ୱାଶିଂଟନ: ଆମେରିକାରେ ପହଁଞ୍ଚିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକାରେ ପହଁଞ୍ଚିବା ପରେ ଏଠାରେ ଗ୍ଲୋବାଲ କୋଭିଡ ସମିଟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କୋରୋନାର ଦ୍ବିତୀୟ ଲହରୀରେ ବିଶ୍ବ ଏକ ପରିବାର ଭଳି ଭାରତ ସହ ଛିଡା ହୋଇରହିଥିଲା । ଭାରତ ପାଇଁ ଏକଜୁଟ ହେବା ଓ ସମର୍ଥନ କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି ମୋଦି ।
କୋରୋନା ମହାମାରୀ ଏବେସୁଦ୍ଧା ଶେଷ ହୋଇନାହିଁ । ବିଶ୍ବର ଅଧିକାଂଶ ଜନସମୁଦାୟଙ୍କ ଏବେ ବି ଟୀକାକରଣ ହୋଇନାହିଁ । ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପକ୍ଷରୁ ସମୟ ଭିତରେ ଆରମ୍ଭ ପଦକ୍ଷେପ ସ୍ବାଗତଯୋଗ୍ୟ । ଭାରତ ମାନବତାକୁ ସର୍ବଦା ଏକ ପରିବାର ଭାବରେ ଦେଖିଆସିଛି । ଭାରତର ଫାର୍ମା ଇଣ୍ଡଷ୍ଟ୍ରୀ କମ ଖର୍ଚ୍ଚରେ ଔଷଧ, ମେଡିକାଲ ଉପକରଣ ଓ ପିପିଇ କିଟ୍ ଉତ୍ପାଦନ କରିଛି । ଏହା ଅନେକ ବିକାଶଶୀଳ ଦେଶ ପାଇଁ ବିକଳ୍ପ ପ୍ରଦାନ କରିଥିବା କହିଛନ୍ତି ପିଏମ ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ଭ୍ୟାକ୍ସିନ ବିକଶିତ ହେଉଥିବାବେଳେ ଆମେ ବର୍ତ୍ତମାନ ସମୟରେ ଉତ୍ପାଦନ କ୍ଷମତା ବୃଦ୍ଧି କରୁଛୁ । ଉତ୍ପାଦନ ବୃଦ୍ଧି ସହିତ ଆମେ ଅନ୍ୟ ଦେଶଗୁଡିକୁ ମଧ୍ୟ ଏହାର ଯୋଗାଣ କରିପାରିବୁ । ଏଥିପାଇଁ କଞ୍ଚାମାଲର ଯୋଗାଣ ଶୃଙ୍ଖଳା ଖୋଲା ରଖିବାକୁପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ବିଶ୍ବକୁ ଅବଗତ କରାଇଛନ୍ତି ଯେ ଭାରତରେ ସବୁଠୁ ବଡ ଟୀକାକରଣ ଅଭିଯାନ ଜାରି ରହିଛି । ଭାରତ ନିକଟରେ ଗୋଟିଏ ଦିନରେ ୨.୫ କୋଟି ଟୀକା ଲଗାଇଛି । ବର୍ତ୍ତମାନସୁଦ୍ଧା ୮୦ କୋଟିରୁ ଅଧିକ ଡୋଜ ଦିଆଯାଇସାରିଥିବାବେଳେ ୨୦ କୋଟିରୁ ଅଧିକ ଭାରତୀୟଙ୍କ ସମ୍ପୂର୍ଣ୍ଣ ଟୀକାକରଣ ହୋଇସାରିଛି ।
ଗ୍ଲୋବାଲ କୋଭିଡ ସମିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ୧୫୦ରୁ ଅଧିକ ଦେଶରେ ଔଷଧ ଓ ମେଡିକାଲ ଉପକରଣ ଯୋଗାଣ କରିଛୁ । ସ୍ବଦେଶୀ ରୂପେ ବିକଶିତ ୨ ଭ୍ୟାକ୍ସିନରୁ ଭାରତରେ ଜରୁରୀକାଳୀନ ବ୍ୟବହାରର ମଞ୍ଜୁରୀ ଦିଆଯାଇଛି । ଅନ୍ୟପକ୍ଷେ ଆର୍ଥିକ ପ୍ରଭାବକୁ ଦୂର କରିବା ପାଇଁ ଧ୍ୟାନ ଦେବା ଜରୁରୀ ଓ ଭ୍ୟାକ୍ସିନେସନ ସାର୍ଟିଫିକେଟକୁ ମାନ୍ୟତା ଦେଇ ଅନ୍ତରାଷ୍ଟ୍ରୀୟ ଯାତ୍ରାକୁ ସହଜ କରିବାର ଆବଶ୍ୟକତା ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।