ନୂଆଦିଲ୍ଲୀ: ସାଂସଦ କୋଟାରେ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବେ ନାହିଁ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା । ଆଜି ଦିଲ୍ଲୀ ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କ ଆଦେଶକୁ ଖାରଜ କରିଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ରାଘବଙ୍କୁ ମଳିଥିବା ଅନ୍ତରୀଣ ରହିତାଦେଶକୁ ଟ୍ରାଏଲ କୋର୍ଟ ଖାରଜ କରିଦେଇଥିଲେ । ଯାହାକୁ ନେଇ ସେ ଦିଲ୍ଲୀ ହୋଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଆଜି ଆଇକୋର୍ଟ ରାଘବଙ୍କ ସପକ୍ଷରେ ରାୟ ଦେବା ପରେ ଏବେ ତାଙ୍କୁ ଟାଇପ-7ରେ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବନାହିଁ ।
ଅକ୍ଟୋବର 10 ତାରିଖରେ ତାଙ୍କ ସରକାରୀ ବଙ୍ଗଳାର ଆବଣ୍ଟନ ଶେଷ ହେବା ପରେ ମଧ୍ୟ ସେ ରାଜ୍ୟସଭା ସାଂସଦ ଭାବେ ଉକ୍ତ ବଙ୍ଗଳାକୁ ଦଖଲରେ ରଖିପାରିବେ ନାହିଁ ବୋଲି ତଳ କୋର୍ଟ କହିଥିଲେ । ଏହା ସହ ଏହାକୁ ଖାଲି କରିବା ପାଇଁ ରାଜ୍ୟସଭା ସଚିବାଳୟର ନୋଟିସକୁ ବୈଧ ଦର୍ଶାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଚଢା ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଆଜି ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ଅନୁପ ଜୟରାମ ଭମ୍ବନୀ ତଳ କୋର୍ଟ ଏହି ମାମଲାରେ ଚୂଡାନ୍ତ ରାୟ ପ୍ରକାଶ ନକରିବା ପର୍ଯ୍ୟନ୍ତ ଏହି ମାମଲାରେ ଅନ୍ତରୀଣ ରହିତାଦେଶ ପ୍ରତ୍ୟାହାରକୁ ଖାରଜ କରିଛନ୍ତି ।
ପୂର୍ବରୁ ତାଙ୍କୁ ଟାଇପ -7 ବର୍ଗର ସରକାରୀ କୋଟାର ବଙ୍ଗଳା ଖାଲି କରି ଫ୍ଲାଟରେ ସିଫ୍ଟ ହେବା ପାଇଁ ରାଜ୍ୟସଭା ସଚିବାଳୟ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ପ୍ରଥମେ ତଳ କୋର୍ଟରୁ ଅନ୍ତରୀଣ ରହିତାଦେଶ ପାଇଥିଲେ ଚଢା । ପରେ ଉକ୍ତ ରହିତାଦେଶ ତଳକୋର୍ଟ ଖାରଜ କରିବା ପରେ ଚଢା ହାଇକୋର୍ଟରେ ହାଜର ହୋଇଥିଲେ । ଆଜି ତାଙ୍କୁ ସେଠାରୁ ବଡ ଆଶ୍ବସ୍ତି ମିଳିଛି । ଏହି ମାମଲାର ପରବର୍ତ୍ତେ ଶୁଣାଣି ଚଳିତ ମାସ 30ରେ ହେବାକୁ ଯାଉଛି । ସେପର୍ଯ୍ୟନ୍ତ ରାଜ୍ୟସଭା ସଚିବାଳୟ ତାଙ୍କୁ ସରକାରୀ ବଙ୍ଗଳାରୁ ବେଦଖଲ କରିପାରିବନାହିଁ ।
ଅନ୍ୟପଟେ ଗତକାଲି ସର୍ବୋଚ୍ଚ କୋର୍ଟ ଚଢାଙ୍କର ରାଜ୍ୟସଭାରୁ ସଦସ୍ୟତା ନିଲମ୍ବନ ଆଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି କରିବା ପାଇଁ ରାଜି ହୋଇଛନ୍ତି । ତେବେ କିଛି ସାଂସଦଙ୍କ ବିନା ଅନୁମତିରେ ସେମାନଙ୍କର ହସ୍ତାକ୍ଷର ସଂଗ୍ରହ କରି ଏକ କମିଟି ପାଇଁ ସୁପାରିଶ କରିବା ଅଭିଯୋଗ ହୋଇଥିଲା । 4 ଜଣ ସାଂସଦ ଏହି ଅଭିଯୋଗ ଆଣିବା ପରେ ଚଢାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି । ସେ ଏବେ ଏହି ମାମଲାରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସର୍ବୋଚ୍ଚ କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ