ନୂଆଦିଲ୍ଲୀ: ନିଦ ଉଡାଇଲାଣି କୋରୋନା ନୂଆ ଭାରିଆଣ୍ଟ ଓମିକ୍ରନ । ବିଭିନ୍ନ ରାଜ୍ୟରେ ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଓମିକ୍ରନ୍ର ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ତ୍ରୀ ପରିଷଦ ସହିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ (PM Modi to hold Council of Ministers meet today) । ଭିସି ଯୋଗେ ଅପରାହ୍ନ ୪ଟାରେ ବସିବ ଏହି ବୈଠକ । ସମସ୍ତ ମନ୍ତ୍ରୀ ଏହି ବୈଠକରେ ସାମିଲ ହେବେ ।
ବୈଠକରେ ସଡକ ଏବଂ ପରିବହନ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ଏବଂ ଟେଲିକମ୍ ମନ୍ତ୍ରଣାଳୟ ଦ୍ବାରା କରାଯାଇଥିବା କାର୍ଯ୍ୟର ସମୀକ୍ଷା କରାଯାଇପାରେ ବୋଲି ସୂତ୍ରରୁ ସୂଚନା ମିଳିଛି । କୋଭିଡ ସ୍ଥିତି ମୁକାବିଲା ବୈଠକର ମୁଖ୍ୟ ବିଷୟବସ୍ତୁ ରହିବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗତ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ଅଧିକ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ ।
ଓମିକ୍ରନ୍ର ମୁକାବିଲା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ମୋଦି କହିଥିଲେ । ଯେଉଁଥିରେ ଡେଲଟା ତୁଳନାରେ ତିନି ଗୁଣ ଅଧିକ ସଂକ୍ରମଣ ରହିଛି । ଜିଲ୍ଲା ତଥା ତହସିଲ ସ୍ତରରେ ମଧ୍ୟ ସଜାଗତା ରକ୍ଷା କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ