ଇନାଡୁ ସମ୍ପାଦକୀୟ
ଲେଖକ- ପରିତାଲା ପୁରୁଷୋତ୍ତମ
ହାଇଦ୍ରାବାଦ: ପିଆଜର ଅହେତୁକ ଦରବୃଦ୍ଧି ଯୋଗୁ ହନ୍ତସନ୍ତ ଖାଉଟି । କିଛି ଦିନ ପୂର୍ବରୁ ଟମାଟୋର ଦର ଆକାଶ ଛୁଆଁ ରହିଥିଲା । ଗ୍ରାହକ ଟିକେ ଆଶ୍ବସ୍ତି ପାଇଥିବା ବେଳେ ପୁଣି ଥରେ ଟମାଟୋ ଦର ବୃଦ୍ଧି ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଟମାଟୋ, ପିଆଜ ଏବଂ ଆଳୁ(Tomato, Onion, Potato) ବା TOPକୁ ଭାରତୀୟମାନେ ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତି ବେଳେ ବ୍ୟବହାର କରିଥାନ୍ତି । ହେଲେ ଅନେକ ସମୟରେ TOPର ଅହେତୁକ ଦରବୃଦ୍ଧି ଘଟିଥାଏ । ଯାହାକି ସିଧାସଳଖ ହାଣ୍ଡିଶାଳକୁ ପ୍ରଭାବିତ କରେ ।
କୁହାଯାଉଛି ଯେ, ଦରବୃଦ୍ଧିର ପ୍ରମୁଖ କାରଣ ହେଉଛି ପାଣିପାଗ ତଥା ଜଳବାୟୁ ପରିବର୍ତ୍ତନ । ଚଳିତ ବର୍ଷ ଭାରତରେ ପିଆଜ ଯେ କମ୍ ଉତ୍ପାଦନ ହୋଇଛି ତାହା ନୁହେଁ । ଖରାପ ପାଣିପାଗ କାରଣରୁ ଚାଷୀ ଉତ୍ପାଦନ କରିଥିବା ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି । ସେହିପରି ଡାଲି ଜାତୀୟ ଦ୍ରବ୍ୟରୁ ଆରମ୍ଭ କରି ମସଲା ଜାତୀୟ ସାମଗ୍ରୀ ଉତ୍ପାଦନରେ ମଧ୍ୟ କ୍ଷତି ସହିଛନ୍ତି ଚାଷୀ । ଏପରିକି ଦରବୃଦ୍ଧି ନିୟନ୍ତ୍ରଣ କରିବାରେ ବିଫଳ ହୋଇ ସରକାର କ୍ଷମତାଚ୍ୟୁତ ହୋଇଥିବାର ନଜିର ମଧ୍ୟ ରହିଛି । ୧୯୯୮ରେ ଦିଲ୍ଲୀ ନିର୍ବାଚନ ସମୟରେ ଦରବୃଦ୍ଧି ନିୟନ୍ତ୍ରଣ କରିପାରିନଥିବାରୁ ଜନ ଆକ୍ରୋଶର ଶିକାର ହୋଇ ବିଜେପି ନିର୍ବାଚନ ହାରିଥିଲା । ସେହିପରି ରାଜସ୍ଥାନ ନିର୍ବାଚନରେ ମଧ୍ୟ ଏହି କାରଣ ଯୋଗୁ ଭଲ ପ୍ରଦର୍ଶନ କରିପାରିନଥିଲା ବିଜେପି । ୨୦୧୦ରେ ଦରବୃଦ୍ଧି ହ୍ରାସ ପାଇଁ ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ତତ୍କାଳୀନ ମନମୋହନ ସିଂ ସରକାର।
ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟ ହାର୍ଭେଷ୍ଟ ଇନଞ୍ଜିନିୟରିଂ (CIPHET)ର ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଶୀତଳ ଭଣ୍ଡାରର ଅଭାବରୁ ଏହି ସାମଗ୍ରୀମାନ ଗଚ୍ଛିତ କରାଯାଇ ପାରିନଥାଏ । ଯାହା ଫଳରେ ଉତ୍ପାଦିତ ଫସଲ କିଛି ଦିନ ପରେ ନଷ୍ଟ ହୋଇଯାଏ । ଏଥିପାଇଁ ନିକଟରେ ୧୬ ବିଲିୟନ ଡଲାରର କ୍ଷତି ସହିବାକୁ ପଡିଥିବା ରିପୋର୍ଟରେ ଦର୍ଶାଯାଇଛି । ସୂଚନା ଅନୁସାରେ, ଭାରତରେ ପାଖାପାଖି ୭୯୦ ମିଲିୟନ ଟନର ଖାଦ୍ୟ ଶସ୍ୟ ରଖିବା ପାଇଁ ସୁବିଧା ରହିଛି । ସେଥିମଧ୍ୟରୁ ଶୀତଳ ଭଣ୍ଡାରରେ ୩୭.୫ ମିଲିୟନ ଟନ ସଂଗୃହୀତ ହୋଇ ରହିବାର ବ୍ୟବସ୍ଥା ରହିଛି । ଦେଶର ଚାଷୀ ବହୁଳ ୪ଟି ରାଜ୍ୟରେ ବ୍ୟାପକ ଷ୍ଟୋରେଜ ସୁବିଧା ରହିଛି ।
ସେହିପରି ଗୋଦାମ ନିର୍ମାଣ ପାଇଁ ସରକାରୀ ପାଣ୍ଠିରୁ ବ୍ୟାପକ ଅର୍ଥ ଖର୍ଚ୍ଚ ହେଉଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନାରେ ଅନେକ ଯୋଜନା କରାଯାଇଛି । ସେହିପରି କୃଷି ବିଭାଗ ପକ୍ଷରୁ ମିଶନ ଫର୍ ଇଣ୍ଟିଗ୍ରେଟେଡ ଡେଭଲପମେଣ୍ଟ ଅଫ୍ ହର୍ଟିକଲଚର(MIDH) ମଧ୍ୟ କାର୍ଯ୍ୟକାରୀ ହୋଇଛି । ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ କୁହାଯାଉଛି ଯେ, ଦେଶରେ ଶୀତଳ ଭଣ୍ଡାରର ବୃଦ୍ଧି ଘଟିଛି । ୫ ବର୍ଷ ମଧ୍ୟରେ ୧୧.୮ ପ୍ରତିଶତ ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି । କିନ୍ତୁ ପ୍ରକୃତରେ ଏହି କ୍ଷେତ୍ରରେ ଆହୁରି ଅଧିକ ଅଭିବୃଦ୍ଧି ହେବାର ଆବଶ୍ୟକତା ରହିଛି । ଏହି ୧୧.୮ ପ୍ରତିଶତ ପରିବର୍ତ୍ତେ ୫ ବର୍ଷ ମଧ୍ୟରେ ୨୦ ପ୍ରତିଶତ କରିବାକୁ ପଡିବ । ଭାରତର କୃଷକଙ୍କୁ ନ୍ୟାୟ ମିଳିବାର ଆବଶ୍ୟକତା ରହିଛି ।
ଗତ ମାସରେ ଜାରି କରାଯାଇଥିବା RBIର ଷ୍ଟେଟ୍ ଅଫ୍ ଇକୋନୋମି ରିପୋର୍ଟ ଅନୁସାରେ, ଷ୍ଟୋରେଜ ସୁବିଧାର ଅଭାବ, ପରିବହନରେ ସମସ୍ୟା ଉତ୍ପାଦିତ ଯୋଗୁ ଖାଦ୍ୟ ଶସ୍ୟ ନଷ୍ଟ ହୋଇଯାଉଥିବା ଦର୍ଶାଯାଇଥିଲା । ବର୍ତ୍ତମାନ ସମୟରେ ବଜାରରେ ପିଆଜର ଉପଲବ୍ଧି କମିବା ଏବଂ ଦର ବୃଦ୍ଧି ଘଟିବା ଏହାର ଏକ ପ୍ରମୁଖ ଉଦାହରଣ । ତେଣୁ ଏସବୁ ଦିଗକୁ ନଜରରେ ରଖି ଭାରତରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି । ସେହିପରି ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରାଯାଇ ରିମୋଟ୍ ସେନ୍ସିଂ, ଚାଷ ଜମିର ସାଟେଲାଇଟ ଛବି ଉତ୍ତୋଳନ ମାଧ୍ୟମରେ ସମସ୍ତ ତଥ୍ୟ ରଖିବା ସହ କୃଷି ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାର ଆବଶ୍ୟକତା ରହିଛି । ଏହାସହ ଉତ୍ପାଦିତ ଫସଲର ଷ୍ଟୋରେଜ ସୁବିଧା ପାଇଁ ଅଧିକ ପରିମାଣରେ ଶୀତଳ ଭଣ୍ଡାର ନିର୍ମାଣ କରାଯାଇ ପାରିଲେ ଯୋଗାଣ କ୍ଷେତ୍ରରେ ସମସ୍ୟା ହେବ ନାହିଁ । ଯାହାକି ଦର ବୃଦ୍ଧି ରୋକିବାରେ ସହାୟକ ହେବ ।