ଗାନ୍ଧୀନଗର: ଗୁଜୁରାଟ ଗାନ୍ଧିନଗରରେ ଥିବା ପଣ୍ଡିତ ଦିନଦୟାଲ ପେଟ୍ରୋଲିୟମ ବିଶ୍ବବିଦ୍ୟାଳୟରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି(ଶନିବାର) ଭିଡିଓ କନଫରେସିଂ ଜରିଆରେ ଦିନଦୟାଲ ପେଟ୍ରୋଲିୟମ ବିଶ୍ବବିଦ୍ୟାଳୟରେ ଉଦବୋଧନ ଦେବେ ମୋଦି। ଏହାକୁ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।
ଦିନଦୟାଲ ପେଟ୍ରୋଲିୟମ ବିଶ୍ବବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ଉତ୍ସବ ଅବସରରେ ଏହି କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ପ୍ରମାଣ ପତ୍ର ଦିଆଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବହୁ ପ୍ରକଳ୍ପ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏକ 45 ମେଗାୱାଟ ମୋନକ୍ରିଷ୍ଟାଲାଇନ ସୋଲାର ପ୍ଲାଣ୍ଟ ଓ ଏକ ବୃହତ ଜଳ ପ୍ରକଳ୍ପର ଉଦଘାଟନ କରିବେ ମୋଦି। ଏହାସହ ପଣ୍ଡିତ ଦିନଦୟାଲ ବିଶ୍ବବିଦ୍ୟାଳୟରେ ଏକ ଗବେଷଣା କେନ୍ଦ୍ର, ଏକ ସ୍ପୋର୍ଟସ କମ୍ପ୍ଲେକ୍ସ ଓ ବିଭିନ୍ନ ବିଭାଗର ଉଦଘାଟନ କରିବେ ମୋଦି।
ଏହାକୁ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରିଛନ୍ତି ଯେ," ମୁଁ ଆସନ୍ତାକାଲି ଦିନ 11ଟା ବେଳେ ଦିନଦୟାଲ ପେଟ୍ରୋଲିୟମ ବିଶ୍ବବିଦ୍ୟାଳୟରେ ଆପଣମାନଙ୍କ ସହ ଯୋଡ଼ି ହେବି। ଦିନଦୟାଲ ପେଟ୍ରୋଲିୟମ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ଅବସରରେ ମୋତ ସାମିଲ କରିଥିବାରୁ ଧନ୍ୟବାଦ। ଏହି ଅବସରରେ ଉଦ୍ଭାବନ, ଗବେଷଣା ଓ ଶିକ୍ଷାକୁ ନେଇ ବିଭିନ୍ନ ବିଭାଗର ଉଦଘାଟନ କାର୍ଯ୍ୟକ୍ରମ ରହିଛି।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ