ଚଣ୍ଡିଗଡ: ମଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ପୂର୍ବ ମୁଖ୍ୟମନ୍ତ୍ରୀଙ୍କର ବିସ୍ଫୋରକ ବୟାନ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦଳର ବର୍ତ୍ତମାନ ରାଜ୍ୟ କଂଗ୍ରେସ ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ନାମ ଚର୍ଚ୍ଚା ହେଉଥିବାବାଳେ ଏହାକୁ ନେଇ ଅତି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ୟାପଟେନ ।
କ୍ୟାପଟେନ ସିଂ କହିଛନ୍ତି, ନବଜୋତ ସିଂ ସିଦ୍ଧୁ ଜଣେ ଅକ୍ଷମ ବ୍ୟକ୍ତି । ସେ ପଞ୍ଜାବ କଂଗ୍ରେସ ପାଇଁ ବିପର୍ଯ୍ୟୟ ସାବ୍ୟସ୍ତ ହୋଇପାରନ୍ତି। ସେହିପରି ଜାତୀୟ ସୁରକ୍ଷା ପ୍ରତି ସିଦ୍ଧୁ ମଧ୍ୟ ବିପଦ ବୋଲି ଅଭିଯୋଗ ଆଣି ଭର୍ତ୍ସନା କରିଛନ୍ତି କ୍ୟାପଟେନ ସିଂ। ସିଦ୍ଧୁ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଦେଶ ପାଇଁ ବିପଦ। ତାଙ୍କର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ପାକ ସେନା ମୁଖ୍ୟ ଜେନେରାଲ ବାଜଓ୍ବାଙ୍କ ସହ ସମ୍ପର୍କ ରହିଛି । ଯାହା ଦେଶର ସୁରକ୍ଷା ସମ୍ପର୍କିତ ବିପଦ । ଏପରି ଜଣେ ବିଶୃଙ୍ଖଳିତ ବ୍ୟକ୍ତିଙ୍କ ନାଁ ଦଳ ପକ୍ଷରୁ ଯଦି ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଏ, ତେବେ ତାକୁ ଦୃଢ ଭାବେ ବିରୋଧ କରିବେ ବୋଲି କ୍ୟାପଟେନ ସିଂ କହିଛନ୍ତି ।
ତେବେ ଏପରି ନିଷ୍ପତ୍ତି ପାଇଁ ଦଳ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ମଧ୍ୟ ସେ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । କୌଣସି ପରିସ୍ଥିତିରେ ସେ ସିଦ୍ଧୁଙ୍କ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିପାରିବେ ନାହିଁ ବୋଲି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି କ୍ୟାପଟେନ ସିଂ। ସେହିପରି ନିଜ ଇସ୍ତଫା ସମ୍ପର୍କରେ ସ୍ପଷ୍ଟ କରି ସେ କହିଛନ୍ତି , ସକାଳେ ସେ ଦଳୀୟ ହାଇକମାଣ୍ଡଙ୍କୁ ନିଜ ଇସ୍ତଫା ବାବଦରେ ଅବଗତ କରିସାରିଥିଲେ। ଏଥିରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କର ଏପରି ନିଷ୍ପତ୍ତିରେ ଦୁଃଖ ମଧ୍ୟ ପ୍ରକାଶ କରିଥିବା କହିଛନ୍ତି କ୍ୟାପଟେନ ସିଂ।
ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ପ୍ରତିକ୍ରିୟାରେ ଏପରି ଭାବେ ସିଦ୍ଧୁଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିରିନ୍ଦର ସିଂ। ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଥିବାବେଳେ ପୂର୍ବତମ ମୁଖ୍ୟମନ୍ତ୍ରୀଙ୍କ ଏପରି ଦୃଢ ବିରୋଧ ଦଳୀୟ ସମସ୍ୟାକୁ ବଢାଇବାର ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିଛି । ଏପରି ସ୍ଥଳେ ପଞ୍ଜାବ ପ୍ରଭାରୀ ତଥା ବରିଷ୍ଠ ନେତା ହରିଶ ରାଓ୍ବତ ମଧ୍ୟ ପଞ୍ଜାବରେ ପହଞ୍ଚିଛନ୍ତି । ଦଳ କଣ ନିଷ୍ପତ୍ତି ନେଉଛି ତାକୁ ସମସ୍ତଙ୍କ ଅପେକ୍ଷା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ