର୍ସାଦିଲାଲ ମୀନାଙ୍କୁ ଭିଡିଓ ଉତ୍ତୋଳନ କରୁଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ, ଗୁରୁଦେବ ଟିକେ ଧ୍ୟାନ ଦେଇଥାନ୍ତେ, ମହିଳାମାନେ ଏହି ଶୌଚାଳୟକୁ ଯାଉଛନ୍ତି । କିନ୍ତୁ ସେ ସେହି ବ୍ୟକ୍ତିଙ୍କ କଥାକୁ ଅଣଦେଖା କରି ଚାଲିଯାଇଥିଲେ । ମନ୍ତ୍ରୀ ମହିଳା ଶୌଚାଳୟ ଛାଡିବା ପରେ ଜଣେ ମହିଳା ମଧ୍ୟ ତାଙ୍କ ପଛରେ ଆସୁଥିବାର ଦେଖିବାକୁ ମିଳିଛି । ଯଦିଓ ଏହି ଭିଡିଓ କେବେ ଏବଂ କେଉଁଠାରେ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । ମହିଳା ଶୌଚାଳୟ ବ୍ୟବହାର କରିବା ପରେ ମନ୍ତ୍ରୀ ପର୍ସାଦିଲାଲ ମୀନା ବିଜେପି ଟାର୍ଗେଟରେ ଆସିଛନ୍ତି।
ବିଜେପି ନେତା ଲକ୍ଷ୍ମୀକାନ୍ତ ଭରଦ୍ବାଜ କହିଛନ୍ତି ଯେ, 'ମନ୍ତ୍ରୀ ନିଜ ସମ୍ମାନକୁ ଧ୍ୟାନରେ ରଖିବା ଉଚିତ୍। ଯଦି ଖୋଦ ମନ୍ତ୍ରୀ, ଯିଏକି ମହିଳାଙ୍କ ସମ୍ମାନ ରକ୍ଷା କରିବାକୁ ପ୍ରତିଶୃତି ବଦ୍ଧ, ସେ ଯଦି ନିଜେ ମହିଳାଙ୍କୁ ଅସମ୍ମାନ କରିବେ ତେବେ ଅନ୍ୟମାନଙ୍କଠାରୁ କ’ଣ ଆଶା କରାଯିବ ? ଜଣେ ପୁରୁଷ ମନ୍ତ୍ରୀଙ୍କ ଉଦ୍ଦେଶ୍ୟମୂଳକ ଭାବେ ମହିଳା ଶୌଚାଳୟ ବ୍ୟବହାର କରିବା, କ’ଣ ପ୍ରମାଣ କରେ?’