ଇନାଡୁ ସମ୍ପାଦକୀୟ
ଆଲେଖ୍ୟ:- ଡ.ରବେଲ୍ଲା ଭାନୁ କ୍ରିଷ୍ଣା କିରଣ
ହାଇଦ୍ରାବାଦ: ଏୟାର ଡିଫେନ୍ସ ସିଷ୍ଟମକୁ ଶକ୍ତିଶାଳୀ କରିବା ପାଇଁ ଭାରତ ଆରମ୍ଭ କରିଛି ‘ପ୍ରୋଜେକ୍ଟ କୁଶ’ । ଯାହାକି ଏକ ଦୂରଗାମୀ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରଣାଳୀ (LR-SAM) ସହ ବିକଶିତ ହେବାକୁ ଯାଉଛି । ଏହାକୁ ଆସନ୍ତା 2028-29 ମସିହା ସୁଦ୍ଧା ଶେଷ କରାଯାଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହା ଏବେ ଋଷ ଠାରୁ କ୍ରୟ କରାଯାଇଥିବା ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ବିଏସ-400ର କ୍ଷମତା ସହ ପ୍ରାୟତଃ ସମାନ ହେବ । 2022 ମସିହାରେ ଏହି ପ୍ରକଳ୍ପର ବିଚାର ଆରମ୍ଭ କରାଯାଇଥିବା ବେଳେ ନିକଟରେ କ୍ୟାବିନେଟ ପ୍ରତିରକ୍ଷା କମିଟି ଏହି ପ୍ରକଳ୍ପକୁ ଆଗକୁ ବଢାଇବା ପାଇଁ ଅନୁମତି ଦେଇଛନ୍ତି ।
ଏହି ପ୍ରଣାଳୀକୁ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) ଓ ସରକାରୀ ଏବଂ ଘରୋଇ କମ୍ପାନୀ ସହାୟତାରେ ବିକଶିତ କରାଯାଉଛି । ଯାହାକି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ଏକ ବଡ ଉପଲବ୍ଧି ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଏହାର 5ଟି ସ୍କ୍ବାର୍ଡନ ଗଠନ ହେବାକୁ ଥିବା ବେଳେ ମୋଟ ବ୍ୟବବରାଦ ରାଶି ରହିଛି 21,700 କୋଟି ଟଙ୍କା ।
ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦୂରଗାମୀ ଇଣ୍ଟରସେପ୍ଟର ଭାବେ କାର୍ଯ୍ୟ କରିବ । ଏଥିରେ 3ଟି ରେଞ୍ଜର ପୃଥକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ରହିବ । ପ୍ରଥମଟି 150 କି.ମି ଓ ଦ୍ବିତୀୟ, ତୃତୀୟ ଯଥାକ୍ରମେ 250 ଓ 350 କି.ମି ଲକ୍ଷ୍ୟଭେଦ କ୍ଷମତା ସହ ସଞ୍ଚାଳିତ ହେବ । ଯାହାକି କୌଣସି ପ୍ରକାର ଏୟାରଷ୍ଟ୍ରାଇକରୁ ଦେଶର ବାୟୁସୀମାକୁ ଏକ ଅଦୃଶ୍ୟ ପ୍ରାଚୀର ପରି ସୁରକ୍ଷା ଦେବ।
କ୍ଷୁଦ୍ର ବିମାନକୁ ଟାର୍ଗେଟ କରିବା ପାଇଁ ଏହା 250 କି.ମି ଲକ୍ଷଭେଦି କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ବ୍ୟବହାର କରିବ । ସେହିପରି ବଡ ଓ AWACS ବର୍ଗର ବିମାନ ସମେତ ମଝି ଆକାଶରେ ରିଫ୍ଯୁଲିଂ କରୁଥିବା ବିମାନକୁ ଟାର୍ଗେଟ କରିବା ପାଇଁ 350 କି.ମି କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ଫାଏର ହେବ । ସିଙ୍ଗଲ ସଟ ଫାଏରରେ ଏହା ପ୍ରାୟ 85 ପ୍ରତିଶତ ସଠିକତାର ସହ ଫାଏର କରିବାକୁ ଥିବା ବେଳେ ଡୁଆଲ ଫାଏରରେ ଏହା ପ୍ରାୟ 98.5 ପ୍ରତିଶତ ନିଶ୍ଚିତତାର ସହ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି । ମାତ୍ର 5 ସେକେଣ୍ଡ ବ୍ୟବଧାନରେ 250 ଓ 350 କି.ମି ବିଶିଷ୍ଟ ଦୁଇଟି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରିହେବ ।
ଏଥିରେ କେବଳ ଇଣ୍ଟରସେପ୍ଟର ନୁହେଁ ବରଂ ଲଙ୍ଗରେଞ୍ଜ ରାଡାର ଓ ଫାଏର କଣ୍ଟ୍ରୋଲ ସିଷ୍ଟମ ମଧ୍ୟ ବିକଶିତ ରହିବ । ଶତ୍ରୁ ଦେଶର ବାୟୁସୀମା ମଧ୍ୟରେ 500-600 କି.ମି ମଧ୍ୟରେ ଏହା ବିମାନ ଓ ଅନ୍ୟ ଏୟାରକ୍ରାଫ୍ଟକୁ ଚିହ୍ନଟ ମଧ୍ୟ କରିପାରିବ । ଏହାର ଅତି ଶକ୍ତିଶାଳୀ ରାଡାର କ୍ଷମତା ଭାରତୀୟ ବାୟୁସେନାକୁ ଅଧିକ ପ୍ରଭାବୀ କରିପାରିବ । ଯାହା ପାକିସ୍ତାନ ଓ ଚୀନ ସୀମା ସଲଗ୍ନ ତିବ୍ବତୀୟ ମାଳଭୂମି ଅଞ୍ଚଳରେ ଶତ୍ରୁ ପକ୍ଷର ବାୟୁସୀମାର ଗତିବିଧି ସମ୍ପର୍କରେ ସୂଚନା ସଂଗ୍ରହ କରିପାରବ ।
ଆଗାମୀ ସ୍ୱଦେଶୀ LR-SAM ସିଷ୍ଟମ ସହିତ ଭାରତୀୟ ବାୟୁସେନାକୁ ଋଷ ସହ ଚୁକ୍ତି ହୋଇଥିବା ଏସ-400 ବର୍ଗର ଦୁଇଟି ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ମିଳିପାରେ । 2018ରେ ଭାରତ-ଋଷ ମଧ୍ୟରେ 5.43 ବିଲିୟନ ଆମେରିକୀୟ ଡଲାର ବିନିମୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ଏଥିରେ ଏବେ ସୁଦ୍ଧା 380 କିଲୋମିଟର ଦୂରତା ବିଶିଷ୍ଟ 3ଟି ଏସ-400 ସିଷ୍ଟମ ଭାରତକୁ ହସ୍ତାନ୍ତର କରିସାରିଛି ଋଷ । ଏହା ଏବେ ଉତ୍ତର-ପଶ୍ଚିମ ଏବଂ ପୂର୍ବ ଭାରତୀୟ ସୀମାରେ ନିୟୋଜିତ ହୋଇସାରିଛି । ଉଭୟ ପାକିସ୍ତାନ ଓ ଚୀନ ସୀମାରେ ଏହାକୁ ନିୟୋଜିତ କରାଯାଇଛି । ୟୁକ୍ରେନ ଋଷ ଯୁଦ୍ଧ ମଧ୍ୟରେ ଏହି ଚୁକ୍ତିର ଯୋଗାଣ ପ୍ରକ୍ରିୟା ସାମାନ୍ୟ ପ୍ରଭାବିତ ହୋଇଥିଲା । ଏବେ ଭାରତୀୟ ବାୟୁସେନା ଖୁବଶିଘ୍ର ଅବଶିଷ୍ଟ ଦୁଇଟି କ୍ଷେପଣାସ୍ତ୍ର ପ୍ରଣାଳୀ ଋଷ ଠାରୁ ଗ୍ରହଣ କରିବାର ସମ୍ଭାବନା ବଢିଛି ।
16 ଅକ୍ଟୋବରରେ ମସ୍କୋର ନ୍ୟୁଜ୍ ଏଜେନ୍ସି ସ୍ପୁଟୋନିକର ଏକ ରିପୋର୍ଟ ଅନୁସାରେ ଏସ-400 ହେଉଛି ଏକ ସମନ୍ୱିତ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ (IADS)। ଯାହା ଦୀର୍ଘ, ମଧ୍ୟମ ଓ ସ୍ୱଳ୍ପ ରେଞ୍ଜ ବିଶିଷ୍ଟ ଏୟାର ଷ୍ଟ୍ରାଇକକୁ ମୁକାବିଲା କରିବା ପାଇଁ ସକ୍ଷମ । ମାତ୍ର ଭାରତର ‘ପ୍ରୋଜେକ୍ଟ କୁଶ’ କେବଳ ଦୂରଗାମୀ କ୍ଷେପଣାସ୍ତ୍ର ଓ ବାୟୁ ବିପଦକୁ ନଷ୍ଟ କରିବା ପାଇଁ ଉଦ୍ଦିଷ୍ଟ । ତେଣୁ ଏହା କୌଣସି IADS ସିଷ୍ଟମ ନୁହେଁ । ତେବେ ବର୍ତ୍ତମାନ ସମୟରେ ଭାରତ ଦୁଇ ପଡୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଓ ଚୀନ ଠାରୁ ସୀମା ବିବାଦ ପ୍ରସଙ୍ଗରେ ଆହ୍ବାନର ସାମ୍ନା କରିବାକୁ ପଡୁଥିବା ବେଳେ ଏହି ପ୍ରଣାଳୀ ବିକଶିତ କରିବା ଓ ଋଷ ଠାରୁ ଅବଶିଷ୍ଟ ଦୁଇଟି ଏସ-400 ଆଣିବା ଗୁରୁତ୍ବପୂର୍ଣ୍ଣ ହୋଇପଡିଛି ।
ଚୀନ ଓ ଭାରତ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ଚୀନ ସୀମାରେ (ପ୍ରକୃତ ନିୟନ୍ତ୍ରଣ ରେଖା) ରେ ସାମରିକ ଭିତ୍ତିଭୂମି ସୁଦୃଢ କରିବାରେ ଲାଗିଛି । ଏହାରି ମଧ୍ୟରେ ଯଦି ଭାରତୀୟ ସୀମାରେ ଚୀନ ଏୟାରଷ୍ଟ୍ରାଇକ କରିବା ପରି ଆଶଙ୍କା ଦେଖାଯାଏ, ତେବେ ଭାରତ ପୂର୍ବରୁ ଅତ୍ୟାଧୁନିକ ପ୍ରସ୍ତୁତି ସହ ସଜାଗ ରହିବାର ଆବଶ୍ୟକତା ରହିଛି । ତେବେ ଏହି ପ୍ରଣାଳୀ ବିକଶିତ କରିବା ସମୟରେ ପାକିସ୍ତାନକୁ ମଧ୍ୟ ଭାରତ ନଜରରେ ରଖିଛି । ଏଲଓସିରୁ ପେଶାଓ୍ବର ଓ ଲାହୋର ମାତ୍ର 385 କି.ମି ଦୂରତା ମଧ୍ୟରେ ରହୁଥିବାରୁ ଏହା ଉଭୟ କ୍ଷେପଣାସ୍ତ୍ର ପ୍ରଣାଳୀର ଲକ୍ଷ୍ୟଭେଦ କ୍ଷମତା ପରିସରରେ ଏହି ଦୁଇ ସହରର ବାୟୁମାର୍ଗ ରହିବ ।
ଏହା ମଧ୍ୟ ପଢନ୍ତୁ:- NCR pollution: ଯୁଗ୍ମ-ଅଯୁଗ୍ମ ଫର୍ମୁଲାରେ ଗଡିବ ଗାଡି, 10 ପର୍ଯ୍ୟନ୍ତ ସ୍କୁଲ ବନ୍ଦ
ଇସ୍ରାଏଲ ନିକଟରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ‘ଆଇରନ ଡୋମ’ର କ୍ଷମତାକୁ ସମସ୍ତେ ଅଭେଦ୍ୟ ବୋଲି ବିଶ୍ବାସ କରୁଥିଲେ । ମାତ୍ର ଗତ 7 ତାରିଖରେ ‘ହମାସ’ର ରକେଟ ଆକ୍ରମଣ ପରେ ଏହାର କ୍ଷମତାକୁ ନେଇ ବିତର୍କ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ବିଶେଷଜ୍ଞଙ୍କ ମତ ଯେ, ଏହି ଡିଫେନ୍ସ ସିଷ୍ଟମ ବାୟୁସୀମାରେ କୌଣସି କ୍ଷେପଣାସ୍ତ୍ର, ରକେଟ କିମ୍ବା ଅନ୍ୟ ସାମଗ୍ରୀକୁ ଲକ୍ଷ୍ୟଭେଦ କରିବାରେ ପ୍ରାୟ 90 ପ୍ରତିଶତ ପ୍ରଭାବୀ । କିନ୍ତୁ ଏକାକାଳୀନ ମାତ୍ରାଧିକ ରକେଟ ମାଡ ଫଳରେ ଏହାକୁ ମଧ୍ୟ ନିଷ୍କ୍ରିୟ କରାଯାଇପାରେ । ଇସ୍ରାଏଲ କ୍ଷେତ୍ରରେ ସେହିପରି ସ୍ଥିତି ସୃଷ୍ଟି ହୋଇଥିଲା । ମାତ୍ର 20 ମିନିଟ ମଧ୍ୟରେ ‘ହମାସ’ ଆତଙ୍କୀ ଗୋଷ୍ଠୀ ପ୍ରାୟ 5000ରୁ ଅଧିକ ରକେଟ ମାଡ କରିବା ଦ୍ବାରା ‘ଆଇରନ ଡୋନ’ ସିଷ୍ଟମ ପ୍ରଭାବୀ ଭାବେ କାର୍ଯ୍ୟ କରିପାରି ନଥିଲା । ଏୟାର ପାଓ୍ବାର ଷ୍ଟଡିଜ ସେଣ୍ଟରର ମୁଖ୍ୟ ଏୟାର ମାର୍ଶଲ ଅନୀଲ ଚୋପ୍ରା (ଅବସରପ୍ରାପ୍ତ) ଙ୍କ ମତରେ ଏବେ ‘‘ଆମ ନିକଟରେ ଏସ-400 ସିଷ୍ଟମ ରହିଛି । ସେହିପରି ଜାତୀୟ ରାଜଧାନୀର ବାୟୁମାର୍ଗ ସୁରକ୍ଷା ପାଇଁ ଆମେରିକାର NASAM ପାଇଁ ମଧ୍ୟ ଆମେ ଉଦ୍ୟମ କରୁଛୁ ।’’