ରାଞ୍ଚି: ଝାଡ଼ଖଣ୍ଡରେ ଓଡ଼ିଆ, ବଙ୍ଗଳା ସମେତ ୯ଟି ଜନଜାତି ଭାଷାକୁ ମିଳିଥିଲା ରାଜ୍ୟଭାଷା ମାନ୍ୟତା । କିନ୍ତୁ ରାଜ୍ୟରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି । ବିଦ୍ୟାଳୟରେ ଓଡ଼ିଆ ଛାତ୍ରଛାତ୍ରୀ ଓଡ଼ିଆ ଭାଷାର ଶିକ୍ଷା ଗ୍ରହଣ କରିପାରୁନାହାନ୍ତି । ତେବେ ଏହା ବିରୋଧରେ ରାଜ୍ୟର ସରାଇକେଲାର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଆ ସମ୍ପ୍ରଦାୟର ଲୋକମାନେ ଧାରଣା ଦେଇଛନ୍ତି ।
ଏହି ଧାରଣାରେ ସିଂହଭୂମର ବିଭିନ୍ନ ଅଞ୍ଚଳର ଓଡିଆ ଅଧିବାସୀମାନେ ସାମିଲ ହୋଇଥିଲେ । ଗତ 2009 ମସିହାରେ ଓଡି଼ଆ, ବଙ୍ଗଳା ସମେତ ୯ଟି ଭାଷାକୁ ରାଜ୍ୟର ଦ୍ବିତୀୟ ସରକାରୀ ଭାଷା ମାନ୍ୟତା ଦିଆଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଓଡିଆ ଭାଷାଭାଷୀ ଲୋକମାନେ ସେମାନଙ୍କର ଉଚିତ ଅଧିକାର ପାଇପାରିନାହାନ୍ତି । ଏପରିକି ଓଡିଆ ଭାଷାଭାଷୀ ପିଲାମାନେ ସେମାନଙ୍କର ମାତୃଭାଷାରେ ଅଧ୍ୟୟନ କରିବାର ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ସରକାରୀ ସ୍ତରରେ ଓଡିଆ ଭାଷାକୁ ଅବହେଳା କରାଯାଉଛି ବୋଲି ରାଜ୍ୟ ସଂଖ୍ୟାଲଘୁ ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀ କହିଛନ୍ତି ।
ଏହି ଧାରଣାରେ ପୂର୍ବତନ ବିଧାୟକ ଗୁରୁଚରଣ ନାୟକ, ରାଜ୍ୟ ସଂଖ୍ୟାଲଘୁ ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅଶୋକ ଷଡଙ୍ଗୀ, ସରାଇକେଲା ନଗର ପଞ୍ଚାୟତ ସଭାପତି ମୀନାକ୍ଷୀ ପଟ୍ଟନାୟକ, ଉପାଧ୍ୟକ୍ଷ ମନୋଜ ଚୌଧୁରୀ, ଉଦୟ ସିଂଦେବ, ଗଣେଶ ମହଲି, ସୁଶୀଲ ଷଡ଼ଙ୍ଗୀ, ସରାୟକେଲା-ଖାରସୱାନର ଓଡିଆ ସମ୍ପ୍ରଦାୟ ଉପସ୍ଥିତ ଥିଲେ। ଏହି ବିକ୍ଷୋଭରେ ଉତ୍କଳ ସମ୍ମିଳନୀ ଓଡି଼ଆ ଶିକ୍ଷକ ସଂଘର ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ