ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ ଦିଲ୍ଲୀରେ ବାଣ ବିକ୍ରି ଉପରେ ରୋକ ଲାଗିଛି। ତେବେ ଏଥିପାଇଁ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା କମିବା ନେଇ ଆଶା କରାଯାଉଛି। ଏଭଳି ଆକଳନ କରିଛି ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ। ବାଣ ବିକ୍ରି କିମ୍ବା ବାଣ ଫୁଟାଇବା ଉପରେ ରୋକ ଲାଗିବା ପରେ 4 ବର୍ଷ ପରେ ଦିଲ୍ଲୀରେ ଦୀପାବଳି ସମୟରେ ପ୍ରଦୂଷଣ ମାତ୍ରା କମ ହୋଇପାରେ ବୋଲି ରିପୋର୍ଟ ଦେଇଛି ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ।
ନଭେମ୍ବର 9 ତାରିଖରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ଦିଲ୍ଲୀରେ ସମସ୍ତ ପ୍ରକାର ବାଣ ବିକ୍ରି ଓ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଜାରି କରିଥିଲା। ନଭେମ୍ବର 30 ତାରିଖ ଯାଏଁ ଦିଲ୍ଲୀରେ ଏହି କଟକଣା ଜାରି ରହିଛି। ଏଥିରେ ବ୍ୟତିକ୍ରମ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଜାରି ହୋଇଛି ନୋଟିସ। କୋରୋନା ଭାଇରସ ସହ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।
2019 ମସିହାରେ ମଧ୍ୟ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା କମାଇବା ପାଇଁ ଦିଲ୍ଲୀବାସିନ୍ଦାଙ୍କୁ ବାଣ ଫୁଟାଇବାରୁ ନିବୃତ୍ତ ରହିବାକୁ ଅପିଲ କରିଥିଲେ ଦିଲ୍ଲୀ ସରକାର। ଏଥପାଇଁ ଦୀପାବଳିରୁ 4 ଦିନ ଯାଏଁ ଦିଲ୍ଲୀରେ ଲେଜର ଶୋର ଆୟୋଜନ ମଧ୍ୟ ହୋଇଥିଲା। ତେବେ ଦିଲ୍ଲୀବାସୀଙ୍କ ଉପରେ ଏହାର ପ୍ରଭାବ ପଡ଼ି ନଥିଲା। ସେହି ବର୍ଷ ଦୀପାବଳି ପର ଦିନ ଦିଲ୍ଲୀରେ ଧୂଳି ଧୂଆଁର କୁହୁଡ଼ି ହୋଇଯାଇଥିଲା। 2018 ମସିହାରୁ ଏହା ଅଧିକ ଥିବା ନେଇ ଦିଲ୍ଲୀ ସରକାର ସୂଚନା ଦେଇଥିଲେ।
ଶୀତ ଦିନେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଥାଏ। ଚଳତି ବର୍ଷ ମଧ୍ୟ ଦିଲ୍ଲୀରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏଥିପାଇଁ ଦିଲ୍ଲୀ ଏନସିଆର ଇଲାକାରେ 17 ନଭେମ୍ବର ଯାଏଁ ସମସ୍ତ ହଟ ମିକ୍ସ ପ୍ଲାଣ୍ଟ ଓ କ୍ରସରଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପ୍ରଦୂଷଣ ବୋର୍ଡ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏହାସହ ଦିଲ୍ଲୀର ପଡ଼ୋଶୀ ରାଜ୍ୟ ପଞ୍ଜାବ ଓ ହରିଆଣାରେ ମଧ୍ୟ କୃଷକମାନଙ୍କୁ ପାଳଗଦା ଜାଳିବା ଉପରେ ରୋକ ଲଗାଯାଇଛି।
ନଭେମ୍ବର 7 ତାରିଖ ସୁଦ୍ଧା ଦିଲ୍ଲୀରେ ପ୍ରଦୂଷଣା ମାତ୍ରା ପ୍ରତି କ୍ୟୁବିକ ମିଟରରେ 318 ମାଇକ୍ରୋଗ୍ରାମ ରହିଥିଲା। ତେବେ 15 ନଭେମ୍ବରରେ ବର୍ଷାର ସମ୍ଭାବନା ରହିଛି। ଏହାପରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା କମ ହୋଇପାରେ ବୋଲି ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ସୂଚନା ଦେଇଛି।
ଏକ ରିପୋର୍ଟରେ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀରେ ବାଣ ଫୁଟାଇବା ଉପରେ ରୋକ ଲାଗିବା ପରେ ଚଳିତ ବର୍ଷ ପ୍ରଦୂଷଣର ମାତ୍ରା 2.5 ପିଏମ କମ ରହିବ। ଯଦି ଏହାହୁଏ ତେବେ ଗତ 4 ବର୍ଷ ମଧ୍ୟରେ ଏହାସବୁଠାରୁ କମ ହେବା ନେଇ ଆଶା କରାଯାଉଛି। ତେବେ ବର୍ତ୍ତମାନ ଦିଲ୍ଲୀରେ ଉତ୍ତର ପୂର୍ବ ପବନ ପ୍ରବାହିତ ହେଉଛି ଏଥିପାଇଁ ବର୍ତ୍ତମାନ ସୁଦ୍ଧା ପ୍ରତିବର୍ଷ ଦିଲ୍ଲୀରେ ଯେଉଁ ଧରଣ ପ୍ରଦୂଷଣ ମାତ୍ରା ଦେଖାଯାଏ ତାହା ଦେଖିବାକୁ ମିଳିନାହିଁ। ତେବେ ଯଦି ଦକ୍ଷିଣ ପୂର୍ବ ପବନ ପ୍ରବାହିତ ହୁଏ ତେବେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅଧିକ ହୋଇପାରେ।
@ians