ଚଣ୍ଡୀଗଡ: କିଏ ହେବ ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ? କାହା ନାଁ ଘୋଷଣା କରିବେ ରାହୁଲ ଗାନ୍ଧୀ ? ସିଦ୍ଧୁ ନା ଚନ୍ନି, କାହାକୁ ବାଛିବେ ରାହୁଲ ? ଏହାକୁ ନେଇ ପଞ୍ଜାବ କଂଗ୍ରେସରେ ଲାଗିଛି ରହିଛି ଟଣାଓଟରା । ଯେଉଁଥିରେ ଆଜି ଯବନିକା ଟାଣିପାରନ୍ତି ପାର୍ଟି ମୁଖିଆ । ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଆଜି(ରବିବାର) ରାହୁଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାମ ଘୋଷଣା କରିପାରନ୍ତି ।
ବର୍ତ୍ତମାନ ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଓ ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ । ଯାହା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଉଷ୍ଣତା ଆଣିଛି । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (APP) ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସ୍ପଷ୍ଟ କରିସାରିଛି । ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପୂର୍ବରୁ ଫୋନକଲ୍ ମାଧ୍ୟମରେ ରାଜ୍ୟବାସୀଙ୍କ ଜନମତ ସଂଗ୍ରହ କରିଥିଲା । କଂଗ୍ରେସ ମଧ୍ୟ ଉକ୍ତ ମାଧ୍ୟମକୁ ଆପଣାଇବା ନେଇ ପ୍ରସ୍ତୁତି ଚଳାଇଛି ।
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଟଣାଓଟରା ମଧ୍ୟ ପଞ୍ଜାବ କଂଗ୍ରେସ ସଭାପତି ସିଦ୍ଧୁ କହିଛନ୍ତି, ଏହି ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ ଯାହା ବି ନିଷ୍ପତ୍ତି ନେବେ ମୁଁ ତାହାକୁ ଗ୍ରହଣ କରିବି । ମୁଁ ପରିବର୍ତ୍ତନ ଲକ୍ଷ୍ୟରେ ରାଜନୀତିରେ ପାଦ ଦେଇଥିଲି, ପଦ ପାଇଁ ନୁହେଁ । ପାର୍ଟି ହାଇକମାଣ୍ଡଙ୍କ ଇଚ୍ଛା ମୋ କମାଣ୍ଡ । ମୁଖ୍ୟମନ୍ତ୍ରୀ ଚେହେରା ହୁଏ ଅବା ନ ହୁଏ, ଶେଷ ନିଶ୍ବାସ ଯାଏଁ ମୁଁ ଦଳ ସହ ରହିବି ବୋଲି ସିଦ୍ଧୁ କହିଛନ୍ତି ।