ପାଟନା : କରୋନା ସମୟରେ ବିହାର ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ଜନାଭିମୁଖୀ କାର୍ଯ୍ୟକ୍ରମ ପାଇଁ ସମ୍ମାନୀତ ହୋଇଛି ବିହାର । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିହାରକୁ ଡିଜିଟାଲ ଇଣ୍ଡିଆ ଆଓ୍ବାର୍ଡ 2020ରେ ସମ୍ମାନିତ କରିଛନ୍ତି। କରୋନା ମହାମାରୀ ସମୟରେ ବିହାରର ଲୋକଙ୍କୁ ଠିକ୍ ସମୟରେ ବିଭିନ୍ନ ଜରୁରୀ ସେବା ଯୋଗାଇବା ପାଇଁ ବିହାର ସରକାରଙ୍କ ପ୍ରଚେଷ୍ଟାକୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି ।
କୋଭିଡ-19 ଲକଡାଉନ ସମୟରେ ବିହାରବାସୀଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇବା ପାଇଁ ବିହାର ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବହୁ ପଦକ୍ଷେପକୁ ଭାରତ ସରକାର ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜ୍ୟ ସଚିବାଳୟ, ବିପର୍ଯ୍ୟୟ ପରିଚାଳନା ବିଭାଗର ସହଭାଗିତାରେ ଏହି ସବୁ କାର୍ଯ୍ୟକ୍ରମ ସଫଳ ହୋଇପାରିଥିବାରୁ ବିହାର ସରକାରଙ୍କୁ ପ୍ରଶଂସା କରାଯାଇଛି ।
ଲକଡାଉନ ସମୟରେ ବିହାରରେ 21 ଲକ୍ଷରୁ ଅଧିକ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବିହାର ବାହାରେ ଫସି ରହିଥିବା ଶ୍ରମିକମାନଙ୍କୁ ବିହାର କରୋନା ଆସିଷ୍ଟାଣ୍ଟ ମୋବାଇଲ୍ ଆପ୍ ମାଧ୍ୟମରେ 21 ଲକ୍ଷରୁ ଅଧିକ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ 1.64 କୋଟି ରାସନ କାର୍ଡ ଥିବା ପରିବାରକୁ 3 ମାସ ଅଗ୍ରୀମ ରାସନ ମଧ୍ୟ ଦିଆଯାଇଥିଲା | ଏଥିସହ ପ୍ରତିପରିବାରକୁ 1000 ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲା ବିହାର ସରକାର । ରାଜ୍ୟ ବାହାରୁ ବିଭିନ୍ନ ଉପାୟରେ ରାଜ୍ୟକୁ ଫେରୁଥିବା 15 ଲକ୍ଷରୁ ଅଧିକ ଶ୍ରମିକଙ୍କୁ 10 ହଜାରରୁ ଅଧିକ କେନ୍ଦ୍ରରେ ସଂଗରୋଧରେ ରଖିବା ପାଇଁ ଦେୟ ମୁକ୍ତ ବ୍ୟବସ୍ଥା କରିଥିଲେ ବିହାର ସରକାର ।
ଏହି ପୁରସ୍କାର ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ 6ଟି ବର୍ଗରେ 190 ଟି ବିଭାଗକୁ ଏକ ଅନୁଧ୍ୟାନକୁ ନିଆଯାଇଥିଲା । ଡିଜିଟାଲ ଇଣ୍ଡିଆ ପୁରସ୍କାରରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ ଚଞ୍ଚଲ କୁମାର, ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ସଚିବ ସୁପ୍ରିୟା ଅମୃତ, ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ରାମଚନ୍ଦ୍ର ଦେ ଏବଂ ଶଲେଶ କୁମାର ଶ୍ରୀବାସ୍ତବ ଏବଂ ନୀରଜ କୁମାର ତିୱାରୀଙ୍କୁ ସମ୍ମାନିତ କରାଯାଇଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ତଥା ଆଇଟି ରବିଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ