ନୂଆଦିଲ୍ଲୀ: ଆଜି(ରବିବାର) ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ । ପୂର୍ବାହ୍ନ 11ଟାରେ ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଆଜିର ଏହି ମନ କି ବାତ କାର୍ଯ୍ୟକ୍ରମର ୮୦ତମ ଏପିସୋଡ । ଏହି କାର୍ଯ୍ୟକ୍ରମରେ ଟୋକିଓ ଅଲିମ୍ପିକ୍ସରେ ଦେଶର ଖେଳାଳିଙ୍କ ପ୍ରଦର୍ଶନ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ନେଇ ସୂଚନା ରହିଛି । ଅଲିମ୍ପିକ୍ସରେ ଦେଶର ଖେଳାଳିମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଗୋଟିଏ ସ୍ବର୍ଣ୍ଣ ପଦକ ସମେତ 7ଟି ପଦକ ହାସଲ କରିଛନ୍ତି । ଅଲିମ୍ପିକ୍ ଗେମ୍ସ ପରେ ଦେଶକୁ ଫେରିଥିବା ଖେଳାଳିଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିଥିଲେ ।
ଏହା ଛଡା କୋରୋନା ସଂକ୍ରମଣ, ଦେଶରେ ଜାରି ରହିଥିବା ଟୀକାକରଣକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମନର କଥା କହିବେ । ମହାମାରୀ ଭିତରେ ବି କିଛି ରାଜ୍ୟରେ ସ୍କୁଲ ଖୋଲିଛି ଓ କିଛି ରାଜ୍ୟରେ ଖୋଲିବାକୁ ଯାଉଛି । ଏହା ଭିତରେ ଜନ୍ମାଷ୍ଟମୀ ଏବଂ ଦେଶରେ ଆରମ୍ଭ ହେବାକୁ ଥିବା ପର୍ବ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିପାରନ୍ତି ।
ଆଜି ଜାତୀୟ ଖେଳ ଦିବସ । ହକିର ଯାଦୁଗର ଧାନଚାନ୍ଦଙ୍କ ଜନ୍ମ ଦିନକୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଏ । କ୍ରୀଡାରରେ ଉନ୍ନତ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏଦି ଦିନ ସମ୍ବର୍ଦ୍ଧିତ କରାଯାଏ । ଏଥର ଖେଳ ପାଇଁ ଦିଆଯାଉଥିବା ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରର ନାମ ବଦଳାଇ ମେଜର ଧାନଚାନ୍ଦ ପୁରସ୍କାର କରିଛନ୍ତି କେନ୍ଦ୍ର ସରକାର ।
ପୂର୍ବରୁ ମନ କି ବାତ କାର୍ଯ୍ୟକ୍ରମରେ ୭୯ ଏପିସୋଡରେ ଓଡିଆ ପୁଅ ଇଶାକ ମୁଣ୍ଡାଙ୍କୁ ପ୍ରଶଂସା କରିଥିଲେ ମୋଦି । ଏହା ସହିତ କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଜୀବନ ଦେଇଥିବା ସମସ୍ତ ହିରୋଙ୍କୁ ମନେ ପକାଇବା ସହିତ ସେମାନଙ୍କ ବଳିଦାନ ବିଷୟରେ ଦେଶବାସୀଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ମନ କି ବାତ ପ୍ରଧାନମନ୍ତ୍ରୀଙ୍କ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ ଯେଉଁଥିରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହା ପ୍ରତିମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଏବଂ ଏୟାର ନ୍ୟୁଜ ୱେବସାଇଟରେ ଉପଲବ୍ଧ ହୋଇଥାଏ । 'ମନ କି ବାତ' କାର୍ଯ୍ୟକ୍ରମ ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ ପକ୍ଷରୁ ପ୍ରତି ଆଞ୍ଚଳିକ ଭାଷାରେ ଏହାକୁ ପ୍ରସାରିତ କରାଯିବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ