ନୂଆଦିଲ୍ଲୀ: ଆସନ୍ତା 29ରୁ 31ପର୍ଯ୍ୟନ୍ତ ଇଟାଲୀର ରୋମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ଚଳିତ ଜି-20 ସମ୍ମିଳନୀରେ ଯୋଗଦେବେ। ଏହା ପ୍ରଧାନମନ୍ତ୍ରୀଙ୍କ ୮ମ G20 ସମ୍ମିଳନୀ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା । ଗତବର୍ଷ ସାଉଦି ଆରବ ଦ୍ବାରା ଆୟୋଜିତ ଏହି ଶିଖର ସମ୍ମିଳନୀ କୋଭିଡ ସଂକ୍ରମଣ ପାଇଁ ଭର୍ଚ୍ଚୁଆଲି ଆୟୋଜିତ ହୋଇଥିଲା । ତେବେ ଚଳିତ ବର୍ଷ ଏହି ଶୀର୍ଷସ୍ତରୀୟ ସମ୍ମିଳନୀର ୧୬ତମ ସଂସ୍କରଣର ଆୟୋଜନ ଇଟାଲୀ ରାଜଧାନୀ ରୋମରେ ହେଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋମରେ ପହଞ୍ଚିବାର ଦ୍ବିତୀୟ ଦିନରେ ଭାଟିକାନରେ ପୋପ୍ ଫ୍ରାନ୍ସିସଙ୍କୁ ଭେଟିବା ନେଇ ମଧ୍ୟ ଆଶା କରାଯାଉଛି । ଉଭୟଙ୍କ ମଧ୍ୟରେ ହେବାକୁ ଥିବା ଏହି ମହତ୍ବପୂର୍ଣ୍ଣ ବୈଠକ ନେଇ ସରକାରୀ ଭାବେ ତାରିଖ ସ୍ଥିର କରାଯାଇନାହିଁ । ଅକ୍ଟୋବର30 ଏବଂ 31ରେ ହେବାକୁ ଥିବା ଦୁଇ ଦିନିଆ ଜି-20 ସମ୍ମିଳନୀ ଚଳିତଥର ଆଫଗାନିସ୍ତାନର ସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସାମୂହିକ ପଦକ୍ଷେପ ଗ୍ରହଣ କରିବା ଉପରେ କିଛି ପ୍ରସ୍ତାବ ରଖିପାରନ୍ତି ବୋଲି ମଧ୍ୟ ଆଶା କରାଯାଉଛି।
G-20 ସମ୍ମିଳନୀ ହେଉଛି ଏକ ବିଶ୍ୱସ୍ତରୀୟ ଫୋରମ, ଯାହାର ସଦସ୍ୟ ରାଷ୍ଟ୍ରମାନେ ବିଶ୍ବ GDPର 80%ରୁ ଅଧିକ ରହିଛନ୍ତି । ସେହିପରି ବିଶ୍ବ ବାଣିଜ୍ୟରେ 75% ଏବଂ ଜନସଂଖ୍ୟାର 60% ରୁ ଅଧିକ ରହିଛନ୍ତି G-20 ସଦସ୍ୟ ରାଷ୍ଟ୍ର । ଚଳିତବର୍ଷର ୧୬ତମ ସଂସ୍କରଣ ଆୟୋଜନ ଇଟାଲୀ ସରକାରଙ୍କ ତତ୍ବାବଧାନରେ ହେଉଥିବାବେଳେ ଏହାର ଥିମ ରଖାଯାଇଛି ' ମାନବ, ଗ୍ରହ ଏବଂ ସମୃଦ୍ଧତା' ।
ଏହି ସମ୍ମିଳନୀରେ ଜି-20 ସଦସ୍ୟ ଦେଶମାନଙ୍କର ମୁଖ୍ୟମାନେ ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ୟୁରୋପୀୟ ୟୁନିଅନ୍ ତଥା ଅନ୍ୟାନ୍ୟ ଆମନ୍ତ୍ରିତ ଦେଶ ତଥା ଆନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନେ ମଧ୍ୟ ସାମିଲ ହେବାର ପରମ୍ପରା ରହିଛି । ତେବେ ଚଳିତବର୍ଷ ଏହି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିପାରନ୍ତି ବୋଲି ଆଶା ରଖାଯାଇଛି ।
@ANI