ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶନିବାର) ନିଜ ଗୃହରାଜ୍ୟ ଗୁଜରାଟ ଗସ୍ତରେ ଯିବେ । ପୂର୍ବାହ୍ନ ୧୦ ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ଆଟକୋଟସ୍ଥିତ ନବନିର୍ମିତ ମାତୁଶ୍ରୀ କେଡିପି ମଲ୍ଟି ସ୍ପେସାଲିଟି ହସ୍ପିଟାଲ ପରିଦର୍ଶନ କରିବେ । ଏହାପରେ ସେଠାରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ । ପରେ ଅପରାହ୍ନ ପ୍ରାୟ ୪ ଟାରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗର ସ୍ଥିତ ମହାତ୍ମା ମନ୍ଦିରଠାରେ ‘ସହକାର ସେ ସମୃଦ୍ଧି’ ଉପରେ ବିଭିନ୍ନ ସମବାୟ ସଂସ୍ଥାର ପ୍ରମୁଖମାନଙ୍କୁ ନେଇ ହେବାକୁ ଥିବା ଆଲୋଚନାଚକ୍ରକୁ ସମ୍ବୋଧିତ କରିବେ । ଏହାସହ କଲୋଲର ଇଫକୋଠାରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାକୁ ମଧ୍ୟ ଉଦଘାଟନ କରିବେ ।
ଗୁଜୁରାଟର ସମବାୟ କ୍ଷେତ୍ର ସମଗ୍ର ଦେଶ ପାଇଁ ଏକ ରୋଲ ମଡେଲ ହୋଇପାରିଛି । ରାଜ୍ୟ ସମବାୟ କ୍ଷେତ୍ରରେ ୮୪,୦୦୦ରୁ ଅଧିକ ସମିତି ରହିଛି । ଏହି ସମିତି ଗୁଡିକରେ ପ୍ରାୟ ୨୩୧ ଲକ୍ଷ ସଦସ୍ୟ ଯୋଡି ହୋଇଛନ୍ତି । ରାଜ୍ୟରେ ସମବାୟ ବିପ୍ଳବକୁ ଆହୁରି ସୁଦୃଢ କରିବା ପାଇଁ ଆଉ ଏକ ପଦକ୍ଷେପ ସ୍ବରୂପ, ଗାନ୍ଧିନଗରର ମହାତ୍ମା ମନ୍ଦିରଠାରେ ‘ସହକାର ସେ ସମୃଦ୍ଧି’ ଉପରେ ବିଭିନ୍ନ ସମବାୟ ସଂସ୍ଥାର ପ୍ରମୁଖମାନଙ୍କର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଆଲୋଚନାଚକ୍ରରେ ରାଜ୍ୟର ବିଭିନ୍ନ ସମବାୟ ସଂସ୍ଥାରୁ ୭,୦୦୦ ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ ।
ଚାଷୀଙ୍କ ଉତ୍ପାଦକତା ଆହୁରି ବଢାଇବା ଏବଂ ସେମାନଙ୍କ ଆୟ ବୃଦ୍ଧି ନିମନ୍ତେ ଏକ ପଦକ୍ଷେପ ସ୍ବରୂପ, ପ୍ରଧାନମନ୍ତ୍ରୀ କାଲୋଲର ଇଫକୋଠାରେ ପ୍ରାୟ ୧୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାକୁ ମଧ୍ୟ ଉଦଘାଟନ କରିବେ । ନାନୋ ୟୁରିଆର ଉପଯୋଗ ଦ୍ବାରା ଯେମିତି ଅମଳ ବୃଦ୍ଧି ପାଇବ, ତାହାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ନାନୋ ସାର କାରଖାନା ସ୍ଥାପନ କରାଯାଇଛି । ଏହି କାରଖାନା ଦିନକୁ ୫୦୦ ମିଲିଲିଟର ବିଶିଷ୍ଟ ପ୍ରାୟ ୧.୫ ଲକ୍ଷ ବୋତଲ ଉତ୍ପାଦନ କରିବ ।
ପ୍ରଧାନମନ୍ତ୍ରୀ ମାତୁଶ୍ରୀ କେଡିପି ମଲ୍ଟି ସ୍ପେସାଲିଟି ହସ୍ପିଟାଲ ପରିଦର୍ଶନ କରିବେ । ଯାହା କି ପଟେଲ ସେବା ସମାଜ ଦ୍ବାରା ପରିଚାଳିତ ହେଉଛି । ଏହା ଉନ୍ନତ ମାନର ମେଡିକାଲ ଉପକରଣ ଉପଲବ୍ଧ କରାଇବ । ଉକ୍ତ ଅଞ୍ଚଳର ଲୋକଙ୍କ ପାଇଁ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇଦେବ । ପରେ ପ୍ରଧାନମନ୍ତ୍ରୀ ସାଧାରଣ ସଭାକୁ ସମ୍ବୋଧିତ କରିବେ ।