ନୂଆଦିଲ୍ଲୀ: ଆଜିଠାରୁ ନିଜ ସଂସଦୀୟ କ୍ଷେତ୍ର ବାରାଣସୀକୁ ଦୁଇ ଦିନିଆ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକାଧିକ ଉନ୍ନତିମୂଳକ ପ୍ରକଳ୍ପ ଲୋକାର୍ପିତ କରିବା ସହ ସେ ଦିଲ୍ଲୀ- ବାରାଣସୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ମଧ୍ୟ କରିବେ । ପୂର୍ବରୁ ଦୁଇ ସହର ମଧ୍ୟରେ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ଗଡୁଥିବା ବେଳେ ଆସନ୍ତାକାଲି ଏହି ସଂଖ୍ୟା 2 ରେ ପହଞ୍ଚିବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବାରାଣସୀରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଭିନ୍ନ କର୍ଯ୍ୟକ୍ରମ ପାଇଁ ଉଭୟ ଦଳ ଓ ପ୍ରଶାସନ ଉଭୟ ପ୍ରସ୍ତୁତି ଶେଷ କରିଛନ୍ତି ।
ବାରାଣସୀ କମିଶନରଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଲାଲ ବାହାଦୂର ଶାସ୍ତ୍ରୀ ବିମାନ ବନ୍ଦରରେ ଅବତରଣ କରିବେ । ଏହା ପରେ କାର୍ଯ୍ୟକ୍ରମ ସ୍ଥଳକୁ ଯାତ୍ରା କରିବେ । ନମୋ ଘାଟରେ ଆୟୋଜିତ ‘ତାମିଲ ସଙ୍ଗମ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ । ଏହାପରେ ସେ ସେଠାରୁ ବନାରସ ଲୋକୋମୋଟିଭ ଓ୍ବାର୍କସପ୍ (ବିଏଲଡବ୍ଲ୍ୟୁ) ଗସ୍ତ କରିବେ । ଏଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍ ପାଇଁ ଆବଶ୍ୟକ ପ୍ରଟୋକଲ ଅନୁସାରେ ଅଭ୍ୟାସ ମଧ୍ୟ କରାଯାଇଛି । ସେହିପରି କାର୍ଯ୍ୟକ୍ରମ ସ୍ଥଳରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଦଳ ମଧ୍ୟ ବେଶ ଉତ୍ସାହିତ ରହିଛି । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ତମାନ ଦଳୀୟ ବରିଷ୍ଠ ନେତା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ । ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଦଳ ପ୍ରସ୍ତୁତି ଶେଷ କରିଛି । କାର୍ଯ୍ୟକ୍ରମରେ ହଜାର ହଜାର ସ୍ଥାନୀୟ ଜନତାଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିବ । ଆସନ୍ତାବର୍ଷ ପ୍ରଥମ ମାସରେ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଛି ।
ଏହା ମଧ୍ୟ ପଢନ୍ତୁ :- ସଂସଦ କାଣ୍ଡ: 6ଷ୍ଠ ଅଭିଯୁକ୍ତ ମହେଶକୁ 7ଦିନିଆ ରିମାଣ୍ଡରେ ନେଲା ପୋଲିସ
ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ । 2019ରେ ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ପରେ ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସ୍ଥାପିତ ହୋଇଥିଲା । 2024 ଜାନୁଆରୀରେ ଶ୍ରୀରାମ ଜନ୍ମଭୂମିରେ ରାମ ମନ୍ଦିର ପ୍ରତିଷ୍ଠା ହେଉଥିବା ବେଳେ ଏହି ମନ୍ଦିର ପୂର୍ଣ୍ଣ ଭାବେ ଶେଷ ହେବାକୁ ଆଉ 2 ବର୍ଷ ଲାଗିବ । ଭକ୍ତମାନେ କିନ୍ତୁ ଜାନୁଆରୀ ମାସରୁ ଦର୍ଶନ ଓ ପୂଜାର୍ଚ୍ଚନାର ସୁଯୋଗ ପାଇପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ