ଥିରୁଅନନ୍ତପୁରମ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକ ଉପରେ ରହିଛି ବାତ୍ୟାର ଭୟ । ନିକଟରେ ‘ନିଭାର’ ବାତ୍ୟା ଭୟ ଲୋକଙ୍କ ମନରୁ ଦୂର ହୋଇନଥିବା ବେଳେ ଏବେ ମାଡି ଆସୁଛି ଆଉ ଏକ ବାତ୍ୟା ବୁରେଭି । ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଦକ୍ଷିଣ ଭାରତର ଉପକୂଳ ଅଞ୍ଚଳବାସୀ । ଏହାରି ମଧ୍ୟରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଦାପଦି ପଲାନିସ୍ବାମୀଙ୍କ ସହ ଫୋନରେ ଆଲୋଚନା କରି ସ୍ଥିତି ଉପରେ ଅପଡେଟ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ବୁରେଭିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି । ତେବେ ଏହି ବାତ୍ୟାକୁ ନେଇ ରାଜ୍ୟର ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିବା କହିଛନ୍ତି ବିଜୟନ ।
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ ବୁରେଭୀ ଏବେ ଭୟଙ୍କର ବାତ୍ୟାର ରୂପ ନେଇ ସାରିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବୁଧବାର ଶ୍ରୀଲଙ୍କାର ସମୁଦ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ବୁରେଭି । ଏହି ବାତ୍ୟା ଶ୍ରୀଲଙ୍କାର ତ୍ରିଙ୍କୋମାଲି ଅତିକ୍ରମ କରିବା ପରେ ତାମିଲନାଡୁ ଓ କେରଳ ଉପକୂଳ ପହଞ୍ଚିବାର ଆଶଙ୍କା ରହିଛି ।
ବାତ୍ୟା ବୁରେଭିକୁ ଦୃଷ୍ଟିରେ ରଖି 175 ପରିବାରର 697 ଜଣଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି । 2,489 ଜଣ ଅନ୍ୟ କ୍ୟାମ୍ପରେ ଅଛନ୍ତି । 8 ଏନଡିଆରଏଫ ଟିମ ରାଜ୍ୟରେ ପହଞ୍ଚିଛନ୍ତି । ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ବାୟୁସେନା ଏବଂ ନୌସେନା ପ୍ରସ୍ତୁତ ଥିବା ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ।
ବୁରେଭି ଦକ୍ଷିଣ ପଶ୍ଚିମ ଦିଗକୁ ଆସିବା ସହ ଡିସେମ୍ବର 4ରେ ସକାଳେ କନ୍ୟାକୁମାରୀ ଓ ପମ୍ବନ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହା ପ୍ରଭାବରେ ଘଣ୍ଟା ପ୍ରତି 75ରୁ 80 କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।