ନୂଆଦିଲ୍ଲୀ: ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ନେଇ ସରଗରମ ରହିଛି ଜାତୀୟ ରାଜନୀତି । ଏ ନେଇ ବିଜେପି ପଞ୍ଜାବ କଂଗ୍ରେସ ଉପରେ ଦୋଷ ଲଦିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ପଞ୍ଜାବ ସରକାର। ଆଉ ଏବେ ଏ ଘଟଣାକୁ ସମାଲୋଚନା କରିଛନ୍ତି ଭାରତୀୟ କିଷାନ ୟୁନିୟନର ମୁଖ୍ୟ ରାକେଶ ଟିକାୟତ । ଜନସାଧାରଣଙ୍କ ସହାନୁଭୂତି ହାସଲ ପାଇଁ ସୁରକ୍ଷାରେ ତ୍ରୁଟି ଷ୍ଟଣ୍ଟ ଆପଣେଇଥିବା କହିଛନ୍ତି ରାକେଶ ଟିକାୟତ (Rakesh Tikait Criticize) ।
ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ପଞ୍ଜାବ ଯିବାର ନଥିଲା । ସେଠାରୁ ସେ ଜୀବନ ଫେରି ପାଇଥିବା ଆମେ ଶୁଣିବାକୁ ପାଉଛୁ । ତେଣୁ ଏହା ଏକ ଷ୍ଟଣ୍ଟ ଭଳି ମନେ ହେଉଥିବା କହିଛନ୍ତି ରାକେଶ ଟିକାୟତ । ଲୋକଙ୍କ ସହାନୁଭୂତି ହାସଲ କରିବା ପାଇଁ ଏପରି ଶସ୍ତା ରାସ୍ତା ବାଛିବାକୁ ଚେଷ୍ଟା କରାଯାଇଥିବା କହିଛନ୍ତି ବିକେୟୁ ନେତା ରାକେଶ ଟିକାୟତ ।
ବୁଧବାର ଫିରୋଜପୁରରେ ସମେତ ଅନେକ ସ୍ଥାନରେ କୃଷକଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଟ ଓଗାଳିବାକୁ କେହି ଚାହୁଁନଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ମତରେ ଭାଜପା ସଭାରେ ଚୌକି ଖାଲି ପଡିଥିବାରୁ ମୋଦି ଫେରିଯାଇଥିଲେ । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ନା କୃଷକଙ୍କ ଆକ୍ରୋଶ ପାଇଁ ମୋଦି ଫେରିଛନ୍ତି ତାର ତଦନ୍ତ କରାଯାଉ ।
ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ଝଡ଼ ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି। ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଜଣେ ସମ୍ମାନୀୟ ବ୍ୟକ୍ତି । ତାଙ୍କ ଭଳି ଜଣେ ନେତାଙ୍କୁ ଏପରି ନାଟକ କରିବା ଶୋଭା ପାଉନାହିଁ ।
କେନ୍ଦ୍ରର କୃଷି ଆଇନ ଉଚ୍ଛେଦ ପରେ ବୁଧବାର ମୋଦି ପ୍ରଥମ ଥର ପାଇଁ ପଞ୍ଜାବ ଗସ୍ତ । କ୍ଷୁବ୍ଧ ଚାଷୀଙ୍କ ବିରୋଧ ପାଇଁ ପ୍ଲାଏଓଭରରେ ୨୦ ମିନିଟ ଫସି ରହିଥିଲେ ମୋଦି । ଏହାପରେ ସେ ଦିଲ୍ଲୀ ଫେରିଯାଇଥିଲେ ଏବଂ ବିମାନବନ୍ଦରରେ ପଞ୍ଜାବ ପୋଲିସଙ୍କୁ କହିଥିଲେ ମୁଁ ଜୀବିତ ଫେରିଆସିଛି ତୁମ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଦେବ ।