ଶ୍ରୀନଗର: କାଶ୍ମୀରରେ ବେଶ ସକ୍ରିୟ ଥିବା ଆତଙ୍କୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦ (JEM)ଙ୍କ ଦୁଇ ସକ୍ରୀୟ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲୱାମା ପୋଲିସ । ପୋଲିସ ସୂଚନା ଅନୁସାରେ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଓ ଗୁଳି ମଧ୍ୟ ଜବତ କରାଯାଇଛି । 44 ରାଷ୍ଟ୍ରୀୟ ରାଇଫଲ୍ସ ଓ 182 ବାଟାଲିୟନ CRPF ଯବାନଙ୍କ ମିଳିତ ସହଯୋଗରେ ପୁଲୱାମା ପୋଲିସ ଗୁଇନ୍ଦା ସୂଚନା ଅନୁସାରେ ଅପରେସନ ଆରମ୍ଭ କରିଥିଲା । ଏହି ଅପରେସନରେ ଦୁଇ ଆତଙ୍କୀଙ୍କୁ ଜୀବନ୍ତ ଧରିବାରେ ସୁରକ୍ଷା ବଳକୁ ସଫଳତା ମିଳିଥିବା କହିଛି କାଶ୍ମୀରର ପୁଲଓ୍ବାମା ପୋଲିସ ।
ପୋଲିସର ସୂଚନାନୁସାରେ, ଗିରଫ ହୋଇଥିବା ଦୁଇ ଆତଙ୍କୀ ସ୍ଥାନୀୟ ବାସିନ୍ଦା ଅଲ୍ଲୀ ମହମ୍ମଦ ଭଟଙ୍କ ପୁଅ ଆଦିଲ ଅଲ୍ଲୀ ଏବଂ ଗୁଲଜାର ଅହମ୍ମଦ ଦାର ହାଜିଙ୍କ ପୁଅ ଆସିଫ ଗୁଲଜର ବୋଲି ଜଣାପଡିଛି । ଦୁହେଁ ସାଥୀ ଆତଙ୍କୀଙ୍କୁ ଆଶ୍ରୟ ତଥା ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ସହିତ ଅସ୍ତ୍ରଶସ୍ତ୍ର ପରିବହନ କରିବା ଆଦିରେ ଜଡିତ ଥିଲେ । ସେହିପରି ସଂଗଠନର କମାଣ୍ଡରଙ୍କ ଯୋଗାଯୋଗରେ ରହିବା ସହ ପୋଲିସ ଓ ସୁରକ୍ଷା ବଳ ବିରୋଧରେ ଆତଙ୍କୀ ହାମଲାକୁ ସଫଳ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା ଯୋଗାଉଥିବା ପୋଲିସ ପ୍ରାଥମିକ ଭାବେ ଜାଣିବାକୁ ପାଇଛି ।
ଏମାନଙ୍କୁ ଗିରଫ କରିବା ପରେ ପୋଲିସ ପଚରାଉଚରା ଜାରି ରଖିଥିବାବେଳେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଛି । ପରବର୍ତ୍ତୀ ସମୟରେ ଉଭୟଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ