ଥିରୁଅନନ୍ତପୁରମ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଫିସରେ ଲାଗିଥିବା ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ନଷ୍ଟ କରିବା ଅଭିଯୋଗରେ ତାଙ୍କର ବ୍ୟକ୍ତିଗତ ସହାୟକ(PA) ଗିରଫ । ପିଏ ସମେତ ପୋଲିସ ୪ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ପିଏ ରଥୀଶ କୁମାର, ଅଫିସ ଷ୍ଟାଫ୍ ରାହୁଲ ଏସ ରବି, କଂଗ୍ରେସ ନେତା ନୌସାଦ ଏବଂ ମୁଜୀବ । ଭାରତୀୟ ଛାତ୍ର ସଂଘର କର୍ମକର୍ତ୍ତା (SFI) ରାହୁଲଙ୍କ ୱାୟନାଡ଼ ଅଫିସ୍ ଭଙ୍ଗାରୁଜା କରିବାର କିଛି ସମୟ ପରେ ସେମାନେ ଅଫିସ୍ କାନ୍ଥରେ ଲାଗିଥିବା ଗାନ୍ଧିଜୀଙ୍କ ଫଟୋଚିତ୍ରକୁ ନଷ୍ଟ କରିଦେଇଥିଲେ । ଏହାର ଦୋଷ ସେମାନେ ଛାତ୍ର ସଂଘ ଉପରେ ଲଦିବାକୁ ଷଡଯନ୍ତ୍ର କରିଥିଲେ ।
SFI କର୍ମକର୍ତ୍ତା ଅଫିସରେ ଭଙ୍ଗାରୁଜା କରିବା ପରେ ନିଆଯାଇଥିବା ଭିଡିଓ ଫୁଟେଜରେ କାନ୍ଥରେ ଗାନ୍ଧିଜୀଙ୍କ ଫଟୋ ରହିଥିବା ଦେଖାଯାଇଥିଲା । କିନ୍ତୁ କଂଗ୍ରେସ ଦ୍ବାରା ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରେ ବାପୁଙ୍କ ଫଟୋ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଛାତ୍ର ସଂଘର କର୍ମକର୍ତ୍ତାଙ୍କ ଉପରେ ଦୋଷ ଲଦିବାକୁ କଂଗ୍ରେସ କର୍ମୀମାନେ ହିଁ ଫଟୋଚିତ୍ର ଖରାପ କରିଥିବା ଛାନଭିନରୁ ଜଣାପଡିଥିଲା । ଏହି ଘଟଣା ସମ୍ପର୍କରେ ପୋଲିସ ଚାରିଜଣଙ୍କୁ କିଛି ଘଣ୍ଟା ପଚରାଉଚରା କରିଥିଲା । ପରେ ପୋଲିସ ପିଏଙ୍କ ସମେତ ୪ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ।
ଉଲ୍ଲେଖଯୋଗ୍ୟ, ଗତ ଜୁନ ୨୪ ତାରିଖରେ ଭାରତୀୟ ଛାତ୍ର ସଂଘର କର୍ମକର୍ତ୍ତା ୱାୟନାଡ଼ ସ୍ଥିତ ରାହୁଲ ଗାନ୍ଧୀଙ୍କ ଅଫିସ୍ ଉପରେ ଆକ୍ରମଣ କରିଥିଲେ । ବଫର ଜୋନ୍ ଘଟଣାକୁ କେନ୍ଦ୍ର କରି SFI କର୍ମକର୍ତ୍ତା ରାହୁଲଙ୍କ ଅଫିସ ମଧ୍ୟରେ ପ୍ରବେଶ କରିବା ସହ ସେଠାରେ ଥିବା ଅନେକ ଜିନିଷ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୋଲିସ ୨୯ ଜଣଙ୍କୁ ଗିରଫ କରିଥିଲା ।