ନୂଆଦିଲ୍ଲୀ: ଆସନ୍ତାବର୍ଷ ଜି-20 ସମ୍ମିଳନୀ ଭାରତରେ ଆୟୋଜିତ ହେବାକୁ ଯାଉଛି । ଏହି ସମ୍ମିଳନୀର ଲୋଗୋ, ଅନୁଚିନ୍ତା (ଥିମ ) ଓ ଓ୍ବେବସାଇଟ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi to unveil logo of G 20 summit)। ମଙ୍ଗଳବାର ଅପରାହ୍ନ 4.30 ରେ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲ ମୋଡରେ ଏହାର ଉନ୍ମୋଚନ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଆସନ୍ତାବର୍ଷ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ଡିସେମ୍ବର ପହିଲାରୁ ଭାରତ ଏହାର ଅଧ୍ୟକ୍ଷତା ଗ୍ରହଣ କରିବାକୁ ଯାଉଛି ।
ତେବେ ଏହି ଆୟୋଜନ ମାଧ୍ୟମରେ ବର୍ତ୍ତମାନ ବିଶ୍ବର ସ୍ଥିତି ଓ ଅନ୍ତର୍ଜାତୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଭାରତ ତାର ଆଭିମୁଖ୍ୟ ରଖିବାକୁ ଏକ ବଡ ଅବସର ପାଇଛି । ଉନ୍ମୋଚିତ ହେବାକୁ ଥିବା ଲୋଗୋ ଓ ଥିମରେ ଆସନ୍ତା ସମ୍ମିଳୀନରେ ଭାରତର ଆଭିମୁଖ୍ୟ ଓ ବାର୍ତ୍ତା ପ୍ରତିଫଳିତ ହେବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ପ୍ରଧାନମନ୍ତ୍ରୀଙ୍କ ପ୍ରଭାବୀ ନେତୃତ୍ବରେ ଭାରତର ବିଦେଶ ନୀତି ଓ ଭୂମିକାରେ ବଡ ପରିବର୍ତ୍ତନ ଆସିଛି । ସାମ୍ପ୍ରତିକ ବିଶ୍ବରେ ଭାରତ ଏକ ପ୍ରଭାବଶାଳୀ ସ୍ଥାନରେ ପହଞ୍ଚି ପାରିଛି । ଅନ୍ତର୍ଜାତୀୟ ସମୂଦାୟଙ୍କ ମଧ୍ୟରେ ଏକ ଅଗ୍ରଣୀ ଦେଶ ଭାବେ ମଧ୍ୟ ଭାରତ ପରିଚୟ ପାଇପାରିଛି । ବିଶ୍ବ ଅର୍ଥନୀତି ଦୃଷ୍ଟିକୋଣରୁ ଏହି ଜି-20 ସମ୍ମଳନୀ ଏକ ଗୁରୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ଲାଟଫର୍ମ । ବିଶ୍ବ ଜିଡିପିର ଏହା 85 ପ୍ରତିଶତ ହୋଇଥିବା ବେଳେ, ବିଶ୍ବ ବାଣିଜ୍ୟର ଏହାର 75 ପ୍ରତିଶତ ଅଂଶ ରହିଛି ।
ସେହପରି ବିଶ୍ବ ଜନସଂଖ୍ୟା ଦୃଷ୍ଟିକୋଣରୁ ମଧ୍ୟ ଏହି ସମ୍ମିଳନୀ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ । ଏହି ସମ୍ମିଳନୀର ସଦସ୍ୟ ରାଷ୍ଟ୍ରଙ୍କ ଲୋକସଂଖ୍ୟା ବିଶ୍ବ ଜନସଂଖ୍ୟାର ପ୍ରାୟ ଦୁଇ-ତୃତୀୟାଂଶ । ତେବେ ଏହି ଜି-20 ସମ୍ମିଳନୀ ଆସନ୍ତା ବର୍ଷ ହେବାକୁ ଯାଉଥିବା ବେଳେ ଏହାର ଆୟୋଜନ ଭାର ଗ୍ରହଣ କରିଛି ଭାରତ । ଆସନ୍ତା ମାସ (ଡିସେମ୍ବର) ପହିଲାରୁ ଭାରତ ଏହାର ଅଧ୍ୟକ୍ଷତା ଭାର ଗ୍ରହଣ କରିବାକୁ ଯାଉଛି (PM Modi to unveil logo of G 20 summit)।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ