ହାଇଦ୍ରାବାଦ: ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ରାଜ୍ୟରେ ପ୍ରଚାର କାର୍ଯ୍ୟ ଜୋରଦାର କରିଛି କଂଗ୍ରେସ । ରାଜ୍ୟକୁ ୩ ଦିନିଆ ଗସ୍ତର ଶେଷ ଦିନରେ ବିଜେପି ଇପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ତେଲେଙ୍ଗାନାର ଅନେକ ବିଜେପି କର୍ମୀ ପୂର୍ବରୁ ତାଙ୍କ ଆଗରେ ବଲିଉଡ ହିରୋ ଭଳି ଆଚରଣ କରୁଥିଲେ । ହେଲେ ଏବେ କଂଗ୍ରେସରେ ସାମିଲ ହେବା ଲାଗି ଧାଡ଼ି ବାନ୍ଧିଥିବା କହିଛନ୍ତି ରାହୁଲ । ଏହି ୩ ଦିନିଆ ଗସ୍ତରେ ରାଜ୍ୟରେ ଅନେକ ପ୍ରମୁଖ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା ।
ସାଂସଦ ରାହୁଲ ଗାନ୍ଧୀ ନିଜାମବାଦ, ଜଗତିଆଲ ଜିଲ୍ଲାରେ ଆୟୋଜିତ ଜନସଭାରେ ଯୋଗ ଦେଇ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ । ତାଙ୍କ ମାଆ ତଥା ପୂର୍ବତନ AICC ସଭାନେତ୍ରୀ ସୋନିଆ ଗାନ୍ଧୀ ତେଲେଙ୍ଗାନା ସ୍ବତନ୍ତ୍ର ରାଜ୍ୟ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଯଦି ସେ ଏହାକୁ ସମର୍ଥନ କରିନଥାନ୍ତେ, ତେବେ ଏହି ନୂଆ ଦକ୍ଷିଣାଞ୍ଚଳ ରାଜ୍ୟ ଗଠନ ହୋଇପାରିନଥାନ୍ତା ବୋଲି କହିଥିଲେ ରାହୁଲ ।
ଏହା ବି ପଢନ୍ତୁ- ବାଜିଲା 5 ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ: ନଭେମ୍ବର 7ରେ ମତଦାନ, ଡିସେମ୍ବର 3ରେ ଗଣତି
ନିର୍ବାଚନ ସମ୍ପର୍କରେ ଆଲୋଚନା କରି ରାହୁଲ କହିଥିଲେ, "ଏଠାରେ କଂଗ୍ରେସ ଓ BRS ମଧ୍ୟରେ ଲଢେଇ ହେବ । ପୂର୍ବରୁ ଏଠାକାର ବିଜେପି ନେତାମାନେ ତାଙ୍କ ଆଗରେ ବଲିଉଡ ହିରୋ ଭଳି ଆଚରଣ କରୁଥିଲେ । ହେଲେ ଏବେ ସେମାନେ କଂଗ୍ରେସରେ ସାମିଲ ହେବାକୁ ଧାଡ଼ି ବାନ୍ଧିଛନ୍ତି । ମାତ୍ର ଆମେ ସେମାନଙ୍କୁ ଚାହୁଁନାହୁଁ । ସୋନିଆ ଗାନ୍ଧୀ ତେଲେଙ୍ଗାନା ରାଜ୍ୟ ଗଠନ ଲାଗି ଆପଣଙ୍କୁ ସାହାଯ୍ୟ କରିଥିଲେ । ମୁଁ ଏହା ମଧ୍ୟ କହିପାରିବି, ଯଦି ସୋନିଆଜୀ ସମର୍ଥନ କରିନଥାନ୍ତେ, ତେବେ ଅଲଗା ରାଜ୍ୟ ଗଠନ ହୋଇପାରିନଥାନ୍ତା ।"
ନଭେମ୍ବର ୩୦ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ଚାଷୀଙ୍କ ପ୍ରତି ଫସଲ ପିଛା ୫୦୦ ଟଙ୍କା ସର୍ବନିମ୍ନ ସହାୟତା ରାଶି (MSP) ପ୍ରଦାନ କରାଯିବ । ଏହାସହ ହଳଦୀ ଚାଷୀଙ୍କୁ ୧୨ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରତି କ୍ବିଣ୍ଟାଲ ପିଛା ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି କଂଗ୍ରେସ । ଏହାସହ କଂଗ୍ରେସ ରାଜ୍ୟରେ ଚିନି କଳ ପ୍ରତିଷ୍ଠା କରିବ ବୋଲି କହିଛନ୍ତି ରାହୁଲ । ଖାଲି ସେତିକି ନୁହେଁ, କଂଗ୍ରେସ କ୍ଷମତାକୁ ଆସିଲେ ଜାତିଭିତ୍ତିକ ଜନଗଣନା ରାଜ୍ୟରେ କରିବ ବୋଲି ସେ କହିଛନ୍ତି ।
ରାହୁଲ ବିଆରଏସ, ବିଜେପି ଓ AIMIM ଉପରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ କେସିଆର ଗୈରିକ ଦଳକୁ ସଂସଦରେ ସମର୍ଥନ କରୁଛନ୍ତି । ତେଲେଙ୍ଗାନା ସରକାର ଦୁର୍ନୀତିଗ୍ରସ୍ତ ବୋଲି ସେ ଅଭିଯୋଗ କରିଛନ୍ତି । ହେଲେ ଏଠାରେ ସିବିଆଇ, ଇଡି କି ଆଇଟି ବିଭାଗର ରେଡ ହେଉନାହିଁ । ଏହାର ଅର୍ଥ ବିଜେପି BRSକୁ ରକ୍ଷା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ତାଙ୍କ ସମ୍ପର୍କ ତେଲେଙ୍ଗାନା ସହିତ ବର୍ଷ ବର୍ଷର । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲା ନେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ଅମଳରୁ ତାଙ୍କ ସମ୍ପର୍କ ଏହି ରାଜ୍ୟ ସହିତ ରହିଆସିଛି ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ