ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୨ ପ୍ରାର୍ଥୀ ଘୋଷଣା କଲା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନବଗଠିତ ଦଳ ପଞ୍ଜାବ ଲୋକ କଂଗ୍ରେସ (PLC) । ଆଜି (ରବିବାର) ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଦଳ ମୁଖ୍ୟ କ୍ୟାପଟେନ ସିଂ । ଏହି ପ୍ରଥମ ପର୍ଯ୍ୟାୟ ତାଲିକାରେ ଦଳ ମୁଖ୍ୟ କ୍ୟାପଟେନ ସିଂଙ୍କ ସମେତ ଅନେକ ବରିଷ୍ଠ ମୁହଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ।
ପଟିଆଲା ଅର୍ବାନ ଆସନରୁ ନିଜେ କ୍ୟାପଟେନ ସିଂ ନିର୍ବାଚନୀ ଲଢିବେ । ସେହିପରି ଏହି ପ୍ରଥମ ପର୍ଯ୍ୟାୟ ତାଲିକାରେ ଜଣେ ମହିଳା ମଧ୍ୟ ରହିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କ୍ୟାପଟେନ କହିଛନ୍ତି, ଆଜି ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ୨ ଜଣ ମାଝା କ୍ଷେତ୍ରରୁ ହୋଇଥିବା ବେଳେ ଦୌବା କ୍ଷେତ୍ରରୁ ୩ ଜଣ ଏବଂ ୧୭ ଜଣ ପ୍ରାର୍ଥୀ ପଞ୍ଜାବର ମାଲୱା କ୍ଷେତ୍ର ବିଭିନ୍ନ ବିଧାନସଭା ଆସନରୁ ରହିଛନ୍ତି । ସେହିପରି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସନ୍ତା ୨ ଦିନ ମଧ୍ୟରେ ଏହି ଘୋଷଣା ହେବା ନେଇ ମଧ୍ୟ କ୍ୟାପଟେନ ସିଂ ସୂଚନା ଦେଇଛନ୍ତି ।
ପଞ୍ଜାବର ମୋଟ 117 ଟି ସିଟ୍ ମଧ୍ୟରୁ 37 ଟିରେ କ୍ୟାପଟେନଙ୍କ ପଞ୍ଜାବ ଲୋକ କଂଗ୍ରେସ, ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଶିରୋମଣୀ ଅକାଳୀ ଦଳ (ସଂଯୁକ୍ତ) ସହିତ ବୁଝାମଣା ହୋଇଛି । ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରି କ୍ୟାପଟେନ ସିଂ କହିଛନ୍ତି ପ୍ରାର୍ଥୀ ଭାବେ ଟିକେଟ ପାଇଥିବା ସମସ୍ତ ନେତା ବେଶ ଦକ୍ଷ ଓ ରାଜନୈତିକ ଅନୁଭବ ସାଙ୍ଗକୁ ସେମାନଙ୍କ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ମଧ୍ୟ ।
ପୂର୍ବତନ ଅକାଳୀ ଦଳ ବିଧାୟକ ତଥା ସ୍ୱର୍ଗତ ଡିଜିପି ଇଜହର ଆଲାମ ଖାନଙ୍କ ପତ୍ନୀ ଫରଜାନା ଆଲାମ ଖାନ ମାଲୱା ଅଞ୍ଚଳର ମଲେରକୋଟଲା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । କ୍ୟାପଟେନ ଅମରିନ୍ଦର ସିଂ ନିଜ ଗୃହ ଆସନ ପଟିଆଲା ଅର୍ବାନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଉଛନ୍ତି । ସେହିପରି ପ୍ରଥମ ତାଲିକାରେ ଆଠ ଜଣ ଜାଟ ଶିଖ ପ୍ରାର୍ଥୀ ରହିଛନ୍ତି । ଚାରିଜଣ ପ୍ରାର୍ଥୀ ଏସସି ସମ୍ପ୍ରଦାୟର, ୩ ଜଣ ଓବିସି ସମ୍ପ୍ରଦାୟର ହୋଇଥିବା ବେଳେ ୫ଜଣ ହିନ୍ଦୁ ଚେହେରା (ତିନି ପଣ୍ଡିତ ସମ୍ପ୍ରଦାୟ ଏବଂ ଦୁଇ ଅଗ୍ରୱାଲ୍) ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ