ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନୀ ମୈଦାନ ଏବେ ଆରୋପ ପ୍ରତ୍ୟାରୋପର ମଞ୍ଚରେ ପରିଣତ ହେବା ପରି ଦୃଶ୍ୟମାନ ହେଉଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ 91ଥର ତାଙ୍କ ପ୍ରତି ଅବଶବ୍ଦ ବ୍ୟବହାର କରିସାରିଥିବା କହିବା ପରେ ଆଜି ସେହି ନିର୍ବାଚନୀ ସଭାମଞ୍ଚରୁ ଏହାର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।
ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ନିର୍ବାଚନର କେବଳ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହେଉନାହିଁ । ଏକଥା ପ୍ରଧାନମନ୍ତ୍ରୀ ବୁଝିବା ଆବଶ୍ୟକ । ପ୍ରକୃତ ପ୍ରସଙ୍ଗ ନେଇ ବିଜେପି ଲୋକଙ୍କ ପାଖକୁ ଭୋଟ ମାଗିବାକୁ ଯାଉ । ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାମଞ୍ଚରେ ବ୍ୟକ୍ତିଗତ କଥା ନକହି, କର୍ଣ୍ଣାଟକବାସୀଙ୍କ କଥା କୁହନ୍ତୁ । ଦଳ କ୍ଷମତାରେ ଥିବା 3 ବର୍ଷ ଓ ସେ ଆଗକୁ କ୍ଷମତାରେ ରହିଲେ ରାଜ୍ୟବାସୀଙ୍କ ପାଇଁ କଣ କରିବ ସେନେଇ ପ୍ରଧାନମନ୍ତ୍ରୀ କହିବା ଉଚିତ ବୋଲି ରାହୁଲ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ରାହୁଲ କହିଛନ୍ତି,"ଆପଣ ନିର୍ବାଚନୀ ମୈଦାନକୁ ଆସୁଛନ୍ତି, ନିର୍ବାଚନ ପ୍ରସଙ୍ଗର କିଛି କହୁନାହାନ୍ତି । ଆପଣଙ୍କ ବ୍ୟକ୍ତିଗତ କଥା କହି ଚାଲିଛନ୍ତି । ଆପଣ ଗତ 3ବର୍ଷ ମଧ୍ୟରେ କର୍ଣ୍ଣାଟକ ପାଇଁ କଣ କରିଛନ୍ତି ଓ କ୍ଷମତାକୁ ଆସିଲେ ଆସନ୍ତା 5 ବର୍ଷ ମଧ୍ୟରେ କ’ଣ କରିବେ ସେନେଇ ଲୋକଙ୍କୁ କହିବା ଉଚିତ । ଆପଣ କର୍ଣ୍ଣାଟକ ଯୁବପିଢିଙ୍କ ପାଇଁ କ’ଣ କରିଛନ୍ତି, ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କ’ଣ କରିଛନ୍ତି ସେ ନେଇ ନିର୍ବାଚନୀ ସଭାରେ ମନ୍ତବ୍ୟ ରଖନ୍ତୁ ।"
ସୋମବାର ଟୁମୁକୁରୁରେ ଦଳ ଦ୍ବାରା ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ରାହୁଲ ପ୍ରଧାନମନ୍ତ୍ରୀଙ୍କର ଏହି ଅଭିଯୋଗକୁ ନିଜ ସମ୍ବୋଧନର ପ୍ରସଙ୍ଗ କରିଥିଲେ । କହିଥିଲେ, "ଏହି ନିର୍ବାଚନ କେବଳ ଆପଣଙ୍କ ପାଇଁ ନୁହେଁ, ଏହା କର୍ଣ୍ଣାଟକର ଲୋକଙ୍କ ପାଇଁ ସେମାନଙ୍କ ଭିବଷ୍ୟତ ପାଇଁ । ଆପଣ କହିଲେ କଂଗ୍ରେସ ଆପଣଙ୍କୁ 91ଥର ଅପମାନିତ କରିବା ପରି ଶବ୍ଦ ପ୍ରୟୋଗ କରିଛି । ଆପଣ କେବେ ହେଲେ ରାଜ୍ୟବାସୀଙ୍କ ପାଇଁ କ’ଣ କରିଛନ୍ତି ସେକଥା କହିଲେ ନାହିଁ । ଆପଣଙ୍କ ପରବର୍ତ୍ତୀ ସମ୍ବୋଧନରେ ଆପଣ ଓ ଆପଣଙ୍କ ଦଳ ରାଜ୍ୟବାସୀଙ୍କ ପାଇଁ କଣ କରିଛନ୍ତି ଓ ଆଗକୁ କ’ଣ କରିବେ ସେ ସମ୍ପର୍କରେ କୁହନ୍ତୁ ।"
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ଦଳ ପାଇଁ ପ୍ରଚାର ବେଳେ ନିର୍ବାଚନୀ ସଭାମଞ୍ଚରୁ କଂଗ୍ରେସ ତାଙ୍କ ପ୍ରତି ନିୟମିତ ଅପଶବ୍ଦ ବ୍ୟବହାର କରିଆସିଥିବା କହିଥିଲେ । ଏପର୍ଯ୍ୟନ୍ତ କଂଗ୍ରେସ ତାଙ୍କୁ 91 ଥର ଅପଶବ୍ଦ ବ୍ୟବହାର କରିସାରିଲାଣି । କେବଳ ତଳସ୍ତରର ନେତା ନୁହନ୍ତି ବରଂ ଦଳର ବରିଷ୍ଠ ଓ ଶୀର୍ଷ ନେତା ମଧ୍ୟ ତାଙ୍କୁ ଏପରି ଅପଶବ୍ଦ ବ୍ୟବାହର କରିବାରେ ପଛଘୁଞ୍ଚା ଦେଇନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତେବେ କଂଗ୍ରେସ ଯେବେ ଯେବେ ଏପରି କରିଛି, ଜନତା ତାଙ୍କୁ ଭୋଟ ମାଧ୍ୟମରେ ଜବାବ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏହି ଟିପ୍ପଣୀ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ