ଗାନ୍ଧୀନଗର: ଆଜି ଗୁଜୁରାଟର GIFT ସିଟିରେ ଆୟୋଜିତ ଗ୍ଲୋବାଲ ଫିନଟେକ ଲିଡରସିପ୍ ଫୋରମରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଶିଳ୍ପପତିମାନଙ୍କୁ GIFT ସିଟିରେ ନିବେଶ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି । ଏହି ଫୋରମରେ 26ଟି ବିଶ୍ୱସ୍ତରୀୟ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରେ ବିଶିଷ୍ଟ ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ, ସଞ୍ଜୟ ମେହେରୋତ୍ରା, ଲକ୍ଷ୍ମୀ ମିତ୍ତଲ ପ୍ରମୁଖ ମଧ୍ୟ ରହିଥିଲେ । ଆଜି ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଅଂଶଗ୍ରହଣ କରିଥଲେ ।
ପୂର୍ବରୁ ‘ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ଶିଖର ସମ୍ମିଳନୀ’କୁ ଉଦଘାଟନ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଗିଫ୍ଟ ସିଟିକୁ ଏକ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଓ ଭାରତକୁ ଏକ ଅଗ୍ରଣୀ ଫିନଟେକ ଦେଶ ଭାବରେ ପ୍ରତିଷ୍ଠା କରିବା ପାଇଁ କମ୍ପାନୀର ମୁଖ୍ୟମାନଙ୍କୁ ଆହ୍ବାନ ଦେଇଥିଲେ । ଗିଫ୍ଟ ସିଟିରେ ଅଧିକ ନିବେଶ କରିବା ପାଇଁ ସେ କମ୍ପାନୀମାନଙ୍କୁ ଅନୁରୋଧ କରିଥଲେ । ପ୍ରଧାନମନ୍ତ୍ରୀ ପ୍ରାୟ ତିନି ଘଣ୍ଟା ଧରି ସମସ୍ତ ଶିଳ୍ପପତିମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ ।
ଗତକାଲି (ବୁଧବାର) ଗାନ୍ଧୀ ନଗରର ଗାନ୍ଧୀ ମନ୍ଦିର କନଭେନସନ ସେଣ୍ଟରରେ ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଟ୍(VGGS)ର 10ମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା । ଏହାକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ୍ କରିଥିଲେ । ଏଥିରେ ଏକାଧିକ ରାଷ୍ଟ୍ରମୁଖ୍ୟ ଓ ବ୍ୟବସାୟିକ କମ୍ପାନୀର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ନ୍ୟାହାନ ଅହମ୍ମଦାବାଦରେ ପହଞ୍ଚିଥିଲେ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସେ ରୋଡ ସୋ ମଧ୍ୟ କରିଥିଲେ ।
ଏହା ମଧ୍ୟ ପଢନ୍ତୁ :- ଅହମ୍ମଦାବାଦରେ ୟୁଏଇ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’
ବ୍ୟବସାୟିକ ସହଯୋଗ, ପ୍ରଯୁକ୍ତିବିଦ୍ୟାର ଆଦାନ ପ୍ରଦାନ, ସାମୂହିକ ଅଭିବୃଦ୍ଧି ଓ ନିରନ୍ତର ବିକାଶ ପାଇଁ ରଣନୀତିକ ଭାଗିଦାରୀକୁ ବଢାଇବା ପାଇଁ ଏହି ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀ (VGGS) ଆୟୋଜିତ ହୋଇଆସୁଛି । VGGS ହେଉଛି ବ୍ୟବସାୟିକ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ । ଚଳିତ ବର୍ଷ ଏହି ଶିଖର ସମ୍ମିଳନୀ 10ମ ସଂସ୍କରଣରେ ପହଞ୍ଚିଥିବା ବେଳେ ଏଥିରେ 34ଟି ସହଯୋଗୀ ଦେଶ ଓ 16ଟି ସହଭାଗୀ ସଂଗଠନ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସମ୍ମିଳନୀର ସହଯୋଗୀ ରାଷ୍ଟ୍ରମୁଖ୍ୟ ଓ ସଂସ୍ଥା ମୁଖ୍ୟମାନେ ଆଲୋଚନା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ